ନୂଆ ବର୍ଷରେ ଚମକିବେ ଏହି ୫ ତାରକା

କୋଲକାତା: ବିଦାୟ ନେଇଛି ୨୦୧୯ ଏବଂ ୨୦୨୦କୁ ସ୍ୱାଗତ କରାଯାଇଛି। ୨୦୧୯ ଭାରତୀୟ କ୍ରୀଡ଼ା ପାଇଁ ଥିଲା ସଫଳତାର ବର୍ଷ। ତେବେ ୨୦୨୦ ଭାରତୀୟ କ୍ରୀଡ଼ା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। କ୍ରିକେଟଠାରୁ ଆରମ୍ଭ କରି ଅନ୍ୟ କ୍ରୀଡ଼ା ଗୁଡ଼ିକରେ ଭାରତ ପାଖରେ ସଫଳତା ହାସଲ କରିବାର ଭଲ ସୁଯୋଗ ରହିଛି। ତେବେ ୨୦୨୦ରେ ଭାରତର କେଉଁ କ୍ରୀଡ଼ାବିତ୍ ନିଜ ନିଜର ପ୍ରଦର୍ଶନ ଦ୍ୱାରା ଦେଶକୁ ଗୌରବାନ୍ୱିତ କରିବେ, ଆସନ୍ତୁ ନଜର ପକାଇବା। ଶ୍ରେୟସ […]

india-sports

Ranjit Kumar Jena
  • Published: Wednesday, 01 January 2020
  • , Updated: 01 January 2020, 06:10 PM IST

କୋଲକାତା: ବିଦାୟ ନେଇଛି ୨୦୧୯ ଏବଂ ୨୦୨୦କୁ ସ୍ୱାଗତ କରାଯାଇଛି। ୨୦୧୯ ଭାରତୀୟ କ୍ରୀଡ଼ା ପାଇଁ ଥିଲା ସଫଳତାର ବର୍ଷ। ତେବେ ୨୦୨୦ ଭାରତୀୟ କ୍ରୀଡ଼ା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। କ୍ରିକେଟଠାରୁ ଆରମ୍ଭ କରି ଅନ୍ୟ କ୍ରୀଡ଼ା ଗୁଡ଼ିକରେ ଭାରତ ପାଖରେ ସଫଳତା ହାସଲ କରିବାର ଭଲ ସୁଯୋଗ ରହିଛି। ତେବେ ୨୦୨୦ରେ ଭାରତର କେଉଁ କ୍ରୀଡ଼ାବିତ୍ ନିଜ ନିଜର ପ୍ରଦର୍ଶନ ଦ୍ୱାରା ଦେଶକୁ ଗୌରବାନ୍ୱିତ କରିବେ, ଆସନ୍ତୁ ନଜର ପକାଇବା।

ଶ୍ରେୟସ ଆୟର୍ (କ୍ରିକେଟ୍‌): ୨୦୧୯ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ ପାଇଁ ଚତୁର୍ଥ ସ୍ଥାନ ବ୍ୟାଟିଂକ୍ରମକୁ ନେଇ ଚିନ୍ତା ଜାରି ରହିଥିଲା। ଏପରିକି ଆଇସିସି ବିଶ୍ୱକପରେ ଚତୁର୍ଥ ସ୍ଥାନର ବିଫଳତା ଭାରତ ପାଇଁ କାଳ ହୋଇଥିଲା । କିନ୍ତୁ ଯେବେଠାରୁ ଶ୍ରେୟସ ଆୟର ଏହି ସ୍ଥାନରେ ବ୍ୟାଟିଂ କରିବାକୁ ଆସିଲେଣି, ଭାରତର ଚିନ୍ତା ଅନେକ ମାତ୍ରାରେ ଦୂର ହୋଇଛନ୍ତି। ଆଇପିଏଲ୍ ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍ ଆୟର୍ ୨୦୧୯ ବିଶ୍ୱକପ୍ ପରେ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଟିମରେ ସାମିଲ୍ ହୋଇଥିଲେ। ସେ ଦିନିକିଆରେ ଚତୁର୍ଥ ସ୍ଥାନରେ ଜବରଦସ୍ତ ବ୍ୟାଟିଂ କରି ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି। ୨୦୨୦ରେ ଭାରତୀୟ କ୍ରିକେଟ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ବର୍ଷ ଥିବାରୁ ଆୟରଙ୍କ ଉପରେ ଅତିରିକ୍ତ ଚାପ ରହିବ। ଭାରତ ଚଳିତ ବର୍ଷ ଟି-୨୦ ବିଶ୍ୱକପ୍ ଖେଳିବ। ଟି-୨୦ ବିଶ୍ୱକପ୍ ବ୍ୟତୀତ ଭାରତ ଚଳିତମାସରେ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ମଧ୍ୟ କରିବ। ତେଣୁ ଏହି ସିରିଜ୍ ଜରିଆରେ ଆୟର୍ ଭଲ ପ୍ରଦର୍ଶନ କରି ନିଜ ସ୍ଥାନକୁ କାଏମ ରଖିବାକୁ ପ୍ରୟାସ କରିବେ।

ସୌରଭ ଚୌଧୁରୀ (ଶୁଟିଂ): ସୌରଭଙ୍କ ପାଇଁ ୨୦୧୯ ବେଶ୍ ସଫଳ ରହିଥିଲା। ଏହି ବର୍ଷ ସେ ଆଇଏସଏସଏଫ୍ ବିଶ୍ୱକପରେ ବିଶ୍ୱ ରେକର୍ଡ ସ୍ଥାପନ କରିବା ସହ ଟୋକିଓ ଅଲିମ୍ପିକକୁ ଟିକେଟ୍ କାଟିଥିଲେ। ସୌରଭ ମଧ୍ୟ ମନୁ ଭାକରଙ୍କ ସହ ମିଶି ମିକ୍ସଡ୍ ଯୋଡ଼ି ଇଭେଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। ମ୍ୟୁନିକ୍ ବିଶ୍ୱକପରେ ସେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ରିଓ ଡି ଜେନେରୋରେ ବ୍ୟକ୍ତିଗତ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏହାବ୍ୟତୀତ ଯଶସ୍ୱିନୀ ସିଂହ ଦେଶୱାଲଙ୍କ ସହ ମିଶି ଏସିଆନ୍ ଶୁଟିଂ ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତିଥିଲେ। ଉତ୍ତର ପ୍ରଦେଶର ଏହି ଯୁବ ଶୁଟର ଜଣକ ନିଜର ଏହି ପ୍ରଦର୍ଶନ ଦ୍ୱାରା ଦେଶକୁ ଗୌରବାନ୍ୱିତ କରିଛନ୍ତି। ତେଣୁ ଚଳିତ ବର୍ଷ ଅଲିମ୍ପିକ୍ସ ଏବଂ ଅନ୍ୟ ଇଭେଣ୍ଟ ଗୁଡ଼ିକରେ ସେ ଭଲ ପ୍ରଦର୍ଶନ କରି ଦେଶ ପାଇଁ ଆହୁରି ସଫଳତା ଆଣିବାକୁ ଚାହିଁବେ।

ଭିନେଶ ଫୋଗାଟ୍ (ରେସଲିଂ): ଭାରତର ଏହି ଶୀର୍ଷ ମହିଳା ରେସଲର୍ ଜଣକ ୨୦୧୯ରେ ରୁଷରେ ଆୟୋଜିତ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିଲେ। ସେ ବ୍ରୋଞ୍ଜ ପଦକ ମୁକାବିଲରରେ ଗ୍ରୀସର ମାରିଆ ପ୍ରିଭୋଲାରାକିଙ୍କୁ ୪-୧ରେ ହରାଇ ଏହି ସଫଳତା ଅର୍ଜନ କରିଥିଲେ। ଏହି ପଦକ ସହ ସେ ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଥିଲେ। ସେ ମଧ୍ୟ ପ୍ରଥମ ଭାରତୀୟ ମହିଳା ରେସଲର୍ ଭାବେ ବିଶ୍ୱ ଚାମ୍ପିୟନଶିପ୍ ଜରିଆରେ ଟୋକିଓ ଟିକେଟ୍ କାଟିଥିଲେ। ଚଳିତ ବର୍ଷ ଅଲିମ୍ପିକ୍ସ ଆୟୋଜିତ ହେବ। ଯେହେତୁ ବର୍ତ୍ତମାନ ସାକ୍ଷୀତ ମଲିକ୍ ଭଲ ପ୍ରଦର୍ଶନ ପାଇଁ ସଂଘର୍ଷ କରୁଛନ୍ତି, ତେଣୁ ଅଲିମ୍ପିକ୍ସରେ ଭିନେଶଙ୍କ ଉପରେ ସମସ୍ତଙ୍କ ନଜର ରହିବ।

ଅମିତ୍ ପଙ୍ଘାଲ (ବକ୍ସିଂ): ଅମିତ୍ ପଙ୍ଘାଲଙ୍କ ସ୍ଥିର ପ୍ରଦର୍ଶନ ତାଙ୍କୁ ଦେଶର ଅନ୍ୟତମ ଶ୍ରେଷ୍ଠ ବକ୍ସର ଭାବେ ବିବେଚିତ କରିଛି। ଅମିତ୍ ନିଜ ଓଜନ ବର୍ଗକୁ ୪୮ କେଜିରୁ ୫୧ କେଜିରେ ପରିଣତ କରିଥିଲେ, କିନ୍ତୁ ଏହା ତାଙ୍କ ପ୍ରଦର୍ଶନ ଉପରେ ଆଦୌ ପ୍ରଭାବ ପକାଇ ନାହିଁ। ୨୩ ବର୍ଷୀୟ ଏହି ଯୁବ ବକ୍ସର ଜଣକ ପୁରୁଷ ବିଶ୍ୱ ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତି ଇତିହାସ ରଚିଥିଲେ। ସେ ପ୍ରଥମ ଭାରତୀୟ ପୁରୁଷ ବକ୍ସର ଭାବେ ରୌପ୍ୟ ପଦକ ପାଇଥିଲେ। ଫାଇନାଲରେ ଅମିତ୍ ଉଜବେକିସ୍ତାନର ଶାଖୋବିଦିନ ଜୋଇରୋଭଙ୍କ ନିକଟରୁ ପରାସ୍ତ ହୋଇଥିଲେ। ୨୦୧୯ରେ ସେ ଏସିଆନ୍ ଚାମ୍ପିୟନଶିପରେ ୫୨ କେଜି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ମଧ୍ୟ ହୋଇଥିଲେ। ୨୦୨୦ ଟୋକିଓ ଅଲିମ୍ପିକ୍ସରେ ସେ ଭାରତକୁ ବକ୍ସିଂରେ ପଦକ ଦେଇପାରନ୍ତି।

ଜି. ସାଥିୟାନ୍ (ଟେବୁଲ୍ ଟେନିସ୍‌): ଅଲିମ୍ପିକ୍ସରେ ଟେବୁଲ୍ ଟେନିସରେ ଭାରତର ଇତିହାସ ଆଦୌ ଭଲ ରହିନାହିଁ। କିନ୍ତୁ ବିଗତ ବର୍ଷ ଗୁଡ଼ିକରେ ସାଥିୟାନଙ୍କ ଆବିର୍ଭାବ ପରଠାରୁ ଭାରତର ଟେବୁଲ୍ ଟେନିସରେ ଅନେକ ପରିବର୍ତ୍ତନ ଆସିଛି। ୨୦୧୯ରେ ସାଥିୟାନ୍ ନିଜ ଦେଶର ସବୁଠାରୁ ଅଭିଜ୍ଞ ଖେଳାଳି ଶରତ କମଲଙ୍କୁ ପଛରେ ପକାଇଥିଲେ। ସେ ପ୍ରଥମ ଭାରତୀୟ ଭାବେ ଆଇଟିଟିଏଫ୍ ରାଙ୍କିଙ୍ଗରେ ଟପ୍‌-୨୫ରେ ପ୍ରବେଶ କରିଥିଲେ। ୨୦୧୯ରେ ସେ ଟପ୍‌-୨୦ରେ ଥିବା କିଛି ଖେଳାଳିଙ୍କୁ ହରାଇଥିଲେ, ଯେଉଁଥିରେ ବିଶ୍ୱର ପାଞ୍ଚ ନମ୍ବର ଖେଳାଳି ତଥା ଜାପାନର ହାରିମୋତେ ତୋମୋକାଜୁ ହରାଇଥିଲେ। ସାଥିୟାନ୍ ମଧ୍ୟ ଏସିଆନ୍ କପରେ ଷଷ୍ଠ ସ୍ଥାନରେ ରହି ଇତିହାସ ରଚିବା ସହ ବିଶ୍ୱକପକୁ ମଧ୍ୟ କ୍ୱାଲିଫାଏ କରିଥିଲେ। ଯଦି ସାଥିୟାନ୍ ନିଜର ଏହି ପ୍ରଦର୍ଶନ କାଏମ ରଖନ୍ତି, ତାହେଲେ ଟୋକିଓରେ ସେ ନିଶ୍ଚିତ ପଦକ ଜିତିପାରିବେ।

Related story