ହଂକଂ ଓପନ୍: ସିନ୍ଧୁଙ୍କ ଅଭିଯାନ ଆରମ୍ଭ, ସାଇନା ବିଦା

ହଂକଂ: ଭାରତର ଏକ ନମ୍ବର ଶଟଲର୍ ପିଭି ସିନ୍ଧୁ ଚଳିତ ହଂକଂ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସିନ୍ଧୁଙ୍କ ବ୍ୟତୀତ ଭାରତର ଏଚଏସ୍ ପ୍ରଣୟ ଓ ପରୁପଲ୍ଲୀ କଶ୍ୟପ୍ ମଧ୍ୟ ପ୍ରଥମ ରାଉଣ୍ଡରେ ବିଜୟୀ ହୋଇଛନ୍ତି। ତେବେ ସାଇନା ନେହ୍ୱାଲ ଓ ସମୀର ବର୍ମା ପ୍ରଥମ ରାଉଣ୍ଡରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। ବୁଧବାର ମହିଳା ସିଙ୍ଗଲ୍ସର ପ୍ରଥମ ରାଉଣ୍ଡରେ ସିନ୍ଧୁ ଦକ୍ଷିଣ କୋରିଆର କିମ୍ ଗା ୟୁନଙ୍କୁ ସିଧାସଳଖ ୨୧-୧୫, ୨୧-୧୬ […]

sindhu

Ranjit Kumar Jena
  • Published: Wednesday, 13 November 2019
  • , Updated: 13 November 2019, 06:48 PM IST

ହଂକଂ: ଭାରତର ଏକ ନମ୍ବର ଶଟଲର୍ ପିଭି ସିନ୍ଧୁ ଚଳିତ ହଂକଂ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସିନ୍ଧୁଙ୍କ ବ୍ୟତୀତ ଭାରତର ଏଚଏସ୍ ପ୍ରଣୟ ଓ ପରୁପଲ୍ଲୀ କଶ୍ୟପ୍ ମଧ୍ୟ ପ୍ରଥମ ରାଉଣ୍ଡରେ ବିଜୟୀ ହୋଇଛନ୍ତି। ତେବେ ସାଇନା ନେହ୍ୱାଲ ଓ ସମୀର ବର୍ମା ପ୍ରଥମ ରାଉଣ୍ଡରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି।

ବୁଧବାର ମହିଳା ସିଙ୍ଗଲ୍ସର ପ୍ରଥମ ରାଉଣ୍ଡରେ ସିନ୍ଧୁ ଦକ୍ଷିଣ କୋରିଆର କିମ୍ ଗା ୟୁନଙ୍କୁ ସିଧାସଳଖ ୨୧-୧୫, ୨୧-୧୬ ଗେମରେ ହରାଇ ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମ୍ୟାଚର ପ୍ରଥମ ଗେମରେ ସିନ୍ଧୁ ଏକ ସମୟରେ ୮-୪ରେ ଆଗୁଆ ଥିଲେ। କିନ୍ତୁ ପରେ କୋରିଆ ଖେଳାଳି ପ୍ରତ୍ୟାବର୍ତ୍ତନ କରି ଗେମକୁ ୧୦-୧୧ରେ ପହଞ୍ଚାଇଥିଲେ। ଏହା ପରେ ଗେମ୍ ୧୩-୧୩ରେ ପହଞ୍ଚିଥିଲା ବେଳେ ସିନ୍ଧୁ ଆକ୍ରମଣ କରି ଗେମକୁ ୨୧-୧୫ରେ ଜିତି ନେଇଥିଲେ। ୨ୟ ଗେମରେ ସିନ୍ଧୁ ୧୨-୫ରେ ଆଗୁଆ ଥିଲେ। ଏହା ପରେ କୋରିଆ ଖେଳାଳି ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ, ଗେମକୁ ଜିତିପାରି ନଥିଲେ।

ଭାରତର ଅନ୍ୟତମ ଷ୍ଟାର ଖେଳାଳି ସାଇନା ଚାଇନାର କାଇ ୟାନ୍ ୟାନଙ୍କ ନିକଟରୁ ୧୩-୨୧, ୨୦-୨୨ ଗେମରେ ହାରିଯାଇଛନ୍ତି। ବିଶ୍ୱର ୯ ନମ୍ବର ଖେଳାଳି ସାଇନା ଗତ ୬ ଟୁର୍ଣ୍ଣାମେଣ୍ଟ ମଧ୍ୟରୁ ୫ଟିରେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଚାଇନାର ଖେଳାଳିଙ୍କ ବିରୋଧରେ ସାଇନାଙ୍କର ଏହା କ୍ରମାଗତ ୨ୟ ପରାଜୟ।

ବିଶ୍ୱର ୧୬ ନମ୍ବର ଖେଳାଳି ସମୀର ବର୍ମା ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଚାଇନିଜ୍ ତାଇପେଇର ୱାଙ୍ଗ ଜୁ ୱେଇଙ୍କ ନିକଟରୁ ୧୧-୨୧, ୨୧-୧୩, ୮-୨୧ ଗେମରେ ପରାସ୍ତ ହୋଇଛନ୍ତି। ସମୀର କ୍ରମାଗତ ତୃତୀୟ ଥର ଲାଗି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଉଭୟ ସାଇନା ଓ ସମୀର ଆସନ୍ତା ସପ୍ତାହରେ କୋରିଆ ମାଷ୍ଟର୍ସ ସୁପର୍-୩୦୦ ଟୁର୍ଣ୍ଣାମେଣ୍ଟ ଖେଳିବେ।

ଭାରତୀୟ ମହିଳା ଡବଲ୍ସ ଯୋଡ଼ି ଅଶ୍ୱିନୀ ପୋନ୍ନାପ୍ପା ଓ ଏନ୍ ସିକ୍କି ରେଡ୍ଡି ମଧ୍ୟ ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିପାରି ନାହାନ୍ତି। ଅଶ୍ୱିନୀ-ସିକ୍କିଙ୍କୁ ଡେନମାର୍କର ମାଇକେନ୍ ଫ୍ରୁରଗାର୍ଡ ଓ ସାରା ଥାଇଗେସେନ୍ ୨୧-୧୩ ଓ ୨୧-୧୨ ଗେମରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡରେ ସ୍ଥାନ ହାସଲ କରିଛନ୍ତି।

ଅନ୍ୟପକ୍ଷରେ ଭାରତର ଅଭିଜ୍ଞ ଖେଳାଳି ପରୁପଲ୍ଲୀ କଶ୍ୟପ୍ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। କଶ୍ୟପ୍ ପ୍ରଥମ ରାଉଣ୍ଡରେ ଜାପାନର କେଣ୍ଟୋ ନିଶିମୋତୋଙ୍କୁ ୨୧-୧୮, ୧୬-୨୧, ୨୧-୧୦ ଗେମରେ ହରାଇ ୨ୟ ରାଉଣ୍ଡରେ ପହଞ୍ଚିଛନ୍ତି। ଅନ୍ୟ ଏକ ପୁରୁଷ ସିଙ୍ଗଲ୍ସ ମୁକାବିଲାରେ ଏଚଏସ୍ ପ୍ରଣୟ ଚାଇନାର ହୁଆଙ୍ଗ ୟୁ ଜିଆଙ୍ଗଙ୍କୁ ସିଧାସଳଖ ୨୧-୧୭, ୨୧-୧୭ ଗେମରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି।

Related story