ମହିଳା ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜ: ଭାରତକୁ ଜିତାଇଲେ ହରମନପ୍ରୀତ

କ୍ୟାନବେରା: ହରମନପ୍ରୀତ କୌରଙ୍କ ଅପରାଜିତ ୪୨ ରନ୍ ଓ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ମହିଳା ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଇଂଲଣ୍ଡକୁ ୫ ୱିକେଟରେ ପରାସ୍ତ କରିଛି। ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚରେ ଇଂଲଣ୍ଡ ତା’ର କ୍ୟାପଟେନ୍ ହିଥର ନାଇଟଙ୍କ ଲଢ଼ୁଆ ୬୭ ରନ୍ ସତ୍ତ୍ୱେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୪୭ ରନ୍ କରିଥିଲା। ଜବାବରେ ଭାରତ ୧୯.୩ ଓଭରରେ ୫ ୱିକେଟ୍ ହରାଇ ୧୫୦ ରନ୍ […]

kaur

Ranjit Kumar Jena
  • Published: Friday, 31 January 2020
  • , Updated: 31 January 2020, 03:33 PM IST

କ୍ୟାନବେରା: ହରମନପ୍ରୀତ କୌରଙ୍କ ଅପରାଜିତ ୪୨ ରନ୍ ଓ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ମହିଳା ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଇଂଲଣ୍ଡକୁ ୫ ୱିକେଟରେ ପରାସ୍ତ କରିଛି। ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚରେ ଇଂଲଣ୍ଡ ତା'ର କ୍ୟାପଟେନ୍ ହିଥର ନାଇଟଙ୍କ ଲଢ଼ୁଆ ୬୭ ରନ୍ ସତ୍ତ୍ୱେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୪୭ ରନ୍ କରିଥିଲା।

ଜବାବରେ ଭାରତ ୧୯.୩ ଓଭରରେ ୫ ୱିକେଟ୍ ହରାଇ ୧୫୦ ରନ୍ କରି ବିଜୟୀ ହୋଇଛି। ମ୍ୟାଚର ଶେଷ ଓଭରରେ ଭାରତକୁ ୬ ରନ୍ ଆବଶ୍ୟକ ଥିବା ବେଳେ ପ୍ରଥମ ଦୁଇ ବଲରେ ୨ ରନ୍ ହୋଇଥିଲା। ଚତୁର୍ଥ ବଲରେ ହରମପ୍ରୀତ ଆକର୍ଷଣୀୟ ଛକା ମାରି ମ୍ୟାଚକୁ ଭାରତ କବଜାରେ କରିଥିଲେ। ଇଂଲଣ୍ଡ ପକ୍ଷରୁ କ୍ୟାପଟେନ୍ ଇନିଂସ୍ ଖେଳିଥିବା ନାଇଟଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଇଂଲଣ୍ଡ ୧୦ ଓଭରରେ ୪ ୱିକେଟ୍ ହରାଇ ୫୯ ରନ୍ କରିଥିଲା। କିନ୍ତୁ ନାଇଟ୍ ଓ ଟାମି ବ୍ୟୁମଣ୍ଟ୍ ଷଷ୍ଠ ୱିକେଟ୍ ପାଇଁ ୬୯ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରି ଇଂଲଣ୍ଡକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ନାଇଟ୍ ୪୪ ବଲରେ ୮ ଚୌକା ଓ ୨ ଛକା ସହ ସର୍ବାଧିକ ୬୭ ଏବଂ ବ୍ୟୁମଣ୍ଟ ୨୭ ବଲରେ ୪ ଚୌକା ଓ ୧ ଛକା ସହ ୩୭ ରନ୍ କରି ଆଉଟ୍ ହୋଇଥିଲେ। ଦୁଇ ଓପ୍ନର ଆମି ଜୋନ୍ସ (୧) ଓ ଡାନିଏଲ୍ ୟାଟ୍ଟ (୪) ଦୁଇ ଅଙ୍କ ଛୁଇଁପାରିନଥିବା ବେଳେ ନାଟାଲି ସ୍କିଭର୍ ୨୦ ଓ ଫ୍ରାନ୍ ୱିଲସନ୍ ୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଭାରତ ପକ୍ଷରୁ ରାଜେଶ୍ୱରୀ ଗାଏକ୍ୱାଡ୍‌, ଶିଖା ପାଣ୍ଡେ ଏବଂ ଦୀପ୍ତି ଶର୍ମା ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

୧୪୮ ରନର ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରୁଥିବା ଭାରତ ସେତେଟା ଭଲ ରହିନଥିଲା। ଓପ୍ନର ସ୍ମୃତି ମନ୍ଧାନା ନିଜର ପ୍ରଥମ ବଲରେ ପାଇଥିବା ବଡ଼ ଜୀବନଦାନର ଫାଇଦା ଉଠାଇପାରି ନଥିଲେ ଏବଂ ବ୍ୟକ୍ତିଗତ ୧୫ ରନ୍ କରିଥିବା ବେଳେ ସ୍କିଭରଙ୍କ ଶିକାର ହୋଇଥିଲେ। ତେବେ ୧୫ ବର୍ଷୀୟା ଶେଫାଳି ଭଲ ବ୍ୟାଟିଂ କରି ୩୦ (୨୫ ବଲ୍‌, ୪ ଚୌକା) ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ।

ଜେମିମା ରୋଡ୍ରିଗ୍ସ ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। ସେ ୨୦ ବଲରେ ୨୬ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ମଧ୍ୟକ୍ରମରେ ବେଦା କ୍ରିଷ୍ଣମୂର୍ତ୍ତୀ (୭) ଓ ତାନିଆ ଭାଟିଆ (୧୧) ନିରାଶ କରିଥିଲେ। ତେବେ ହରମନପ୍ରୀତ ଓ ଦୀପ୍ତି ଶର୍ମା ଷଷ୍ଠ ୱିକେଟ୍ ପାଇଁ ଅପରାଜିତ ୨୮ ରନ୍ ଯୋଡ଼ି ଭାରତକୁ ଜିତାଇଥିଲେ। କୌର୍ ୩୪ ବଲରେ ୫ ଚୌକା ଓ ୧ ଛକା ସହ ୪୨ ଓ ଦୀପ୍ତି ୮ ବଲରେ ୧୨ ରନ୍ କରି ଅପରାଜିତ ଥିଲେ। ଇଂଲଣ୍ଡ ପକ୍ଷରୁ କ୍ୟାଥରିନ୍ ବ୍ରଣ୍ଟ ୨ଟି ୱିକେଟ୍ ନେଇଥିଲେ।

Related story