୫ କୋଟି ଟଙ୍କାର ମାନହାନି ମାମଲା କଲେ ଦୂତି ଚାନ୍ଦ

Dutee Chand Olympian

Duti Chand

Manoranjan Sial
  • Published: Thursday, 02 September 2021
  • , Updated: 02 September 2021, 10:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୫ କୋଟି ଟଙ୍କାର ମାନହାନି ମାମଲା କଲେ ଅଲମ୍ପିଆନ୍‌ ଦୂତି ଚାନ୍ଦ। ଏକ ୱେବ୍‌ ମିଡ଼ିଆ ମୁଖ୍ୟ ସୁଧାଂଶୁ ଶେଖର ରାଉତ ଓ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ବିରୋଧରେ ଭୁବନେଶ୍ୱର କୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ଦୂତି। ଏପରିକି ସେ ଉଭୟଙ୍କ ବିରୋଧରେ ମହିଳା ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି।

ଦୂତି କହିଛନ୍ତି, ମୁଁ ଜଣେ କଣ୍ଟ୍ରୋଭର୍ସୀ ଗାର୍ଲ ବୋଲି ସମସ୍ତେ କୁହନ୍ତି। ପ୍ରତ୍ୟେକ ମୁହୂର୍ତ୍ତରେ ମୋତେ ସଂଘର୍ଷ କରିବାକୁ ପଡ଼ୁଛି। ଖାଲି ଟ୍ରାକ୍‌ ନୁହେଁ, ଟ୍ରାକ୍‌ ବାହାରେ ମୋତେ ସଂଘର୍ଷ କରିବାକୁ ପଡ଼େ। ଦୁଇ ବର୍ଷ ତଳେ ଅର୍ଥାତ ୨୦୧୯ ମସିହାରେ ମୋର ବ୍ୟକ୍ତିଗତ ଜୀବନକୁ ନେଇ ବହୁ ବିବାଦ କରାଯାଇଥିଲା। ତାକୁ ମୁଁ ସାମ୍ନା କରିଥିଲି। ଠିକ୍‌ ସେମିତି ଦୁଇ ବର୍ଷ ପରେ ପୁଣି ଥରେ ବ୍ୟକ୍ତିଗତ ଜୀବନକୁ ନେଇ ଗଣମାଧ୍ୟମରେ ମୋତେ ଲଜ୍ଜିତ କରାଯାଉଛି। ଯେଉଁ ପରିଶ୍ରମ କରି ମାନ ଓ ସମ୍ମାନ ଅର୍ଜନ କରିଛି, ତାକୁ କେତେକ କୁଚକ୍ରି ଗୋଷ୍ଠୀ ନଷ୍ଟ କରିଦେବାକୁ ଚେଷ୍ଟା କରୁଛନ୍ତି। ଏହା ବିରୋଧରେ ମୁଁ ମୁହଁ ଖୋଲିବାକୁ ବାଧ୍ୟ ହେଉଛି। ଟୋକିଓରୁ ଫେରିବା ପରେ ମଧ୍ୟ ସେହି ପ୍ରସଙ୍ଗକୁ ନେଇ ବାରମ୍ୱାର ଆଲୋଚନା କରାଯାଉଛି। ସୁଧାଂଶୁ ଶେଖର ରାଉତ ପ୍ରତି ମୁହୂର୍ତ୍ତରେ ମୋ ପରିବାର ଲୋକଙ୍କ ଉପରେ ଚାପ ପକାଇ ମୋ ବିରୋଧରେ ବିବାଦୀୟ ଖବର ପରିବେଷଣ କରୁଛନ୍ତି।”

ସେ ଆହୁରି କହିଛନ୍ତି-“ଟୋକିଓରେ ଖେଳ ଉପରେ ଫୋକ୍‌ସ କରୁଥିବା ବେଳେ ସୁଧାଂଶୁ ଶେଖର ରାଉତ ମୋତେ ମାନସିକ ନିର୍ଯାତନା ଦେଉଥିଲେ। ବ୍ଲାକ୍‌ମେଲିଂ କରୁଥିଲେ। ମୋ ସହିତ ବୁଝାମଣା କରିବା ପାଇଁ ଚାହୁଁଥିଲେ। ମୋ ପରିବାର କଣ କହୁଛନ୍ତି, ମୁଁ କଣ କହିବାକୁ ଚାହୁଁଛି ବୋଲି ପଚରୁ ଥିଲେ। ଏହାଛଡ଼ା ମୋ’ ଉପରେ ବିବାଦୀୟ ଲେଖା ଲେଖାଯାଉଛି। ଯେଉଁଥିପାଇଁ ମୋତେ ଅପମାନିତ ଓ ଲଜ୍ଜିତ ହେବାକୁ ପଡ଼ୁଛି। ଏହା ବିରୋଧରେ ମୁଁ ଆଇନ୍‌ର ଆଶ୍ରୟ ନେଇଛି। ସୁଧାଂଶୁ ସେଖର ରାଉତ ଓ ପ୍ରଦୀପ ପ୍ରଧାନଙ୍କ ନାଁରେ ଅଭିଯୋଗ କରିଛି।”

ଦୂତିଙ୍କ ଅଭିଯୋଗର ଜବାବ ଦେଇଛନ୍ତି ସୁଧାଂଶୁ ଓ ପ୍ରଦୀପ।

ସୁଧାଂଶୁ କହିଛନ୍ତି-“ସେ ୫ କୋଟି ଟଙ୍କା ମୋ ଠାରୁ କେବେ ଆଦାୟ କରିବେ, ତାହା ସମୟ କହିବ। ଦୂତି ଅଲମ୍ପିକ୍ସରେ ହାରିବା ପରେ ତାଙ୍କ ଭଉଣୀ ପ୍ରତିକ୍ରିୟା ଦେଇଥିଲେ। ତାକୁ ନେଇ ଆମେ ଖବର ପ୍ରସାରଣ କରିଥିଲୁ। ଆଉ ଦାୟୀତ୍ୱବାଦ ୱେବ ହିସାବରେ ତାଙ୍କ ପ୍ରତିକ୍ରିୟା ଚାହିଁଥିଲୁ। କିନ୍ତୁ ପ୍ରତିକ୍ରିୟା ବଦଳରେ ଏକ ଲକ୍ଷ ଟଙ୍କା ଚାନ୍ଦା ମାଗିବାର ସାଙ୍ଘାତି ଅଭିଯୋଗ ଲଗାଇଲେ।”

ସେପଟେ ପ୍ରଦୀପ ପ୍ରଧାନ କହିଛନ୍ତି-“ଦୂତି ଚାନ୍ଦ ଯେଉଁ ଅଭିଯୋଗ କରିଛନ୍ତି, ବାସ୍ତବରେ ସେଭଳି କିଛି ମାନହାନି ସୂଚକ ମନ୍ତବ୍ୟ ମୁଁ କେବେ ଦେଇନାହିଁ। ତାଙ୍କ ସମ୍ପର୍କରେ ମୁଁ ବିଶେଷ କିଛି ଜାଣିନାହିଁ। ଅଲମ୍ପିକ୍ସିରେ ତାଙ୍କର ଭଲ ପ୍ରଦର୍ଶନ ହୋଇନଥିବାରୁ ସୋଶାଲ୍‌ ମିଡିଆ ସେତେବେଳେ ଆଲୋଚନା କରିଥିଲେ। ବହୁ ଲୋକ ବହୁ କମେଣ୍ଟ ଦେଇଥିଲେ, ମୁଁ ମଧ୍ୟ ଦେଇଥିଲି।”

https://youtu.be/XUJXHglQwms

Related story