ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ବ୍ୟାଟର ବୀରେନ୍ଦ୍ର ସେହୱାଗ ବଡ଼ ଖୁଲାସା କରିଛନ୍ତି। ୨୦୦୮ ମସିହାରେ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପାଇଁ ଦିନିକିଆ କ୍ରିକେଟ ଛାଡ଼ିବାକୁ ନିଷ୍ପତ୍ତି ନେଇ ଯାଇଥିଲେ। ଅଷ୍ଟ୍ରେଲିଆ ଟୁର ବେଳେ ହିଁ ଏପରି ଘଟଣା ଘଟିଥିଲା। କିନ୍ତୁ ସଚିନ ତେନ୍ଦୁଲକର ହିଁ ତାଙ୍କୁ ଅବସର ଘୋଷଣା କରିବାକୁ ମନା କରିଥିଲେ। ନିଜେ ସେହୱାଗ ଏବେ ଏହି ବଡ଼ ଘଟଣା ଉପରୁ ପରଦା ହଟାଇଛନ୍ତି।
ସେହୱାଗ କହିଛନ୍ତି, “୨୦୦୮ରେ ଆମେ ତ୍ରିପାକ୍ଷିକ ସିରିଜ୍ ଖେଳିବାକୁ ଅଷ୍ଟ୍ରେଲିଆ ଯାଇଥିଲୁ। ଏହି ସମୟରେ ଅବସର ନେବା କଥା ଚିନ୍ତା କରିଥିଲି। ମୁଁ ଟେଷ୍ଟରେ କମବ୍ୟାକ୍ କରି ୧୫୦ ରନ୍ ହାସଲ କରିଥିଲି। ହେଲେ ଦିନିକିଆରେ ମୁଁ ସେହି ଅନୁସାରେ ରନ କରି ପାରି ନଥିଲି। ୩ରୁ ୪ଟି ମ୍ୟାଚ୍ରେ ଫ୍ଲପ ହୋଇଥିଲି। ଏଥିପାଇଁ ଅଷ୍ଟ୍ରେଲିଆ ଟୁର ବେଳେ ମହେନ୍ଦ୍ର ସିଂହ ଧୋନି ମୋତେ ଚୂଡ଼ାନ୍ତ ଏକାଦଶରୁ ବାଦ ଦେଇଥିଲେ। ଡ୍ରପ୍ ହେବା ପରେ ଦିନିକିଆରୁ ଅବସର ନେବା କଥା ମୋ ମୁଣ୍ଡକୁ ଆସିଥିଲା। ଏହି ସମୟରେ ମୁଁ କେବଳ ଟେଷ୍ଟ କ୍ରିକେଟ ଖେଳିବି ବୋଲି ଭାବିଥିଲି।
ମୁଁ ଅବସର ଘୋଷଣା କରିବାକୁ ଯାଉଥିବା ବେଳେ ସଚିନ ତେନ୍ଦୁଲକର ମୋତେ ଅଟକାଇଥିଲେ। ସେ ମୋତେ କହିଥିଲେ ଏବେ ମୋ ଜୀବନର ଖରାପ ପର୍ଯ୍ୟାୟ ଚାଲିଛି। ଅପେକ୍ଷା କର, ଟୁର ପରେ ଘରେ ବସି ଭଲ ଭାବେ ଚିନ୍ତା କର। ଏହାପରେ ନିଷ୍ପତ୍ତି ନେବ ବୋଲି ସଚିନ କହିଥିଲେ। ସୌଭାଗ୍ୟବଶତଃ ମୁଁ ସେତେବେଳେ ମୋର ଅବସର ସମ୍ପର୍କରେ ଘୋଷଣା କରି ନଥିଲି।”
୨୦୦୮ ତ୍ରିପାକ୍ଷିକ ସିରିଜ୍ର ପ୍ରଥମ ୪ଟି ମ୍ୟାଚ୍ରେ ସେହୱାଗ ୬,୩୩,୧୧ ଓ ୧୪ ରନ୍ କରିଥିଲେ। ଏହାପରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯାଇଥିଲା। ୨୦୦୮ ସିବି ସିରିଜ୍କୁ ଭାରତ ପ୍ରଥମଥର ପାଇଁ ଜିତିଥିଲା। ହେଲେ ସେହୱାଗ ଫାଇନାଲ ମୁକାବିଲା ଖେଳି ନଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ସେହୱାଗ ଦମଦାର କମବ୍ୟାକ କରି ଭାରତ ପାଇଁ ସବୁ ଫର୍ମାଟରେ ଆହୁରୁ ୭ରୁ ୮ ବର୍ଷ ଖେଳିଥିଲେ। ୨୦୧୧ ବିଶ୍ୱକପରେ ମଧ୍ୟ ସେହୱାଗ ନିଜର ଜଲୱା ଦେଖାଇଥିଲେ।
ଏବେ ବିରାଟ କୋହଲି ଖରାପ ଫର୍ମ ଦେଇ ଗତି କରୁଥିବାରୁ ସେହୱାଗଙ୍କୁ ଏ ସମ୍ପର୍କରେ ପଚରା ଯାଇଥିଲା। ଆଉ ଏହି ସମୟରେ ହିଁ ସେ ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ଖୁଲାସା କରିଛନ୍ତି। ସେ କହିଛନ୍ତି, “ସାଧାଣତଃ ୨ ପ୍ରକାରର ଖେଳାଳି ରହିଥାଆନ୍ତି। ଜଣେ ଜଣେ ଖରାପ ସମୟକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଏହାର ମଜାକ ଉଡ଼ାନ୍ତି। ବିରାଟ ଚ୍ୟାଲେଞ୍ଜ ନେଉଥିବା ଖେଳାଳି। ସେ ସବୁ ସମାଲୋଚନାକୁ ଶୁଣନ୍ତି। ଏହାପରେ ପଡ଼ିଆରେ ରନ୍ ସ୍କୋରକୁ ସମାଲୋଚନାକାରୀଙ୍କ ମୁହଁ ବନ୍ଦ କରନ୍ତି। ଆଉ ଗୋଟିଏ ପ୍ରକାରର ଖେଳାଳି ହେଲେ ସେମାନେ ତାଙ୍କ ଚାରିପାଖରେ ଚାଲିଥିବା ଆଲୋଚନାକୁ ଧ୍ୟାନ ଦିଅନ୍ତି ନାହିଁ।
କାରଣ ସେମାନେ ଜାଣିଛନ୍ତି ଯେ ଶେଷରେ ସବୁ କିଛି ନିଜକୁ ହିଁ କରିବାକୁ ପଡ଼ିବ। ମୁଁ ଏହି ଶ୍ରେଣୀର ଖେଳାଳି ଥିଲି। ମୁଁ କେବେ ହେଲେ ମୋତେ ସମାଲୋଚନା କରୁଥିବା ଲୋକଙ୍କ କଥାକୁ ଖାତିର କରେ ନାହିଁ। ମୁଁ ସବୁବେଳେ ଖେଳିବାକୁ ଚାହେଁ, ରନ ସ୍କୋର କରେ ଓ ଘରକୁ ଯାଏ।”