ଦେଶବାସୀଙ୍କ ଭଲ ପାଇବା ଓ ସହଯୋଗ ମୋତେ ଅଲିମ୍ପିକ୍‌ରେ ପହଞ୍ଚାଇଛି: ଶ୍ରାବଣୀ

ରିଓ: ଅଲିମ୍ପିକ୍‌ ଖେଳିବା ସବୁ ଖେଳାଳିଙ୍କ ସ୍ୱପ୍ନ, ମୁଁ ମଧ୍ୟ ଏହି ସ୍ୱପ୍ନ ଦେଖିଥିଲି। ତଥାପି ଅଲିମ୍ପିକ୍‌କୁ ଆସିବି ବୋଲି କେବେ ଭାବି ନ ଥିଲି। ଦେଶବାସୀଙ୍କ ଭଲ ପାଇବା ଓ ସହଯୋଗ ପାଇଁ ମୁଁ ଆଜି ଏଠାରେ ପହଞ୍ଚିଛି। ଉଦ୍‌ଘାଟନୀ ଉତ୍ସବକୁ ନେଇ ମୁଁ ବହୁତ ଉତ୍ସାହିତ ଅଛି ବୋଲି ୨୦୧୬- ରିଓ ଅଲିମ୍ପିକ୍‌ କ୍ରୀଡ଼ା ଗ୍ରାମରୁ କହିଛନ୍ତି ଓଡ଼ିଆ ସ୍ପ୍ରିଣ୍ଟର ଶ୍ରାବଣୀ ନନ୍ଦ। କ୍ରୀଡ଼ାଗ୍ରାମରୁ ଓଟିଭିକୁ ସାକ୍ଷାତକାର ଦେଇ ଶ୍ରାବଣୀ କହିଛନ୍ତି, “ଫୁଲବାଣୀରୁ ଅଲିମ୍ପିକ୍‌ […]

srabani

Rakesh Mallick
  • Published: Friday, 05 August 2016
  • , Updated: 05 August 2016, 03:20 PM IST

ରିଓ: ଅଲିମ୍ପିକ୍‌ ଖେଳିବା ସବୁ ଖେଳାଳିଙ୍କ ସ୍ୱପ୍ନ, ମୁଁ ମଧ୍ୟ ଏହି ସ୍ୱପ୍ନ ଦେଖିଥିଲି। ତଥାପି ଅଲିମ୍ପିକ୍‌କୁ ଆସିବି ବୋଲି କେବେ ଭାବି ନ ଥିଲି। ଦେଶବାସୀଙ୍କ ଭଲ ପାଇବା ଓ ସହଯୋଗ ପାଇଁ ମୁଁ ଆଜି ଏଠାରେ ପହଞ୍ଚିଛି। ଉଦ୍‌ଘାଟନୀ ଉତ୍ସବକୁ ନେଇ ମୁଁ ବହୁତ ଉତ୍ସାହିତ ଅଛି ବୋଲି ୨୦୧୬- ରିଓ ଅଲିମ୍ପିକ୍‌ କ୍ରୀଡ଼ା ଗ୍ରାମରୁ କହିଛନ୍ତି ଓଡ଼ିଆ ସ୍ପ୍ରିଣ୍ଟର ଶ୍ରାବଣୀ ନନ୍ଦ।

କ୍ରୀଡ଼ାଗ୍ରାମରୁ ଓଟିଭିକୁ ସାକ୍ଷାତକାର ଦେଇ ଶ୍ରାବଣୀ କହିଛନ୍ତି, “ଫୁଲବାଣୀରୁ ଅଲିମ୍ପିକ୍‌ ପ୍ରତିଯୋଗିତା ବିଷୟରେ ମୁଁ କେବେ ଭାବି ନ ଥିଲି। ଏଥିପାଇଁ ବହୁ ବାଧା ଅତିକ୍ରମ କରିବାକୁ ପଡିଛି। ଫୁଲବାଣୀ ଭଳି ଅଞ୍ଚଳରୁ ଅଲିମ୍ପିକ୍‌ ଯାତ୍ରା ବିଷୟରେ ଭାବିବା ମଧ୍ୟ ସହଜ ନୁହେଁ। ମୁଁ କେବଳ ଶୁଣି ଥିଲି ଅନୁରାଧା ବିଶ୍ୱାଳ ଅଲିମ୍ପିକ୍‌ ଖେଳୁଛନ୍ତି। ଅଲିମ୍ପିକ୍‌ରେ ପହଞ୍ଚିବାକୁ ଯେଉଁ ରାସ୍ତା ଦେଇ ଆସିବାକୁ ପଡ଼ିବ ମୁଁ ଜାଣି ନ ଥିଲି। ମୁଁ କେବେ ଭାବି ନ ଥିଲି ରିଓରେ ବସି ଓଡ଼ିଶାବାସୀଙ୍କ ସହ କଥା ହୋଇ ପାରିବି।”

ସେ କହିଛନ୍ତି, “ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ମୋ ପ୍ରତିଯୋଗିତା ଅଛି। ଏହି ଦିନ ମୁଁ ନିଜର ୧୦୦ ପ୍ରତିଶତ ଦେଇ ଦେଶବାସୀଙ୍କ ପାଇଁ ଦୌଡ଼ିବି। ହିଟ୍‌ରୁ ସେମିଫାଇନାଲ ପର୍ଯ୍ୟନ୍ତ ଯିବାକୁ ପ୍ରଥମେ ମୁଁ ପୂରା ଦମ ଲଗାଇ ଦେବି। ଅଲିମ୍ପିକ୍‌ରେ ମୁଁ ସରସ୍ୱତୀ ସାହାଙ୍କ ନାଁରେ ଥିବା ୨୨.୮୨ ସେକେଣ୍ଡର ଜାତୀୟ ରେକର୍ଡ ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି। କଠିନ ଅଭ୍ୟାସ କରୁଛି, ଏହାସହ ପ୍ରତିଯୋଗିତା ପୂର୍ବରୁ ଯେମିତି ଆହତ ନ ହୁଏ ସେଥିପ୍ରତି ଦୃଷ୍ଟି ଦେଉଛି।”

କ୍ରୀଡ଼ାଗ୍ରାମରେ ବିଶ୍ୱର ଷ୍ଟାର ଖେଳାଳିମାନଙ୍କୁ ଭେଟିବାର ସୁଯୋଗ ମିଳୁଛି। ଆଜି କୁସେନ୍‌ ବୋଲଟ୍‌ ଓ ତାଙ୍କ ଗ୍ରୁପ୍‌ ମେମ୍ବର ଟ୍ରେନିଂ ପାଇଁ ଯାଇଥିବା ବେଳେ ଦେଖି ବହୁତ ଉତ୍ସାହିତ ହୋଇ ଯାଇଥିଲି। ଏହାସହ ସାନିଆ ମିର୍ଜା, ଅଭିନବ ବିନ୍ଦ୍ରା ଏବଂ ଗଗନ ନାରଙ୍ଗଙ୍କ ପରି ଭାରତୀୟ ଷ୍ଟାର ଖେଳାଳିଙ୍କ ସହ ଦେଖା ହୋଇଥିଲା। ସେମାନଙ୍କ ସହ କଥା ହୋଇଛି। ଅଲିମ୍ପିକ୍ସ ଅଭିଜ୍ଞତା ସେମାନେ ମୋ ସହ ସେୟାର କରିଥିଲେ।”

“ଏଠାରୁ ଯିବା ବେଳେ ଏମିତି କିଛି ସ୍ମୃତି ସାଙ୍ଗରେ ନେଇ ଯିବାକୁ ଚାହୁଁଛି ଯାହା ସବୁଦିନ ସ୍ମରଣୀୟ ହୋଇ ରହିବ। ପ୍ରତିଯୋଗିତା ପରେ ରିଓରେ ଥିବା ଦର୍ଶନୀୟ ସ୍ଥାନ ବୁଲି ଯିବାକୁ ଚାହିଁଛି। ଏବେ ଖେଳ ଉପରେ ଧ୍ୟାନ ଦେଉଛି। ପ୍ରତିଯୋଗିତା ସରିବା ପରେ ବୁଲିବାକୁ ଯିବି” ବୋଲି ଶ୍ରାବଣୀ କହିଛନ୍ତି।

Related story