କାହିଁକି ବଡ଼ ଟିମ ଓ ଭଲ ବୋଲରଙ୍କ ସାମ୍ନାରେ ରନ୍‌ କରିପାରିଲାନି ଭାରତ?

ଦୁବାଇ: ଚଳିତ ବିଶ୍ୱକପ ଟି-୨୦ରେ ଟ୍ରଫି ଜିତିବାକୁ ପ୍ରବଳ ଦାବିଦାର କୁହାଯାଉଥିବା ବିରାଟ କୋହଲିଙ୍କ ଟିମ୍‌ ଇଣ୍ଡିଆ ସୁପର-୧୨ରୁ ହିଁ ବିଦା ହୋଇଛି। ସୁପର ୧୨ ମୁକାବିଲର ପ୍ରଥମ ଦୁଇଟି ମ୍ୟାଚ୍‌ ହାରିବା ପରେ ଦଳ କ୍ରମାଗତ ୩ଟି ବିଜୟ ହାସଲ କରିଥିଲା। କିନ୍ତୁ ଟିମ ଇଣ୍ଡିଆ ତୃତୀୟ ସ୍ଥାନରେ ରହି ହିଁ ତା’ର ବିଶ୍ୱକପ ଅଭିଯାନ ଶେଷ କରିଛି। ଏହି ଦୁଃଖଦ ବିଦାୟ ପରେ ୧୭ ତାରିଖରୁ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍‌ ଭାରତରେ […]

Rohit

Hemant Lenka
  • Published: Tuesday, 09 November 2021
  • , Updated: 09 November 2021, 01:48 PM IST

ଦୁବାଇ: ଚଳିତ ବିଶ୍ୱକପ ଟି-୨୦ରେ ଟ୍ରଫି ଜିତିବାକୁ ପ୍ରବଳ ଦାବିଦାର କୁହାଯାଉଥିବା ବିରାଟ କୋହଲିଙ୍କ ଟିମ୍‌ ଇଣ୍ଡିଆ ସୁପର-୧୨ରୁ ହିଁ ବିଦା ହୋଇଛି। ସୁପର ୧୨ ମୁକାବିଲର ପ୍ରଥମ ଦୁଇଟି ମ୍ୟାଚ୍‌ ହାରିବା ପରେ ଦଳ କ୍ରମାଗତ ୩ଟି ବିଜୟ ହାସଲ କରିଥିଲା। କିନ୍ତୁ ଟିମ ଇଣ୍ଡିଆ ତୃତୀୟ ସ୍ଥାନରେ ରହି ହିଁ ତା’ର ବିଶ୍ୱକପ ଅଭିଯାନ ଶେଷ କରିଛି।

ଏହି ଦୁଃଖଦ ବିଦାୟ ପରେ ୧୭ ତାରିଖରୁ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍‌ ଭାରତରେ ଖେଳିବ। ନୂଆ ଅଧିନାୟକ ଓ ନୂଆ କୋଚ୍‌ଙ୍କୁ ଏହି ସିରିଜ୍‌ରେ ଦେଖିବାକୁ ମିଳିବ। କାରଣ ବିଶ୍ୱକପ ପୂର୍ବରୁ ବିରାଟ କୋହଲି ଆଉ ଟି-୨୦ରେ ଦଳର ନେତୃତ୍ୱ ନେବେନି ବୋଲି ଘୋଷଣା କରି ସାରିଥିଲେ।

ଗତକାଲି ସେ ନାମିବ୍ୟା ବିପକ୍ଷରେ ଶେଷଥର ପାଇଁ ଦଳର କମାଣ ଟି-୨୦ରେ ସମ୍ଭାଳି ଥିଲେ। ସେହିପରି ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟ ବିଶ୍ୱକପ ପରେ ଶେଷ ହୋଇଛି। ତେଣୁ ନ୍ୟୁଜିଲ୍ୟାଣ୍ଡ ବିପିକ୍ଷ ସିରିଜ୍‌ରେ ଟିମ୍‌ ନୂଆ କମ୍ବିନେସନ ସହ ମୈଦାନକୁ ଓହ୍ଲାଇବ।

ଏସବୁ ଭିତରେ ବିଶ୍ୱକପ ଅଧାରୁ ବିଦା ହୋଇଥିବା ଟିମ୍‌ ଇଣ୍ଡିଆ ପାଇଁ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କ କିଛି ପରାମର୍ଶ ଦେଇଛନ୍ତି। ବିଶେଷ କରି ବଡ଼ବଡ଼ ଟିମ ଓ ଭଲ ବୋଲରଙ୍କ ସାମ୍ନାରେ କାହିଁକି ଦଳ ଆଇସିସି ଇଭେଣ୍ଟରେ ରନ୍‌ ହାସଲ କରିପାରୁନାହିଁ, ତା’ର କାରଣ ମଧ୍ୟ ଗାଭାସ୍କର କହିଛନ୍ତି।

ଗାଭାସ୍କରଙ୍କ ମତରେ ଟିମ ଇଣ୍ଡିଆ ପାୱର ପ୍ଲେରେ ତା’ର ବ୍ୟାଟିଂ ଆଭିମୁଖ୍ୟକୁ ବଦଳାଇବା ଦରକାର। ଦଳରେ ଏକାଧିକ ପରିବର୍ତ୍ତନ କରିବା ଠିକ୍‌ ନୁହେଁ। କାରଣ ଭାରତ ତା’ର ସବୁ ମ୍ୟାଚ୍‌ ବିଶ୍ୱକପରେ ହାରିନି। ପ୍ରଥମ ଦୁଇଟି ମ୍ୟାଚ୍‌ରେ ଭାରତୀୟ ବ୍ୟାଟରଙ୍କ ଠାରୁ ଯାହା ଆଶା କରାଯାଉଥିଲା ସେମାନେ ସେପରି ପ୍ରଦର୍ଶନ କରିପାରିଲେ ନାହିଁ।

ତେଣୁ ଭାରତକୁ ମ୍ୟାଚ୍‌ ହାରିବାକୁ ପଡ଼ିଲା। ପାୱାର ପ୍ଲେରେ ଦଳ ବିଫଳ ହେବାରୁ ପୂରା ମ୍ୟାଚ୍‌ରେ ରନ୍‌ ସଂଗ୍ରହ କରିବାକୁ ସଂଘର୍ଷ କରିଥିଲା। ଫଳରେ ଆମେ ଆଜି ଏପରି ଏକ ସ୍ଥିତିରେ ରହିଛୁ। ତେଣୁ ଆମକୁ ନିଜର ଆଭିମୁଖ୍ୟକୁ ବଦଳାଇବାକୁ ପଡ଼ିବ। ପାୱାର ପ୍ଲେ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଗାଭାସ୍କର କହିଛନ୍ତି।

ସେ ଆହୁରି କହିଛନ୍ତି, “ପ୍ରକୃତ କଥା ହେଉଛି ପ୍ରଥମ ୬ ଓଭର୍‌ ଯାଏ ଦୁଇ ଜଣ ଖେଳାଳି ୩୦ ୟାର୍ଡ ବାହାରେ ରୁହନ୍ତି। ବିଗତ କିଛି ଆଇସିସି ଇଭେଣ୍ଟରେ ଭାରତ ଏହାର ଫାଇଦା ହାସଲ କରିପାରିନାହିଁ। ଏହି କାରଣ ପାଇଁ ଭାରତ ଯେତେବେଳେ ବି ବଡ଼ବଡ଼ ଟିମ କିମ୍ବା ଭଲ ବୋଲରଙ୍କ ସାମ୍ନାକୁ କରୁଛି ସେତେବେଳେ ରନ୍‌ ହାସଲ କରିପାରୁ ନାହିଁ।

ତେଣୁ ଏହି ମାନସିକତାକୁ ବଦଳାଇବାକୁ ହେବ। ପ୍ରଥମ ୬ ଓଭର୍‌ରେ ବ୍ୟାଟସମ୍ୟାନଙ୍କୁ ମିଳୁଥିବା ସୁବିଧାକୁ ଭାରତ ବ୍ୟବହାର କରିବାକୁ ପଡ଼ିବ। ଏପରି ହେଲେ ବଡ଼ବଡ଼ ଟିମ୍‌ ମଧ୍ୟ ଚାପରେ ରହିବେ।”

ଭାରତୀୟ ଫିଲ୍ଡିଂ ଉପରେ ଟିପ୍ପଣୀ କରି ଗାଭାସ୍କର କହିଛନ୍ତି, ଭାରତୀୟ ଟିମରେ ୩ରୁ ୪ ଜଣ ଭଲ ଫିଲ୍ଡର ରହିଛନ୍ତି। ନ୍ୟୁଜିଲ୍ୟାଣ୍ଡ ଟିମ୍‌ରେ ସମସ୍ତ ଖେଳାଳି ଜବରଦସ୍ତ ଫିଲ୍ଡିଂ କରୁଛନ୍ତି। ନ୍ୟୁଜିଲ୍ୟାଣ୍ଡ ଖେଳାଳିମାନେ ରନ୍‌ ବଞ୍ଚାଇବା ସହ ଅବିଶ୍ୱସନୀୟ କ୍ୟାଚ୍‌ ଧରୁଛନ୍ତି। ଯଦି ବି ପିଚ୍‌ରେ କିଛି ନଥିବ, ତା’ହେଲେ ଗୋଟିଏ ଦଳକୁ ତା’ର ଫିଲ୍ଡର ମାନେ ମ୍ୟାଚ୍‌ ଜିତାଇ ପାରିବେ। ଆପଣ ଯଦି ଭାରତୀୟ ଟିମ୍‌କୁ ଦେଖିବେ ୩ରୁ ୪ ଜଣଙ୍କୁ ଛାଡ଼ି ଦେଲେ ବାକି ଖେଳାଳିମାନଙ୍କ ଠାରୁ ବାଉଣ୍ଡରୀରେ ଡ୍ରାଇଭ ମାରି ଫିଲ୍ଡିଂ କରିବା ଭଳି ଆଶା କରିପାରିବା ନାହିଁ ବୋଲି ସେ କହିଛନ୍ତି।

Related story