ବର୍ମିଂହାମ୍: ବୋଲରଙ୍କ ଦମଦାର ପ୍ରଦର୍ଶନ ପରେ ଜେସନ୍ ରୟଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଇଂଲଣ୍ଡ ଚଳିତ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୮ ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଛି। ଫାଇନାଲରେ ଇଂଲଣ୍ଡର ସାମ୍ନା ନ୍ୟୁଜିଲ୍ୟାଣ୍ଡ୍ ସହ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ହେବ। ଇଂଲଣ୍ଡ ୨୭ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ପହଞ୍ଚିବାରେ ସଫଳ ହୋଇଛି। ଏହା ପୂର୍ବରୁ ଇଂଲଣ୍ଡ ୧୯୯୨ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଥିଲେ ହେଁ, ପାକିସ୍ତାନଠାରୁ ହାରି ରନର୍ସଅପ୍ ହୋଇଥିଲା।
ଗୁରୁବାର ଏଜବାଷ୍ଟନରେ ଖେଳାଯାଇଥିବା ଏହି ମ୍ୟାଚରେ କ୍ରିସ୍ ଓକ୍ସ ଓ ଜୋଫ୍ରା ଆର୍ଚରଙ୍କ ଘାତକ ବୋଲିଂ ବଳରେ ଇଂଲଣ୍ଡ ତା'ର ଚିରପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆକୁ ୪୯ ଓଭରରେ ୨୨୩ ରନରେ ଅଲଆଉଟ୍ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭେନ୍ ସ୍ମିଥ୍ ଏକାକୀ ଲଢ଼ିଥିଲେ। ସେ ୧୧୯ ବଲରେ ୬ ଚୌକା ସହ ୮୫ ରନ୍ କରିଥିଲେ। ଜବାବରେ ଇଂଲଣ୍ଡ ମାତ୍ର ୩୨.୧ ଓଭରରେ ୨ ୱିକେଟ୍ ହରାଇ ୨୨୬ ରନ୍ କରି ମ୍ୟାଚକୁ ଏକତରଫା ଭାବେ ଜିତି ନେଇଛି। ଇଂଲଣ୍ଡ ପକ୍ଷରୁ ରୟ ସର୍ବାଧିକ ୮୫ (୬୫ ବଲ୍, ୯ ଚୌକା, ୫ ଛକା) ରନ୍ କରି ଅଷ୍ଟ୍ରେଲିଆଠାରୁ ମ୍ୟାଚ୍ ଛଡ଼ାଇ ନେଇଥିବା ବେଳେ ଜୋ ରୁଟ୍ ଓ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଟିମକୁ ବିଜୟୀ କରାଇଥିଲେ।
ଏହା ପୂର୍ବରୁ ଅଷ୍ଟ୍ରେଲିଆ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଏହି ନିଷ୍ପତ୍ତି ଟିମ୍ ପାଇଁ ମହଙ୍ଗା ପଡ଼ିଥିଲା। ଟିମର ଦୁଇ ଇନଫର୍ମ ଓପ୍ନର ଆରୋନ୍ ଫିଞ୍ଚ୍ ଓ ଡେଭିଡ୍ ୱାର୍ଣ୍ଣର ଶସ୍ତାରେ ପ୍ୟାଭିଲିୟନ୍ ଫେରିଥିଲେ। ଇଂଲଣ୍ଡର ଷ୍ଟାର୍ ପେସର ଜୋଫ୍ରା ଆର୍ଚର୍ ଫିଞ୍ଚଙ୍କୁ ଖାତା ଖୋଲିବାକୁ ଦେଇନଥିଲେ। ସେହିପରି ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଟପ୍ ସ୍କୋରର ୱାର୍ଣ୍ଣର୍ ମାତ୍ର ୯ ରନ୍ କରି କ୍ରିସ୍ ଓକ୍ସଙ୍କ ଶିକାର ହୋଇଥିଲେ। ଦୁଇ ଓପ୍ନରଙ୍କ ଆଉଟ୍ ପରେ ଏବେ ସବୁ ଦାୟିତ୍ୱ ଷ୍ଟିଭେନ୍ ସ୍ମିଥ୍ ଓ ପିଟର୍ ହ୍ୟାଣ୍ଡସ୍କମ୍ବଙ୍କ ଉପରକୁ ଚାଲିଆସିଥିଲା।
ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମାର୍କସ୍ ଷ୍ଟୋଇନିସ୍ ଖାତା ଖୋଲିପାରିନଥିଲେ। ଗ୍ଲେନ୍ ମ୍ୟାକ୍ସୱେଲ୍ (୨୨) ନିଜର ଚିରାଚରିତ ଢ଼ଙ୍ଗରେ ବ୍ୟାଟିଂ କରି ଟିମର ସ୍କୋରକୁ ଆଗକୁ ବଢ଼ାଇଥିଲେ। କିନ୍ତୁ ତାଙ୍କୁ ଆର୍ଚର ଆଉଟ୍ କରିବାରେ ସଫଳ ହୋଇଥିଲେ । ପ୍ୟାଟ୍ କମିନ୍ସ (୬) ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇନଥିବା ବେଳେ ମିଚେଲ୍ ଷ୍ଟାର୍କ (୨୯) ଭଲ ବ୍ୟାଟିଂ କରିଥିଲେ। ସ୍ମିଥ୍ ଓ ଷ୍ଟାର୍କ ଅଷ୍ଟମ ୱିକେଟ୍ ପାଇଁ ମହତ୍ତ୍ୱପୂର୍ଣ୍ଣ ୫୧ ରନର ପାର୍ଟନରଶିପ୍ କରିଥିଲେ।
ସ୍ମିଥ୍ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନ୍ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ଏହା ପରେ ଅଷ୍ଟ୍ରେଲିଆ ଆଉ ୬ ରନ୍ ଯୋଡ଼ି ତା'ର ଶେଷ ଦୁଇଟି ୱିକେଟ୍ ହରାଇ ଅଲଆଉଟ୍ ହୋଇଥିଲା। ଶେଷ ୱିକେଟ୍ ଭାବେ ଜେସନ୍ ବେହରନଡର୍ଫ (୧)ଙ୍କୁ ମାର୍କ ଉଡ୍ ଆଉଟ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ଓକ୍ସ ଓ ରଶିଦ୍ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଆର୍ଚର୍ ୨ଟି ଓ ଉଡ୍ ଗୋଟିଏ ୱିକେଟ୍ ହାସଲ କରିଥିଲେ।