ବିଶ୍ୱକପରେ ବଡ଼ ବିପର୍ଯ୍ୟୟ: ପାକିସ୍ତାନକୁ ହରାଇଲା ଜିମ୍ବାୱେ

ପର୍ଥ: ଚଳିତ ଟି-୨୦ ବିଶ୍ୱକପରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଛି ଜିମ୍ବାୱେ। ପାକିସ୍ତାନ ଭଳି ଶକ୍ତିଶାଳୀ ଦଳକୁ ଜିମ୍ବାୱେ ୧ ରନରେ ହରାଇ ଇତିହାସ ସୃଷ୍ଟି କରିଛି। ପୂରା ମ୍ୟାଚ୍‌ ଆରମ୍ଭରୁ ଶେଷ ଯାଏ ପାକିସ୍ତାନ କବଜାରେ ଥିଲେ ହେଁ ଶେଷ ମୁହୂର୍ତ୍ତରେ ଜିମ୍ବାୱେ ବାଜି ମାରି ନେଇଛି। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ମାତ୍ର ୧୩୦ ରନ କରିଥିବା ବେଳେ ପାକିସ୍ତାନ ୮ ୱିକେଟ ହରାଇ କେବଳ ୧୨୯ ରନ କରିବାକୁ ସକ୍ଷମ ହୋଇଛି। ଟି-୨୦ […]

Pakistan

Pakistan

Hemant Lenka
  • Published: Thursday, 27 October 2022
  • Updated: 27 October 2022, 08:39 PM IST

ପର୍ଥ: ଚଳିତ ଟି-୨୦ ବିଶ୍ୱକପରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଛି ଜିମ୍ବାୱେ। ପାକିସ୍ତାନ ଭଳି ଶକ୍ତିଶାଳୀ ଦଳକୁ ଜିମ୍ବାୱେ ୧ ରନରେ ହରାଇ ଇତିହାସ ସୃଷ୍ଟି କରିଛି। ପୂରା ମ୍ୟାଚ୍‌ ଆରମ୍ଭରୁ ଶେଷ ଯାଏ ପାକିସ୍ତାନ କବଜାରେ ଥିଲେ ହେଁ ଶେଷ ମୁହୂର୍ତ୍ତରେ ଜିମ୍ବାୱେ ବାଜି ମାରି ନେଇଛି।

ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ମାତ୍ର ୧୩୦ ରନ କରିଥିବା ବେଳେ ପାକିସ୍ତାନ ୮ ୱିକେଟ ହରାଇ କେବଳ ୧୨୯ ରନ କରିବାକୁ ସକ୍ଷମ ହୋଇଛି।

ଟି-୨୦ ବିଶ୍ୱକପରେ ଜିମ୍ବାୱେ ପ୍ରଥମଥର ପାଇଁ ପାକିସ୍ତାନକୁ ହରାଇବାର ରେକର୍ଡ କରିଛି। ପର୍ଥରେ ଐତିହାସିକ ବିଜୟ ପରେ ଜିମ୍ବାୱେ ଖେଳାଳିମାନେ ଷ୍ଟାଡିୟମରେ ଉପସ୍ଥିତ ପ୍ରଶଂସକଙ୍କ ସହ ହାତ ମିଳାଇ ଉତ୍ସବ ମନାଇଛନ୍ତି।

ଚଳିତ ବିଶ୍ୱକପର ସୁପର ୧୨ରେ ଏହା ଜିମ୍ବାୱେର ପ୍ରଥମ ବିଜୟ। ସେହିପରି ପାକିସ୍ତାନ କ୍ରମାଗତ ଦ୍ୱିତୀୟ ମ୍ୟାଚ୍‌ ହାରି ବିଶ୍ୱକପରୁ ବିଦା ହେବା ସ୍ଥିତିକୁ ଚାଲି ଆସିଛି।

ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ପ୍ରତିପକ୍ଷ ଭାରତ ଠାରୁ ହାରିଥିଲା। ଏବେ ଦଳ ଜିମ୍ବାୱେ ଠାରୁ ହାରିଛି। ଜିମ୍ବାୱେ ବିଜୟରେ ନାୟକ ସାଜି ୩ ୱିକେଟ ଦଖଲ କରିଥିବା ସିକନ୍ଦର ରାଜା ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସିକନ୍ଦର ରାଜା ପାକିସ୍ତାନରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଜିମ୍ବାୱେ ପକ୍ଷରୁ ଖେଳୁଛନ୍ତି। ପାକିସ୍ତାନକୁ ହରାଇବା ପରେ ଜିମ୍ବାୱେ ଖେଳାଳିମାନେ ଖୁସିରେ କାନ୍ଦି ମଧ୍ୟ ପକାଇଥିଲେ।

୧୩୧ ରନର ଟାର୍ଗେଟ ପାଇଥିବା ପାକିସ୍ତାନକୁ ଶେଷ ଓଭରରେ ଜିତିବା ପାଇଁ ୧୧ ରନ ଦରକାର ଥିଲା। କ୍ରିଜ୍‌ରେ ମହମ୍ମଦ ନୱାଜ ଓ ମହମ୍ମଦ ୱାସିମ ରହିଥିଲେ। ବ୍ରାଡ ଇଭାନ୍ସଙ୍କ ହାତରେ ବଲ ରହିଥିଲା। ପ୍ରଥମ ବଲରେ ନୱାଜ ୩ ରନ ହାସଲ କରିଥିବା ବେଳେ ଦ୍ୱିତୀୟ ବଲରେ ୱାସିମ ଚୌକା ମାରିଥିଲେ।

ତୃତୀୟ ବଲରେ ୧ ରନ ନେବା ପରେ ନୱାଜ ଷ୍ଟ୍ରାଇକକୁ ଆସିଥିଲେ। କିନ୍ତୁ ୪ର୍ଥ ବଲରେ ସେ କୌଣସି ରନ ହାସଲ କରିପାରି ନଥିଲେ। ୨ ବଲରେ ୩ ରନ ଦରକାର ଥିବା ବେଳେ ନୱାଜ ବଡ଼ ଶଟ ଖେଳିବା ଲୋଭରେ ଆଉଟ ହୋଇଯାଇଥିଲେ। ଶେଷ ବଲ ସାମ୍ନାକୁ କରିବାକୁ ଆସିଥିଲେ ଶାହୀନ ଶାହ ଆଫ୍ରିଦି।

ଗୋଟିଏ ବଲରେ ଜିତିବାକୁ ୩ ରନ ଦରକାର ଥିବା ବେଳେ ଆଫ୍ରିଦି ସିଧା ମାରିଥିଲେ। ସେ ଦୁଇ ରନ ନେବାକୁ ଚେଷ୍ଟା କରୁଥିବା ବେଳେ ରନ ଆଉଟ ହୋଇଯାଇଥିଲା। ଫଳରେ ଜିମ୍ବାୱେ ୧ ରନରେ ବେଶ ରୋମାଞ୍ଚକର ଢଙ୍ଗରେ ପାକିସ୍ତାନକୁ ହରାଇଥିଲା।

ଆଜି ୧୩୧ ରନର ପିଛା କରୁଥିବା ପାକିସ୍ତାନ ଆରମ୍ଭରୁ ଝୁଣ୍ଟିଥିଲା। ଦଳୀୟ ସ୍କୋର ୧୩ ଥିବା ବେଳେ ଅଧିନାୟକ ବାବର ଆଜମ (୪) ଇଭାନ୍ସଙ୍କ ବଲରେ ଆଉଟ ହୋଇଯାଇଥିଲେ। ମହମ୍ମଦ ରିଜୱାନ(୧୪) ମୁଜାରାବାନିଙ୍କ ବଲରେ କ୍ଲିନବୋଲ୍ଡ ହୋଇଥିଲେ। ଭାରତ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିବା ଇଫତକାର ଅହମଦ ଆଜି କେବଳ ୫ ରନ କରିବାକୁ ସକ୍ଷମ ହୋଇଛନ୍ତି। ଶଦାବ ଖାନ ୧୭ ରନ କରିଥିବା ବେଳେ ବଡ଼ ଶଟ ଖେଳିବା ଲୋଭରେ ଶିକନ୍ଦର ରାଜାଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ହାଇଦର ଅଲୀ(୦)ଙ୍କୁ ଖାତା ଖୋଲିବାକୁ ଦେଇ ନଥିଲେ ରାଜା।

ତେବେ ଶାନ ମାସୁଦ କ୍ରିଜ୍‌ରେ ଥିବାରୁ ପାକିସ୍ତାନର ଜିତିବା ନିଶ୍ଚିତ ଥିଲା। କିନ୍ତୁ ଦଳୀୟ ସ୍କୋର ୯୪ ଥିବା ବେଳେ ରାଜା ତାଙ୍କୁ ଷ୍ଟମ୍ପିଂ ଦ୍ୱାରା ପ୍ୟାଭିଲିୟନ ପଠାଇ ଦେଇଥିଲେ।  ସେ ଆଉଟ ହୋଇଯିବାରୁ ମହମ୍ମଦ ନୱାଜଙ୍କ ଉପରେ ସବୁ ଦାୟିତ୍ୱ ପଡ଼ିଥିଲା। ସେ ମଧ୍ୟ ଶେଷ ଯାଏ ମ୍ୟାଚ୍‌କୁ ନେଇଥିଲେ। କିନ୍ତୁ ୨ ବଲରେ ୩ ରନ ଦରକାର ଥିବା ବେଳେ ସେ ୨୨ ରନ କରି ଇଭାନ୍ସଙ୍କ ବଲରେ ଆଉଟ ହୋଇଯାଇଥିଲେ।

ମହମ୍ମଦ ୱାସିମ ୧୩ ବଲରେ ୧୨ ରନ କରି ଅପରାଜିତ ଥିଲେ ମଧ୍ୟ ଶେଷ ବଲ ଷ୍ଟ୍ରାଇକ କରିଥିଲେ। ନୂଆ ବ୍ୟାଟର ଆଫ୍ରଦି। ସେ ପାକିସ୍ତାନକୁ ଜିତାଇବା ପାଇଁ ଶଟ ଖେଳିଥିଲେ। ହେଲେ ଇଭାନ୍ସଙ୍କ ଘାତକ ବୋଲିଂ ଯୋଗୁ ଏହା ଠିକ୍‌ ଭାବେ କନେକ୍ଟ ହୋଇ ନଥିଲା। ୩ ରନ ବଦଳରେ ପାକିସ୍ତାନ କେବଳ ଗୋଟିଏ ରନ କରିବାକୁ ସକ୍ଷମ ହୋଇଥିଲା। ଦୁଇ ରନ ନେବା ବେଳେ ଆଫ୍ରିଦି ରନ ଆଉଟ ହୋଇଯାଇଥିଲେ। ଏଥିସହ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୨୯ରେ ଅଟକି ଯାଇଥିଲା।

ଜିମ୍ବାୱେ ପକ୍ଷରୁ ରାଜା ୩ଟି ୱିକେଟ ନେଇଥିବା ବେଳେ ଇଭାନ୍ସ ୨ଟି, ଲୁକି ଜୋଙ୍ଗୱେ ଓ ବ୍ଲେସିଂ ମୁଜାରାବାନି ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

ଏହାପୂର୍ବରୁ ସେନ ୱିଲିୟମ୍ସଙ୍କ ୩୧ ଓ ଶେଷ ଭାଗରେ ଇଭାନ୍ସଙ୍କ ୧୫ ବଲରେ ୧୯ ଯୋଗୁ ଜିମ୍ବାୱେ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୩୦ ରନ କରିଥିଲା। ପାକିସ୍ତାନ ପକ୍ଷରୁ ମହମ୍ମଦ ୱାସିମ ୪ଟି ୱିକେଟ ନେଇଥିବା ବେଳେ ଶଦାବ ଖାନ ୩ଟି ଓ ହରିଶ ରୌପ ଗୋଟିଏ ସଫଳତା ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos