ନୂଆଦିଲ୍ଲୀ: ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର୍ ସିରିଜ୍ ପାଇଁ ସୋମବାର ଭାରତୀୟ ଦଳର ଘୋଷଣା କରାଯାଇଛି। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଇନଫର୍ମ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି। ତେବେ ଟିମକୁ ପେସ୍ ବୋଲର ଯଶପ୍ରୀତ ବୁମ୍ରା ଓ ବାମହାତୀ ଓପ୍ନର ଶିଖର ଧୱନ୍ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦୁହେଁ ଆହତ କାରଣରୁ ଟିମରୁ ବାଦ୍ ପଡ଼ିଥିଲେ। ୨୦୧୯ ବିଶ୍ୱକପ୍ ପରଠାରୁ ଲଗାତାର କ୍ରିକେଟ୍ ଖେଳିଆସୁଥିବା ରୋହିତ୍ କେବଳ ଟି-୨୦ ସିରିଜ୍ ପାଇଁ ବିଶ୍ରାମ ନେଇଛନ୍ତି। ତେବେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ତାଙ୍କୁ ଟିମରେ ସାମିଲ୍ କରାଯାଇଛି।
ରୋହିତଙ୍କ ଭଳି ଲଗାତାର କ୍ରିକେଟ୍ ଖେଳିଆସୁଥିବା ମହମ୍ମଦ ଶାମିଙ୍କୁ ମଧ୍ୟ ଏହି ଦୁଇଟି ସିରିଜରୁ ବିଶ୍ରାମ ଦିଆଯାଇଛି। ପିଠିରେ 'ଷ୍ଟ୍ରେସ୍ ଫ୍ରାକଚର୍' କାରଣରୁ ବୁମ୍ରା ଟିମରୁ ବାହାରେ ଥିଲେ। ସେହିପରି ଧୱନ୍ ସୟଦ ମୁସ୍ତାକ୍ ଅଲୀ ଟ୍ରଫିରେ ମହାରାଷ୍ଟ୍ର ବିପକ୍ଷ ମ୍ୟାଚରେ ଆଣ୍ଠୁରେ ଆଘାତ ପାଇଥିଲେ। ଆଘାତ ଏତେ ଗୁରୁତର ଥିଲା ଯେ ତାଙ୍କ ଆଣ୍ଠୁରେ ୨୫ଟି ଷ୍ଟିଚ୍ ପଡ଼ିଥିଲା। ତେବେ ବର୍ତ୍ତମାନ ଉଭୟ ବୁମ୍ରା ଓ ଧୱନ୍ ପୂରା ଫିଟ୍ ହୋଇସାରିଛନ୍ତି। ଜାତୀୟ ଚୟନକର୍ତ୍ତା ମୁଖ୍ୟ ଏମଏସକେ୍ ପ୍ରସାଦଙ୍କର ଏହା ଶେଷ ଚୟନକମିଟି ବୈଠକ ଥିଲା।
ଜାନୁଆରୀ ୫ ତାରିଖରୁ ଭାରତ ଶ୍ରୀଲଙ୍କା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ଏହା ପରେ ଜାନୁଆରୀ ୧୪ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ଆରମ୍ଭ ହେବ। ବୁମ୍ରା ଓ ଧୱନ୍ ଟିମକୁ ପ୍ରତ୍ୟାବର୍ତ୍ତନ କଲେ, କିନ୍ତୁ ଅନ୍ୟତମ ପେସ୍ ବୋଲର ଦୀପକ ଚହର ଆହତ କାରଣରୁ ବାଦ୍ ପଡ଼ିଛନ୍ତି। ଦୀପକ ମଧ୍ୟ ଆସନ୍ତାବର୍ଷ ଆଇପିଏଲର ପ୍ରାରମ୍ଭିକ ମ୍ୟାଚରୁ ମଧ୍ୟ ବାଦ୍ ପଡ଼ିପାରନ୍ତି। ଚହରଙ୍କ ବାଦ୍ ପଡ଼ିବା ଦ୍ୱାରା ନଭଦୀପ ସାଇନିଙ୍କୁ ପୁଣିଥରେ ସୁଯୋଗ ମିଳିଛି।
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ଜିତିବା ପରେ ଟିମ୍ ଇଣ୍ଡିଆ ୨୦୨୦ରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ଖେଳି ନୂଆ ବର୍ଷ ଆରମ୍ଭ କରିବ। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚ୍ ଗୌହାଟୀରେ ଖେଳାଯିବ। ଏହାପରେ ୭ ତାରିଖରେ ଦ୍ୱିତୀୟ ମ୍ୟାଚ୍ ଇନ୍ଦୋର ଏବଂ ୯ ତାରିଖରେ ତୃତୀୟ ମ୍ୟାଚ୍ ପୁଣେରେ ଖେଳାଯିବ। ଏହା ପରେ ୧୪ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବ। ସିରିଜର ପ୍ରଥମ ମ୍ୟାଚ୍ ମୁମ୍ବାଇରେ ଖେଳାଯିବାକୁ ଥିବା ବେଳେ ୧୭ ତାରିକରେ ରାଜକୋଟରେ ଦ୍ୱିତୀୟ ମ୍ୟାଚ୍ ଏବଂ ୧୯ ତାରିଖରେ ବେଙ୍ଗାଲୁରୁରେ ତୃତୀୟ ମ୍ୟାଚ୍ ଖେଳାଯିବ।
ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ପାଇଁ ସ୍କ୍ୱାଡ୍: ବିରାଟ୍ କୋହଲି (କ୍ୟାପଟେନ୍), ଶିଖର ଧୱନ୍, ଲୋକେଶ ରାହୁଲ୍, ଶ୍ରେୟସ୍ ଆୟର୍, ଋଷଭ ପନ୍ତ (ୱିକେଟକିପର), ରବୀନ୍ଦ୍ର ଜାଡେଜା, ଶିବମ ଦୁବେ, ୟୁଜବେନ୍ଦ୍ର ଚହଲ୍, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ନଭଦୀପ ସାଇନି, ଶାର୍ଦ୍ଦୁଲ ଠାକୁର, ମନିଷ ପାଣ୍ଡେ, ୱାଶିଂଟନ୍ ସୁନ୍ଦର, ସଞ୍ଜୁ ସାମସନ୍।
ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ସ୍କ୍ୱାଡ୍: ବିରାଟ୍ କୋହଲି (କ୍ୟାପଟେନ୍), ଶିଖର ଧୱନ୍, ରୋହିତ୍ ଶର୍ମା, ଲୋକେଶ ରାହୁଲ୍, ଶ୍ରେୟସ୍ ଆୟର୍, ମନିଷ ପାଣ୍ଡେ, ଋଷଭ ପନ୍ତ (ୱିକେଟକିପର), କେଦାର ଯାଦବ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍, ନଭଦୀପ ସାଇନି, ଶାର୍ଦ୍ଦୁଲ ଠାକୁର, ଯଶପ୍ରୀତ ବୁମ୍ରା।