ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌: କୋହଲି ସ୍ମିଥଙ୍କ ନିକଟତର

ଦୁବାଇ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଆଇସିସି ଟେଷ୍ଟ ରାଙ୍କିଙ୍ଗର ଶୀର୍ଷ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥଙ୍କ ନିକଟତର ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପୁଣେ ଟେଷ୍ଟରେ ଅପରାଜିତ ୨୫୪ ରନର ମାରାଥନ୍ ଇନିଂସ୍ ଖେଳିଥିବା କୋହଲି ଏବେ ସ୍ମିଥଙ୍କଠାରୁ ମାତ୍ର ୧ ପଏଣ୍ଟ ପଛରେ ଅଛନ୍ତି। କୋହଲିଙ୍କ ଏହି ସର୍ବଶ୍ରେଷ୍ଠ ଇନିଂସ୍ ବଳରେ ଭାରତ ଦ୍ୱିତୀୟ ଟେଷ୍ଟକୁ ଇନିଂସ୍ ଓ ୧୩୭ ରନରେ ଜିତି ସିରିଜକୁ ୨-୦ରେ ହାତେଇ ନେଇଛି। ସିରିଜର […]

virat

Ranjit Kumar Jena
  • Published: Monday, 14 October 2019
  • , Updated: 14 October 2019, 05:42 PM IST

ଦୁବାଇ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଆଇସିସି ଟେଷ୍ଟ ରାଙ୍କିଙ୍ଗର ଶୀର୍ଷ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥଙ୍କ ନିକଟତର ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପୁଣେ ଟେଷ୍ଟରେ ଅପରାଜିତ ୨୫୪ ରନର ମାରାଥନ୍ ଇନିଂସ୍ ଖେଳିଥିବା କୋହଲି ଏବେ ସ୍ମିଥଙ୍କଠାରୁ ମାତ୍ର ୧ ପଏଣ୍ଟ ପଛରେ ଅଛନ୍ତି। କୋହଲିଙ୍କ ଏହି ସର୍ବଶ୍ରେଷ୍ଠ ଇନିଂସ୍ ବଳରେ ଭାରତ ଦ୍ୱିତୀୟ ଟେଷ୍ଟକୁ ଇନିଂସ୍ ଓ ୧୩୭ ରନରେ ଜିତି ସିରିଜକୁ ୨-୦ରେ ହାତେଇ ନେଇଛି। ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ୧୯ ତାରିଖରୁ ଆରମ୍ଭ ହେବ।

୨୦୧୮, ଜାନୁଆରୀରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ପରେ କୋହଲି ପ୍ରଥମଥର ୯୦୦ ପଏଣ୍ଟ ତଳକୁ ଖସି ଆସିଥିଲେ। କିନ୍ତୁ ଏହା ପରେ ସେ ନିରନ୍ତର ପ୍ରଦର୍ଶନ କରି ୯୦୦ ପଏଣ୍ଟ ଅତିକ୍ରମ କରିଛନ୍ତି। କୋହଲି ଏବେ ୯୩୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ସ୍ମିଥ୍ ୯୩୭ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଅଛନ୍ତି। ରାଞ୍ଚିରେ ଖେଳାଯିବାକୁଥିବା ତୃତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ କରି କୋହଲି ଶୀର୍ଷ ସ୍ଥାନ କବଜା କରିବାକୁ ଚାହିଁବେ। ନିକଟରେ ଇଂଲଣ୍ଡରେ ଶେଷ ହୋଇଥିବା ଆଶେସ୍ ସିରିଜରେ ସ୍ମିଥ୍ ଦମଦାର ପ୍ରଦର୍ଶନ କରି ଆଇସିସି ଟେଷ୍ଟ ରାଙ୍କିଙ୍ଗର ଶୀର୍ଷ ସ୍ଥାନକୁ ଫେରିଥିଲେ।

କୋହଲିଙ୍କ ବ୍ୟତୀତ ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲଙ୍କର ମଧ୍ୟ ରାଙ୍କିଙ୍ଗରେ ସୁଧାର ହୋଇଛି। ସେ ପ୍ରଥମଥର ପାଇଁ ଟପ୍‌-୨୦ରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଇନିଂସରେ ୧୦୮ ରନର ଶତକୀୟ ଇନିଂସ୍ ଖେଳିଥିବା ଅଗ୍ରୱାଲ୍ ୧୭ଶ ସ୍ଥାନରେ ପହଞ୍ଚିଛନ୍ତି। ଟପ୍‌-୧୦ରେ କୋହଲିଙ୍କ ବ୍ୟତୀତ ଆଉ ଦୁଇ ଭାରତୀୟ ବ୍ୟାଟ୍ସମ୍ୟାନ୍ ମଧ୍ୟ ଅଛନ୍ତି। ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେ ଯଥାକ୍ରମେ ଚତୁର୍ଥ ଓ ନବମ ସ୍ଥାନରେ ରହିଛନ୍ତି।

ଭାରତୀୟ ଦଳର ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ମଧ୍ୟ ତିନୋଟି ସ୍ଥାନର ଫାଇଦା ହୋଇଛି। ସେ ଏବେ ଦଶମରୁ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ ଅଲରାଉଣ୍ଡର ତାଲିକାରେ ରବୀନ୍ଦ୍ର ଜାଡେଜା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୱେଷ୍ଟଇଣ୍ଡିଜର ଜେସନ୍ ହୋଲ୍ଡର ପ୍ରଥମ ସ୍ଥାନରେ ଅଛନ୍ତି। ଅଶ୍ୱିନ୍ ଅଲରାଉଣ୍ଡର ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର ପେସ୍ ବୋଲର ଭର୍ନନ୍ ଫିଲାଣ୍ଡର ତିନୋଟି ସ୍ଥାନ ଖସି ଏବେ ଅଷ୍ଟମରେ ପହଞ୍ଚିଛନ୍ତି। ଦ୍ୱିତୀୟ ଟେଷ୍ଟକୁ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ପେସ୍ ବୋଲର ଉମେଶ ଯାଦବ ୬ଟି ସ୍ଥାନ ଉପରକୁ ଉଠି ୨୫ତମ ସ୍ଥାନରେ ପହଞ୍ଚିଛନ୍ତି। ଉମେଶ ଏହି ଟେଷ୍ଟରେ ୬ଟି ୱିକେଟ୍ ନେଇଥିଲେ।

Related story