ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶବାସୀ ସାମାଜିକ ଦୂରତା ନିୟମ ମାନି ଏବେ ଘରେ ରହୁଛନ୍ତି। ଏହାରି ଭିତରେ ଦେଶବାସୀ ଫଟାଫଟ କ୍ରିକେଟର ମଜା ଘରେ ରହି ନେଇପାରିବେ। କାରଣ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ପରବର୍ତ୍ତୀ ସଂସ୍କରଣ ଚଳିତ ବର୍ଷ ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି। ନଭେମ୍ବର ୮ ତାରିଖ ରହିଛି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍। ଶୁକ୍ରବାର ଆଇପିଏଲ୍ ଚେୟାରମ୍ୟାନ୍ ବ୍ରିଜେଶ ପଟେଲ ଆଇପିଏଲ ମ୍ୟାଚକୁ ନେଇ ଲାଗି ରହିଥିବା ସସପେନ୍ସର ଉତ୍ତର ଦେଇ ଏହା ସ୍ପଷ୍ଟ କରିଛନ୍ତି।
ଆସନ୍ତା ସପ୍ତାହରେ ଆଇପିଏଲ୍ ଗଭର୍ଣ୍ଣିଂ କମିଟିର ବୈଠକ ହେବ ବୋଲି ଆକଳନ କରାଯାଉଛି। ଏହି ବୈଠକରେ ମ୍ୟାଚର ସମସ୍ତ କାର୍ଯ୍ୟସୂଚୀ ବାବଦରେ ଆଲୋଚନା ହେବ।
ବ୍ରଜେଶ ପଟେଲ ଆହୁରି କହିଛନ୍ତି, ଟୁର୍ଣ୍ଣାମେଣ୍ଟ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ମିଳିବ ବୋଲି ଆଶା ରହିଛି। ୫୧ ଦିନ ପାଇଁ ମ୍ୟାଚ ଚାଲିବ। କରୋନା ମହାମାରୀର ବିପଦରୁ ରକ୍ଷା ପାଇବା ପାଇଁ ଏସଓପି ପ୍ରସ୍ତୁତ ସରିଛି। ଆଉ କିଛି ବାକି ରହିଛି। ତେବେ ଆଇପିଏଲ୍ ପାଇଁ ଷ୍ଟାଡିୟମକୁ ଦର୍ଶକ ଆସିବେ କି ନାହିଁ, ତାହା ଉପରେ ୟୁଏଇ ସରକାର ନିଷ୍ପତ୍ତି ନେବ।
ସୂଚନାଯୋଗ୍ୟ, ୟୁଏଇରେ ତିନୋଟି ଷ୍ଟାଡିୟମ ରହିଛି। ସେଗୁଡ଼ିକ ହେଲା ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ, ଶେଖ ଜାୟେଦ୍ ଷ୍ଟାଡିୟମ (ଆବୁଧାବି) ଓ ଶାରଜା ଷ୍ଟାଡିୟମ।
ଦୁବାଇରେ ବର୍ତ୍ତମାନ ନିୟମ ଅନୁଯାୟୀ, ଯଦି କେହି ବ୍ୟକ୍ତି ନିଜର କରୋନା ପରୀକ୍ଷଣ ରିପୋର୍ଟ ନେଗେଟିଭ୍ ସହ ଆସିବ, ତାହେଲେ ତାଙ୍କୁ କ୍ୱାରେଣ୍ଟାଇନରେ ରହିବାର ଆବଶ୍ୟକତା ନାହିଁ। କିନ୍ତୁ ଯଦି ଏଭଳି ନହୁଏ, ତାହେଲେ ତାଙ୍କୁ ଟେଷ୍ଟ କରିବାକୁ ପଡ଼ିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।