ନୂଆଦିଲ୍ଲୀ: ହିନ୍ଦୀ ଖବର କାଗଜ ‘ସନ୍ ଷ୍ଟାର’ ନାଁରେ ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା କରିବେ ଟିମ୍ ଇଣ୍ଡିଆର ଅଧିନାୟକ ମହେନ୍ଦ୍ର ସିଂହ ଧୋନି।
୨୦୧୪ରେ ଇଂଲଣ୍ଡ ବିପକ୍ଷ ଏକ ଟେଷ୍ଟ୍ ମ୍ୟାଚ୍କୁ ଫିକ୍ସିଂ କରାଯାଇଥିଲା ଓ ଏଥିରେ ଧୋନି ସଂପୃକ୍ତ ଥିଲେ ବୋଲି ଏହି ଖବରକାଗଜ ଏକ ଷ୍ଟିଙ୍ଗ୍ ଅପରେସନ୍ ମାଧ୍ୟମରେ ଖବର ପ୍ରକାଶ କରିଥିଲା। ଏହି ଷ୍ଟିଙ୍ଗ୍ ଅପରେସନ୍ରେ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ସଂପାଦକ ସୁନୀଲ ଦେବ ଅଭିଯୋଗ କରିଥିଲେ ଯେ ୨୦୧୪ରେ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଫିକ୍ସିଂ ହୋଇଥିଲା। ପୁଣି ଏହି ପିକ୍ସିଂ କରି ଥିଲେ ଧୋନି।
ଏ ଖବର ପ୍ରକାଶିତ ହେବା ପରେ ଧୋନିଙ୍କ ଓକିଲ ଉକ୍ତ ଖବରକାଗଜକୁ ଏକ ଲିଗାଲ୍ ନୋଟିସ୍ ପଠାଇଛି। ଏଥିରେ କୁହାଯାଇଛି ଯେ ଧୋନିଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗକୁ କୋର୍ଟରେ ପ୍ରମାଣ କରାଯାଉ ନ ହେଲେ ଏହା ମିଛ ବୋଲି ଘୋଷଣା କରୁ । ଏ ଦୁଇଟି ମଧ୍ୟ କୌଣସିଟି ନ କଲେ ଉକ୍ତ ଖବରକାଗଜ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା କରାଯିବ ବୋଲି ଧୋନିଙ୍କ ଓକିଲ କହିଛନ୍ତି। ସେ କହିଛନ୍ତି, ଉକ୍ତ ଖବରକାଗଜକୁ ଏକ ୯ ପୃଷ୍ଠା ସମ୍ବଳିତ ନୋଟିସ୍ ପଠାଯାଇଛି। ଏଥିରେ ଷ୍ଟିଙ୍ଗ୍ ଅପରେସନ୍ର ସତ୍ୟତା ଉପରେ ମଧ୍ୟ ପ୍ରଶ୍ନ କରାଯାଇଛି। କାରଣ ସୁନୀଲ ଦେବ ଏହି ଘଟଣାକୁ ଅସ୍ୱୀକାର କରିଛନ୍ତି। ସେ ଧୋନିଙ୍କ ବିରୋଧରେ ଫିକ୍ସିଂ ନେଇ କୌଣସି ମନ୍ତବ୍ୟ ଦେଇ ନାହାନ୍ତି ବୋଲି କହିଛନ୍ତି।