ପନ୍ତଙ୍କ ବଦଳରେ କାର୍ତ୍ତିକଙ୍କୁ ବିଶ୍ୱକପ୍‌ ପାଇଁ ଅଧିକ ପସନ୍ଦ କଲେ ଗାଭାସ୍କର

ନୂଆଦିଲ୍ଲୀ: ବିଶ୍ୱକପ୍‌ ପାଇଁ ଜଣଙ୍କ ପରେ ଜଣେ କିମ୍ବଦନ୍ତୀ କ୍ରିକେଟ୍‌ର ସେମାନଙ୍କ ପସନ୍ଦର ଭାରତୀୟ ଖେଳାଳି ଚୟନ କରିବା ଆରମ୍ଭ କରିଛନ୍ତି। ଏହିକ୍ରମରେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ମଧ୍ୟ ବିଶ୍ୱକପ୍‌କୁ କେଉଁ ଖେଳାଳିମାନେ ଯିବା ଦରକାର, ସେକଥା କହିଛନ୍ତି। ତେବେ ଅଧିକାଂଶ କ୍ରିକେଟ୍‌ ପଣ୍ଡିତମାନେ ରିଷଭ ପନ୍ତ ବିଶ୍ୱକପ୍‌ ଟିମ୍‌ରେ ରହିବା ଦରକାର ବୋଲି କହୁଥିଲେ ହେଁ ଗାଭାସ୍କର କିନ୍ତୁ ଭିନ୍ନ କଥା କହିଛନ୍ତି। ସେ ପନ୍ତଙ୍କ ବଦଳରେ ଦୀନେଶ କାର୍ତ୍ତିକ ବିଶ୍ୱକପ୍‌ ଟିମ୍‌ରେ ରହିବା […]

dk

Hemant Lenka
  • Published: Saturday, 16 February 2019
  • , Updated: 16 February 2019, 06:24 PM IST

ନୂଆଦିଲ୍ଲୀ: ବିଶ୍ୱକପ୍‌ ପାଇଁ ଜଣଙ୍କ ପରେ ଜଣେ କିମ୍ବଦନ୍ତୀ କ୍ରିକେଟ୍‌ର ସେମାନଙ୍କ ପସନ୍ଦର ଭାରତୀୟ ଖେଳାଳି ଚୟନ କରିବା ଆରମ୍ଭ କରିଛନ୍ତି। ଏହିକ୍ରମରେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ମଧ୍ୟ ବିଶ୍ୱକପ୍‌କୁ କେଉଁ ଖେଳାଳିମାନେ ଯିବା ଦରକାର, ସେକଥା କହିଛନ୍ତି। ତେବେ ଅଧିକାଂଶ କ୍ରିକେଟ୍‌ ପଣ୍ଡିତମାନେ ରିଷଭ ପନ୍ତ ବିଶ୍ୱକପ୍‌ ଟିମ୍‌ରେ ରହିବା ଦରକାର ବୋଲି କହୁଥିଲେ ହେଁ ଗାଭାସ୍କର କିନ୍ତୁ ଭିନ୍ନ କଥା କହିଛନ୍ତି।

ସେ ପନ୍ତଙ୍କ ବଦଳରେ ଦୀନେଶ କାର୍ତ୍ତିକ ବିଶ୍ୱକପ୍‌ ଟିମ୍‌ରେ ରହିବା ଅଧିକ ଜରୁରୀ ବୋଲି କହିଛନ୍ତି। ଗାଭାସ୍କର ଆଜି ଏକଥା କହିଥିଲେ ହେଁ ଦୀନେଶ କାର୍ତ୍ତିକଙ୍କୁ ବିସିସିଆଇ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରୁ ବାଦ୍‌ ଦେବା ଘଟଣା ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି। କାର୍ତ୍ତିକଙ୍କ ବଦଳରେ ବିସିସିଆଇ ଉଭୟ ପନ୍ତ ଓ କେଏଲ୍‌ ରାହୁଲଙ୍କୁ ୧୫ ଜଣିଆ ସ୍କ୍ୱାଡରେ ସାମିଲ କରିଛି। ପନ୍ତ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ଥିଲେ। ଏବେ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରେ ସାମିଲ କରାଯାଇଛି।

ଗାଭାସ୍କର କାର୍ତ୍ତିକଙ୍କୁ ଉଭୟ ଓପନିଂ ଓ ମଧ୍ୟକ୍ରମ ବ୍ୟାଟସ୍‌ମ୍ୟାନ୍‌ ଭାବେ ପସନ୍ଦ କରିଛନ୍ତି। ଓପନିଂ ସ୍ଥାନ ପାଇଁ ରାହୁଲ ଓ ଅଜିଙ୍କ୍ୟ ରାହଣେଙ୍କ ନାଁ ଚର୍ଚ୍ଚାରେ ଥିବା ବେଳେ ଗାଭାସ୍କର କିନ୍ତୁ ଭିନ୍ନ କଥା କହିଛନ୍ତି।

ଗାଭାସ୍କର କହିଛନ୍ତି, “ବିଶ୍ୱକପ୍‌ ପାଇଁ ମୁଁ ବର୍ତ୍ତମାନ ସ୍ଥିତିରେ କେବଳ ୧୩ ଜଣଙ୍କ ନାଁ କହିପାରିବି। ସେମାନେ ହେଲେ ଶିଖର ଧୱନ, ରୋହିତ ଶର୍ମା, ବିରାଟ୍‌ କୋହଲି, ଅମ୍ବାତି ରାୟୁଡୁ, ଦୀନେଶ କାର୍ତ୍ତିକ, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ ଓ ୟୁଜଭେନ୍ଦର ଚହଲ। ମୁଁ ଭାବୁଛି ୧୪ ନଂ ଖେଳାଳି ଭାବେ ବିଜୟ ଶଙ୍କରଙ୍କୁ ଦ୍ୱିତୀୟ ଅଲରାଉଣ୍ଡର ଭାବେ ସ୍କ୍ୱାଡ୍‌ରେ ସାମିଲ କରାଯାଇ ପାରେ।

ଇଂଲଣ୍ଡ ପରିବେଶକୁ ଦେଖି ଏଭଳି ଚୟନ କରାଯାଇ ପାରିବ। ଭାରତ ସେଠାରେ ଦୁଇ ଜଣ ଦ୍ରୁତ ବୋଲିଂ କରିପାରୁ ଥିବା ଅଲରାଉଣ୍ଡରଙ୍କୁ ଖେଳାଇ ପାରିବ। କିନ୍ତୁ ମୁଁ ୧୫ ନଂରେ କିଏ ରହିବ, ତାକୁ ନେଇ ଦ୍ୱନ୍ଦ୍ୱରେ ରହିଛି। ଏହି ସ୍ଥାନ ପାଇଁ ଖଲୀଲ ଅହମ୍ମଦ କିମ୍ବା ମହମ୍ମଦ ସିରାଜ ସେତେଟା ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ହଁ, ଆମେ ଉମେଶ ଯାଦବଙ୍କ ନାଁକୁ ବିଚାରକୁ ନେଇପାରିବା। ଚୟନକର୍ତ୍ତା ତାଙ୍କ ଉପରେ ନଜର ରଖିବା ଦରକାର।

ବିଶେଷ କରି ଆମେ ଯଦି ଦୀନେଶ କାର୍ତ୍ତିକଙ୍କ କଥା ବିଚାରକୁ ନେବା ସେ ଟେଷ୍ଟରେ ଭାରତ ପାଇଁ ଓପନ୍ କରିଛନ୍ତି। ତେଣୁ ବିଶ୍ୱକପ୍‌ରେ ମଧ୍ୟ ସେ ବ୍ୟାକ୍‌ଅପ୍‌ ଓପନର୍ ଭାବେ ଖେଳିପାରିବେ। ”

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା ୨୪ରୁ ଟି-୨୦ ସିରିଜ୍‌ ଓ ପରେ ମାର୍ଚ୍ଚ ୨ରୁ ୫ ଟିକିଆ ଦିନିକିଆ ସିରିଜ୍‌ ଆରମ୍ଭ ହେବ।

Related story