ଏଫଆଇଏଚ୍ ପ୍ରୋ-ଲିଗ୍‌: ଶକ୍ତିଶାଳୀ ବେଲଜିୟମକୁ ଭେଟିବ ଭାରତ

ଭୁବନେଶ୍ୱର: କିଛି ଦିନର ବିରତି ପରେ ପୁଣିଥରେ କଳିଙ୍ଗ ଷ୍ଟାଡିୟମକୁ ଫେରିଛି ହକି ଫିଭର୍। ଏଫଆଇଏଚ୍ ପ୍ରୋ ଲିଗରେ ଜବରଦସ୍ତ ଆରମ୍ଭ କରିଥିବା ଭାରତୀୟ ପୁରୁଷ ହକି ଟିମ୍ ଶନିବାର ଏଠାରେ ବିଶ୍ୱ ଚାମ୍ପିୟନ୍ ବେଲଜିୟମକୁ ଭେଟିବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ସିଜନରୁ ବାଦ୍ ପଡ଼ିବା ପରେ ଭାରତ ଚଳିତ ଲିଗରେ ପଦାର୍ପଣ କରି ନେଦରଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚରେ ୫ ପଏଣ୍ଟ ହାସଲ କରିଛି। ବିଶ୍ୱର ପାଞ୍ଚ ନମ୍ବର ଟିମ୍ ଭାରତ ପ୍ରଥମ ମ୍ୟାଚରେ ୫-୨ ଏବଂ ଦ୍ୱିତୀୟ […]

hockey

Ranjit Kumar Jena
  • Published: Friday, 07 February 2020
  • , Updated: 07 February 2020, 08:09 PM IST

ଭୁବନେଶ୍ୱର: କିଛି ଦିନର ବିରତି ପରେ ପୁଣିଥରେ କଳିଙ୍ଗ ଷ୍ଟାଡିୟମକୁ ଫେରିଛି ହକି ଫିଭର୍। ଏଫଆଇଏଚ୍ ପ୍ରୋ ଲିଗରେ ଜବରଦସ୍ତ ଆରମ୍ଭ କରିଥିବା ଭାରତୀୟ ପୁରୁଷ ହକି ଟିମ୍ ଶନିବାର ଏଠାରେ ବିଶ୍ୱ ଚାମ୍ପିୟନ୍ ବେଲଜିୟମକୁ ଭେଟିବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ସିଜନରୁ ବାଦ୍ ପଡ଼ିବା ପରେ ଭାରତ ଚଳିତ ଲିଗରେ ପଦାର୍ପଣ କରି ନେଦରଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚରେ ୫ ପଏଣ୍ଟ ହାସଲ କରିଛି।

ବିଶ୍ୱର ପାଞ୍ଚ ନମ୍ବର ଟିମ୍ ଭାରତ ପ୍ରଥମ ମ୍ୟାଚରେ ୫-୨ ଏବଂ ଦ୍ୱିତୀୟ ମ୍ୟାଚରେ ଶୁଟଆଉଟରେ ୩-୧ରେ ବିଜୟ ହାସଲ କରିଥିଲା। ଏହା ପରେ ଭାରତର କୌଣସି ମ୍ୟାଚ୍ ନଥିଲା ଏବଂ ଏହି କାରଣରୁ ଟିମ୍ ପଞ୍ଚମ ସ୍ଥାନରେ ରହିଛି। ବେଲଜିୟମ ୪ଟି ମ୍ୟାଚରୁ ୧୧ ପଏଣ୍ଟ ସହ ଶୀର୍ଷରେ ରହିଥିବା ବେଳେ ନେଦରଲ୍ୟାଣ୍ଡ୍ ୭ ପଏଣ୍ଟ ଦ୍ୱିତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ୬ ପଏଣ୍ଟ ସହ ତୃତୀୟ, ଜର୍ମାନୀ ଚତୁର୍ଥ ଏବଂ ଭାରତ ପଞ୍ଚମ ସ୍ଥାନରେ ରହିଛି। ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ନିଶ୍ଚିତ ଭାବେ ଭାରତର ମନୋବଳ ବଢ଼ାଇଛି। ଆସନ୍ତାକାଲି ବେଲଜିୟମ ବିପକ୍ଷରେ ଭାରତ ଏହି ଦୃଢ଼ ମନୋବଳ ସହ ମଇଦାନକୁ ଓହ୍ଲାଇବ।

ବେଲଜିୟମ ଟିମ୍ ୨୦୧୮ରେ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ୍ ଟାଇଟଲ୍ ଜିତିଥିଲା। ନିକଟରେ ବିଶ୍ୱ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆକୁ ହଟାଇ ଏକ ନମ୍ବର ସ୍ଥାନରେ ପହଞ୍ଚିଥିବା ବେଲଜିୟମ ଟିମ୍ ଯଥାକ୍ରମେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍ ହରାଇ ଭଲ ଫର୍ମରେ ରହିଛି। ବେଲଜିୟମ ଟିମର କ୍ୟାପଟେନ୍ ଥୋମାସ ବ୍ରିଏଲ୍ସ ସ୍ୱୀକାର କରିଛନ୍ତି ଯେ ଭାରତକୁ ହରାଇବା ଆମେ ପକ୍ଷେ କଷ୍ଟକର ହେବ। ଅନ୍ୟ ଟିମ୍ ତୁଳନାରେ ଭାରତ ସମ୍ପୂର୍ଣ୍ଣ ଭିନ୍ନ ପ୍ରତିଦ୍ୱନ୍ଦ୍ୱୀ। ପ୍ରଥମ ଦୁଇଟି ମ୍ୟାଚରେ ନେଦରଲ୍ୟାଣ୍ଡ୍ ଭଳି ମଜଭୁତ୍ ଟିମ୍ ବିପକ୍ଷରେ ଭାରତ ଭଲ ପ୍ରଦର୍ଶନ କରିଥିଲା। ତେଣୁ ଆମେ ଭାରତକୁ ଆଦୌ ହାଲୁକା ଭାବେ ନେବୁ ନାହୁଁ।

ବ୍ରିଏଲ୍ସ ଆହୁରି କହିଛନ୍ତି, "ଯେଉଁଠାରେ ଆମେ ଚାମ୍ପିୟନ୍ ହୋଇଥିଲୁ, ସେହି ସହରକୁ ଫେରି ଆମକୁ ଭଲ ଲାଗୁଛି । କାରଣ ଏଠାରେ ଆମର ଅନେକ ସ୍ମରଣୀୟ ମୁହୂର୍ତ୍ତ ଅଛି । କଳିଙ୍ଗ ଷ୍ଟାଡିୟମର ଟର୍ଫରେ ପାଦ ଦେବା ମାତ୍ରକେ ଏକ ଅଦ୍ଭୁତ ଅନୁଭୂତ ହୁଏ। ଏହା ବିଶ୍ୱର ସର୍ବଶ୍ରେଷ୍ଠ ଷ୍ଟାଡିୟମ ଏବଂ ଏଠାରେ ଆମର ରେକର୍ଡ ମଧ୍ୟ ବହୁତ ଭଲ ରହିଛି ।"

ଭାରତ ଓ ବେଲଜିୟମ ମଧ୍ୟରେ ଏଠାରେ ୧୦ଟି ମ୍ୟାଚ୍ ଖେଳାଯାଇଛି। ଯେଉଁଥିରୁ ଭ୍ରମଣକାରୀ ଟିମ୍ ୮ଟି ବିଜୟ ସହ ଆଗରେ ରହିଥିବା ବେଳେ ଦୁଇଟି ମ୍ୟାଚ୍ ଡ୍ର' ରହିଛି। ବେଲଜିୟମ ଟିମ୍ ବିପକ୍ଷରେ ଭାରତକୁ ସତର୍କ ରହିବାକୁ ପଡ଼ିବ। ବିଶେଷକରି ବେଲଜିୟମ ଆକ୍ରମଣକୁ ରୋକିବାକୁ ହେଲେ ଭାରତକୁ ଡିଫେନ୍ସ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ଟର୍ଫ ଟ୍ରାକରେ ବେଲଜିୟମ ଅଧିକ ଫାଷ୍ଟ ଖେଳିଥାଏ। ଘରୋଇ ମାଟିରେ ଦୁଇ ଓଡ଼ିଆ ଖେଳାଳି ଅମିତ୍ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଡ୍ରାଗ୍ ଫ୍ଲିକର ରୂପିନ୍ଦର ପାଲ୍ ସିଂହ ନିଜ ଅଭିଜ୍ଞତାର ଉପଯୋଗ କରିବାକୁ ପ୍ରୟାସ କରିବା ସହ ଗୋଲକିପର ପିଆର୍ ଶ୍ରୀଜେଶଙ୍କ ଉପରେ ଅତିରିକ୍ତ ଦାୟିତ୍ୱ ରହିବ।

ଭାରତ ତା'ର ପରବର୍ତ୍ତୀ ମ୍ୟାଚରେ ଅଷ୍ଟ୍ରେଲିଆକୁ ଫେବୃଆରୀ ୨୧ ଓ ୨୨ ତାରିଖରେ ଭେଟିବ। ଏହା ପରେ ଭାରତ ଏପ୍ରିଲ୍ ୨୫ ଓ ୨୬ ତାରିଖରେ ଜର୍ମାନୀକୁ, ମେ' ୨ ଓ ୩ ତାରିଖରେ ଗ୍ରେଟ୍ ବ୍ରିଟେନକୁ, ଜୁନ୍ ୫ ଓ ୬ ତାରିଖରେ ଆର୍ଜେଣ୍ଟିନାକୁ ଏବଂ ଜୁନ୍ ୧୩ ଓ ୧୪ ତାରିଖରେ ସ୍ପେନକୁ ଭେଟିବ।

Related story