ରିଓ ଅଲିମ୍ପିକ୍‌: ଅଷ୍ଟ୍ରେଲିଆ ଦଳ ରହଣିସ୍ଥଳରେ ଲାଗିଲା ନିଆଁ; ଖେଳାଳି ସୁରକ୍ଷିତ

ରିଓ ଡି ଜେନେରିଓ: ବ୍ରାଜିଲର ରିଓ ଡି ଜେନେରିଓରେ ହେବାକୁ ଥିବା ଅଲିମ୍ପିକ୍‌କୁ ଆଉ ମାତ୍ର ୬ ଦିନ ବାକି ଥିବାବେଳେ ଆଜି ଏକ ଦୁର୍ଘଟଣା ଘଟିଛି। ବ୍ରାଜିଲରେ ଡେରା ପକାଇଥିବା ଅଷ୍ଟ୍ରେଲିଆ ଦଳ ରହୁଥିବା ରହଣିସ୍ଥଳର ତଳ ମହଲାରେ ନିଆଁ ଲାଗିଯାଇଛି। ନିଆଁ ସହ ପ୍ରବଳ ଧୂଆ ବାହାରିବାରୁ ଦଳକୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅଷ୍ଟ୍ରେଲିଆ ଅଲିମ୍ପିକ୍‌ ଦଳର ମୁଖପାତ୍ର ମାଇକ୍‌ ଟାକ୍‌କ୍ରେଡ କହିଛନ୍ତି,“ଅଲିମ୍ପିକ୍‌ ଗାଁରେ ଆଜି ନିଆଁ ଲାଗିଥିବା ବିଲ୍ଡିଂରୁ ୧୦୦ ଜଣ […]

fire break in olympic village

Rakesh Mallick
  • Published: Saturday, 30 July 2016
  • , Updated: 30 July 2016, 06:40 PM IST

ରିଓ ଡି ଜେନେରିଓ: ବ୍ରାଜିଲର ରିଓ ଡି ଜେନେରିଓରେ ହେବାକୁ ଥିବା ଅଲିମ୍ପିକ୍‌କୁ ଆଉ ମାତ୍ର ୬ ଦିନ ବାକି ଥିବାବେଳେ ଆଜି ଏକ ଦୁର୍ଘଟଣା ଘଟିଛି। ବ୍ରାଜିଲରେ ଡେରା ପକାଇଥିବା ଅଷ୍ଟ୍ରେଲିଆ ଦଳ ରହୁଥିବା ରହଣିସ୍ଥଳର ତଳ ମହଲାରେ ନିଆଁ ଲାଗିଯାଇଛି। ନିଆଁ ସହ ପ୍ରବଳ ଧୂଆ ବାହାରିବାରୁ ଦଳକୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଅଷ୍ଟ୍ରେଲିଆ ଅଲିମ୍ପିକ୍‌ ଦଳର ମୁଖପାତ୍ର ମାଇକ୍‌ ଟାକ୍‌କ୍ରେଡ କହିଛନ୍ତି,“ଅଲିମ୍ପିକ୍‌ ଗାଁରେ ଆଜି ନିଆଁ ଲାଗିଥିବା ବିଲ୍ଡିଂରୁ ୧୦୦ ଜଣ ଅଷ୍ଟେଲୀୟ ଆଥ୍‌ଲେଟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଅଷ୍ଟ୍ରେଲୀୟ ଦଳ ରହୁଥିବା ବିଲ୍ଡିଂର କାର ପାର୍କିଂ ସ୍ଥଳରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଏଥିରେ କୌଣସି ଅଷ୍ଟ୍ରେଲୀୟ ଆଥ୍‌ଲେଟ୍‌ ଆହତ ହୋଇ ନାହାନ୍ତି।”

ସେ କହିଛନ୍ତି,“ ନିଆଁ ଲିଭିବାର ୩୦ମିନିଟ ପରେ ଟିମ୍‌ର କର୍ମକର୍ତ୍ତାମାନେ ନିଜ ନିଜ ରୁମକୁ ଫେରିଛନ୍ତି।”

ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ବିଶ୍ୱକ୍ରୀଡ଼ା ମହାକୁମ୍ଭ ପାଇଁ ଅଲିମ୍ପିକ୍‌ ଗାଁରେ ୩୧ଟି ବିଲ୍ଡିଂରେ ପ୍ରାୟ ୧୮,୦୦୦ ଆଥ୍‌ଲେଟ୍‌ ରହିଛନ୍ତି।

ପୂର୍ବରୁ ଜିକା ଭାଇରସ୍‌, ଜଳ ପ୍ରଦୂଷଣ, ଅପରାଧିକ ବାତାବରଣ ଓ ଧୀମା ଟିକେଟ୍ ବିକ୍ରି ଯୋଗୁଁ ବ୍ରାଜିଲ ସମାଲୋଚନାର ଶରବ୍ୟ ହୋଇଥିବାବେଳେ ଆଜିର ଘଟଣା ପୁଣିଥରେ ଚର୍ଚ୍ଚାକୁ ଟାଣି ଆଣିଛି।

ଅନ୍ୟ ପକ୍ଷରେ ବିଭିନ୍ନ କାରଣ ଯଥା ଅସ୍ୱାସ୍ଥ୍ୟକର ଗ୍ୟାସ, ଜଳଯୋଗାଣ ଓ ବିଦ୍ୟୁତକରଣ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଅସୁବିଧା ଥିବା କାରଣ ଦର୍ଶାଇ ଅଷ୍ଟ୍ରେଲୀଆ ଦଳ ଏହି ବିଲ୍ଡିଂରେ ରହିବାକୁ ମନା କରିଥିଲା। ବହୁ ଅନ୍ୟ ଦେଶ ମଧ୍ୟ ଏହି କାରଣ ଦର୍ଶାଇ ରହିବାକୁ ମନା କରିଥିଲେ।

କିନ୍ତୁ ରିଓ କର୍ମକର୍ତ୍ତା ଗୁରବାର ଏହି କମ୍ପାଉଣ୍ଡ ସୁରକ୍ଷିତ ଓ ରହିବାଯୋଗ୍ୟ ବୋଲି କହିଥିଲେ। ଏହାପୂର୍ବରୁ ବିଭିନ୍ନ ଅଭିଯୋଗର ସମାଧାନ କରାଯାଇଛି ବୋଲି କର୍ମକର୍ତ୍ତା କହିଥିଲେ।ଏହାପରେ ଗତ ରବିବାର ଦିନ ଅଲିମ୍ପିକ୍‌ ଗାଁକୁ ଆଥଲେଟ୍‌ଙ୍କ ପାଇଁ ଖୋଲା ଯାଇଥିଲା। ବୁଧବାର ଦିନ ଅଷ୍ଟ୍ରେଲିଆ ସମେତ ବହୁ ରାଷ୍ଟ୍ରର ଖେଳାଳି ସେଠାରେ ରହିଥିଲେ।

Related story