ଅନ୍ତର୍ଜାତୀୟ କ୍ରିକେଟକୁ ୱାର୍ଣ୍ଣରଙ୍କ ଜବରଦସ୍ତ ପ୍ରତ୍ୟାବର୍ତ୍ତନ

ବ୍ରିଷ୍ଟଲ: ବିଶ୍ୱକପ୍ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିବା ଅଷ୍ଟ୍ରେଲିଆ ଓପ୍ନର ଡେଭିଡ୍ ୱାର୍ଣ୍ଣର ନିଜର ପ୍ରଥମ ମୁକାବିଲାରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଶନିବାର ୱାର୍ଣ୍ଣରଙ୍କ ଦମଦାର ବ୍ୟାଟିଂ ପ୍ରଦର୍ଶନ ବଳରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଆଫଗାନିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି। ଆଫଗାନିସ୍ତାନ ଏହି ମ୍ୟାଚରେ ମାତ୍ର ୨୦୮ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଅଷ୍ଟ୍ରେଲିଆ ଏହି ଲକ୍ଷ୍ୟକୁ ୩୪.୫ ଓଭରରେ ୩ ୱିକେଟ୍ ହରାଇ ହାସଲ କରିନେଇଥିଲା। ଏହି ମ୍ୟାଚରେ ହିରୋ ସାଜିଥିଲେ ୱାର୍ଣ୍ଣର, […]

WARNER

Hemant Lenka
  • Published: Sunday, 02 June 2019
  • , Updated: 02 June 2019, 04:11 PM IST

ବ୍ରିଷ୍ଟଲ: ବିଶ୍ୱକପ୍ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିବା ଅଷ୍ଟ୍ରେଲିଆ ଓପ୍ନର ଡେଭିଡ୍ ୱାର୍ଣ୍ଣର ନିଜର ପ୍ରଥମ ମୁକାବିଲାରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଶନିବାର ୱାର୍ଣ୍ଣରଙ୍କ ଦମଦାର ବ୍ୟାଟିଂ ପ୍ରଦର୍ଶନ ବଳରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଆଫଗାନିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି।

ଆଫଗାନିସ୍ତାନ ଏହି ମ୍ୟାଚରେ ମାତ୍ର ୨୦୮ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଅଷ୍ଟ୍ରେଲିଆ ଏହି ଲକ୍ଷ୍ୟକୁ ୩୪.୫ ଓଭରରେ ୩ ୱିକେଟ୍ ହରାଇ ହାସଲ କରିନେଇଥିଲା। ଏହି ମ୍ୟାଚରେ ହିରୋ ସାଜିଥିଲେ ୱାର୍ଣ୍ଣର, ଯିଏ ୧୧୪ ବଲରେ ୮ ଚୌକା ସହ ୮୯ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

ୱାର୍ଣ୍ଣର ପ୍ରାୟ ବର୍ଷେ ଓ ଦୁଇମାସ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ବର୍ଷକ ତଳେ ଅର୍ଥାତ୍ ମାର୍ଚ୍ଚ, ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚରେ ୱାର୍ଣ୍ଣର ଓ ଷ୍ଟିଭ୍ ସ୍ମିଥ୍ ବଲ୍ ଟ୍ୟାମ୍ପରିଂ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ବର୍ଷକ ପାଇଁ କ୍ରିକେଟରୁ ବାସନ୍ଦ ହୋଇଥିଲେ।

ଏହି ବାସନ୍ଦାଦେଶ ଯୋଗୁ ଦୁହେଁ ଅନ୍ତର୍ଜାତୀୟ ସମେତ ଘରୋଇ କ୍ରିକେଟ୍ ଏବଂ ବିଭିନ୍ନ ଦେଶରେ ଆୟୋଜିତ ଟି-୨୦ ଲିଗ୍ ଖେଳିବାରୁ ମଧ୍ୟ ବଞ୍ଚିତ ହୋଇଥିଲେ। କିନ୍ତୁ ଦୁହେଁ ଧୈର୍ଯ୍ୟ ହରାଇ ନଥିଲେ ଏବଂ ବାସନ୍ଦାଦେଶ ଶେଷ ହେବା ପରେ ପୁଣିଥରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ଅଣ୍ଟା ଭିଡିଥିଲେ।

ଦୁହେଁ ଚଳିତବର୍ଷ ଆଇପିଏଲ୍ ଜରିଆରେ କ୍ରିକେଟକୁ ଫେରିଥିଲେ। ଆଇପିଏଲରେ ୱାର୍ଣ୍ଣରଙ୍କ ବ୍ୟାଟରୁ ଖୁବ୍ ରନ୍ ବର୍ଷିଥିଲା ଏବଂ ଏହି ସିଜନର ସେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିବେଚିତ ହୋଇଥିଲେ। ୱାର୍ଣ୍ଣର ମାତ୍ର ୧୨ ମ୍ୟାଚରେ ୬୯୨ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଓ ୮ ଅର୍ଦ୍ଧଶତକ ସାମିଲ ଥିଲା। ୱାର୍ଣ୍ଣର ନିଜ ପ୍ରଦର୍ଶନ ଦ୍ୱାରା ସବୁ ବିରୋଧୀ ଟିମକୁ ଚେତାବନୀ ଦେଇଥିଲେ। ତାଙ୍କର ଏହି ପ୍ରଦର୍ଶନର ପ୍ରତିଫଳନ ବିଶ୍ୱକପରେ ମଧ୍ୟ ଦେଖିବାକୁ ମିଳିଛି ଏବଂ ଏହି ମହାକୁମ୍ଭର ପ୍ରଥମ ମ୍ୟାଚରେ ହିଁ ନିଜ ବ୍ୟାଟର ଯାଦୁ ଦେଖାଇଛନ୍ତି।

ୱାର୍ଣ୍ଣର ନିଜର ପ୍ରତ୍ୟାବର୍ତ୍ତନ ମ୍ୟାଚକୁ ସ୍ମରଣୀୟ କରିଥିବା ବେଳେ ସ୍ମିଥ୍ କିନ୍ତୁ ବିଫଳ ହୋଇଛନ୍ତି। ସ୍ମିଥଙ୍କ ଉପରେ ମଧ୍ୟ ବର୍ଷକର ବ୍ୟାନ୍ ଲାଗିଥିଲା। ସ୍ମିଥ୍ ନିଜର ପ୍ରତ୍ୟାବର୍ତ୍ତନ ମ୍ୟାଚରେ ମାତ୍ର ୧୮ ରନ୍ କରି ଆଉଟ୍ ହୋଇଥିଲେ, କିନ୍ତୁ ତାଙ୍କର ମନୋବଳ ବଢ଼ିଥିବା ଦେଖିବାକୁ ମିଳିଛି। ଏହାଛଡ଼ା ସ୍ମିଥ୍ ଫିଲ୍ଡିଂ କରୁଥିବା ବେଳେ ରେହମତ୍ ଶାହଙ୍କ ଚମତ୍କାର କ୍ୟାଚ୍ ନେବା ସହ ମହମ୍ମଦ ନବିଙ୍କୁ ମଧ୍ୟ ରନ୍ ଆଉଟ୍ କରି ଅଷ୍ଟ୍ରେଲିଆ ବିଜୟରେ ନିର୍ଣ୍ଣାୟକ ଭୂମିକା ବହନ କରିଥିଲେ। ଆଗାମୀ ଦିନରେ ଉଭୟ ୱାର୍ଣ୍ଣର ଓ ସ୍ମିଥଙ୍କଠାରୁ ବିରୋଧୀ ଟିମକୁ ସତର୍କ ରହିବାକୁ ପଡ଼ିବ।

Related story