ମଙ୍ଗଳବାର ଭାରତ-ନ୍ୟୁଜିଲ୍ୟାଣ୍ଡ୍ ସେମିଫାଇନାଲ୍ ଟକ୍କର୍

ମ୍ୟାଞ୍ଚେଷ୍ଟର୍: ଚଳିତ ଆଇସିସି ବିଶ୍ୱକପର ରାଉଣ୍ଡ୍ ରବିନ୍ ଶେଷ ହୋଇଥିବା ବେଳେ ଆସନ୍ତାକାଲିଠାରୁ ନକଆଉଟ୍ ଅର୍ଥାତ୍ ସେମିଫାଇନାଲ୍ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲରେ ଦୁଇଥରର ଚାମ୍ପିଅନ୍ ଟିମ୍ ଇଣ୍ଡିଆର ସାମ୍ନା ନ୍ୟୁଜିଲ୍ୟାଣ୍ଡ୍ ସହ ହେବ। ଲିଗ୍ ପର୍ଯ୍ୟାୟରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଧୋଇ ଦେଇଥିଲା, କିନ୍ତୁ ସୌଭାଗ୍ୟବଶତଃ ଦୁଇ ଟିମ୍ ପୁଣିଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଭାରତର ନଜର ତୃତୀୟ ବିଶ୍ୱକପ୍ ଟାଇଟଲ୍ ଉପରେ ରହିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ୍ […]

indvs

Hemant Lenka
  • Published: Monday, 08 July 2019
  • , Updated: 08 July 2019, 10:10 PM IST

ମ୍ୟାଞ୍ଚେଷ୍ଟର୍: ଚଳିତ ଆଇସିସି ବିଶ୍ୱକପର ରାଉଣ୍ଡ୍ ରବିନ୍ ଶେଷ ହୋଇଥିବା ବେଳେ ଆସନ୍ତାକାଲିଠାରୁ ନକଆଉଟ୍ ଅର୍ଥାତ୍ ସେମିଫାଇନାଲ୍ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲରେ ଦୁଇଥରର ଚାମ୍ପିଅନ୍ ଟିମ୍ ଇଣ୍ଡିଆର ସାମ୍ନା ନ୍ୟୁଜିଲ୍ୟାଣ୍ଡ୍ ସହ ହେବ। ଲିଗ୍ ପର୍ଯ୍ୟାୟରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଧୋଇ ଦେଇଥିଲା, କିନ୍ତୁ ସୌଭାଗ୍ୟବଶତଃ ଦୁଇ ଟିମ୍ ପୁଣିଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଭାରତର ନଜର ତୃତୀୟ ବିଶ୍ୱକପ୍ ଟାଇଟଲ୍ ଉପରେ ରହିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମଥର ପାଇଁ ଏହି ଟ୍ରଫି ପାଇବା ଆଶା ରହିଛି। ମଙ୍ଗଳବାର ଓଲ୍ଡ ଟ୍ରାଫର୍ଡରେ ହେବାକୁଥିବା ଏହି ମହାମୁକାବିଲା ପାଇଁ ଦୁଇ ଟିମ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି, କେବଳ ଟସକୁ ଅପେକ୍ଷା।

ଚଳିତ ବିଶ୍ୱକପରେ ଭାରତର ପ୍ରଦର୍ଶନ ଅପେକ୍ଷାକୃତ ଭଲ ରହିଛି। ଇଂଲଣ୍ଡ ବିପକ୍ଷ ପରାଜୟକୁ ଛାଡ଼ି ଦେଲେ ଭାରତ ବାକି ୮ଟି ମ୍ୟାଚରୁ ୭ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଥିଲା। ତେବେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁ ସମ୍ଭବ ହୋଇନଥିଲା। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ଟୁର୍ଣ୍ଣାମେଣ୍ଟରେ ଭଲ ଆରମ୍ଭ କରିଥିଲେ ହେଁ, ଶେଷଭାଗରେ ଲଗାତାର ତିନୋଟି ମ୍ୟାଚରେ ପରାସ୍ତ ହେବା ସତ୍ତେ୍ୱ ସେମିଫାଇନାଲକୁ କ୍ୱାଲିଫାଏ କରିଛି। ନ୍ୟୁଜିଲ୍ୟାଣ୍ଡ୍ ୯ଟି ମ୍ୟାଚରୁ ୫ରେ ବିଜୟୀ ହୋଇଥିବା ସ୍ଥଳେ ୩ଟିରେ ହାରିଥିଲା। ଯେହେତୁ ନ୍ୟୁଜିଲ୍ୟାଣ୍ଡ ତା'ର ଶେଷ ମ୍ୟାଚଗୁଡ଼ିକରେ ପରାଜୟର ସାମ୍ନା କରିଛି, ତେଣୁ ଭାରତକୁ ହରାଇବା କିୱି ଟିମ୍ ପକ୍ଷେ କଷ୍ଟସାଧ୍ୟ ହେବ।

ଚଳିତ ବିଶ୍ୱକପରେ ଭାରତ ପାଇଁ ରୋହିତ୍ ଶର୍ମା (୬୪୭), କ୍ୟାପଟେନ୍ ବିରାଟ୍ କୋହଲି (୪୪୨) ଓ ଲୋକେଶ ରାହୁଲ (୩୬୦) ମୋଟ ୧୩୪୭ ରନ୍ କରିସାରିଛନ୍ତି। ସେହିପରି ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ଲକି ଫର୍ଗୁସନ୍ (୧୭), ଟ୍ରେଣ୍ଟ୍ ବୋଲ୍ଟ (୧୫) ଓ ମ୍ୟାଟ୍ ହେନରୀ (୧୦) ମିଳିତ ଭାବେ ୪୨ ୱିକେଟ୍ ନେଇସାରିଛନ୍ତି। ଜେମ୍ସ ନିଶାମ ୧୧ ଓ କଲିନ୍ ଡି'ଗ୍ରାଣ୍ଡହୋମ୍ ୫ ୱିକେଟ୍ ନେଇଛନ୍ତି।

ଭାରତ ପାଇଁ ମିଡିଲ୍ ଅର୍ଡର ମୁଖ୍ୟ ଚିନ୍ତାର ବିଷୟ। ଏଭଳି ସ୍ଥିତିରେ ମ୍ୟାଞ୍ଚେଷ୍ଟରର ମେଘୁଆ ପାଗରେ ବୋଲ୍ଟଙ୍କ ପେସ୍ ବୋଲିଂ ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ପାଇଁ ଘାତକ ହୋଇପାରେ। ଭାରତ ଚଳିତ ବିଶ୍ୱକପରେ ମୋଟ ୨୨୯୫ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ୍ ୧୬୭୪ ରନ୍ କରିଛି। ସେହିପରି ଭାରତ ୪୬ ୱିକେଟ୍ ହରାଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡ୍ ୫୧ ୱିକେଟ୍ ହରାଇଛି। ଶତକ ମାମଲାରେ ମଧ୍ୟ ଭାରତ ଆଗରେ ରହିଛି। ଏହି ବିଶ୍ୱକପରେ ଭାରତ ଏପର୍ଯ୍ୟନ୍ତ ୭ଟି ଏବଂ ନ୍ୟୁଜିଲ୍ୟାଣ୍ଡ୍ ମାତ୍ର ୨ଟି ଶତକ ହାସଲ କରିଛି। ଭାରତ ପାଇଁ ଏକାକୀ ରୋହିତ୍ ୫ଟି ଶତକ ମାରିଛନ୍ତି।

ଯଦି ଆମେ ରେକର୍ଡ ଉପରେ ନଜର ପକାଇବା, ତାହେଲେ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ୍ ଏଭଳି ଏକ ଟିମ, ଯାହା ବିରୋଧରେ ଭାରତ ଆଦୌ ଭଲ ଖେଳି ନାହିଁ। ଦୁଇ ଟିମ୍ ମଧ୍ୟରେ ବିଶ୍ୱକପରେ ୭ଟି ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ଭାରତ ତିନୋଟି ଏବଂ ନ୍ୟୁଜିଲ୍ୟାଣ୍ଡ୍ ୪ଟିରେ ବିଜୟୀ ହୋଇଛି। ତେବେ ସବୁଠାରୁ ବଡ଼ କଥା ହେଉଛି, ନ୍ୟୁଜିଲ୍ୟାଣ୍ଡ୍ ଯେଉଁ ୪ଟି ମୁକାବିଲା ଜିତିଛି, ଏଥିରୁ କିୱି ଟିମ୍ ତିନୋଟି ମ୍ୟାଚ୍ ଇଂଲଣ୍ଡରେ ହିଁ ନିଜ ନାମରେ କରିଛି ଏବଂ ଗୋଟିଏ ନିଜ ମାଟିରେ ଜିତିଥିଲା।

ଅନ୍ୟପକ୍ଷରେ ଭାରତ ଦୁଇଟି ମୁକାବିଲା ନିଜ ମାଟିରେ ଜିତିଥିବା ବେଳେ ଗୋଟିଏ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବିଶ୍ୱକପରେ ଜିତିଥିଲା। ଶେଷଥର ପାଇଁ ଦୁଇ ଟିମ୍ ୨୦୦୩ ବିଶ୍ୱକପରେ ପରସ୍ପରକୁ ଭେଟିଥିଲେ, ଯେଉଁଥିରେ ଭାରତ ବିଜୟୀ ହୋଇଥିଲା। ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱ ଭାରତୀୟ ଟିମ୍ ନ୍ୟୁଜିଲ୍ୟାଣ୍ଡକୁ ମାତ୍ର ୧୪୬ ରନରେ ଅଲଆଉଟ୍ କରିଥିଲା। ଜବାବରେ ଭାରତ ୪୧ ଓଭରରେ ଏହି ସହଜ ଲକ୍ଷ୍ୟକୁ ହାସଲ କରିନେଇଥିଲା। ଓଭରଅଲ୍ ରେକର୍ଡ ଦେଖିଲେ, ଦୁଇ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ ୧୦୬ଟି ଦିନିକିଆ ମ୍ୟାଚ୍ ଖେଳାଯାଇଛି। ଏଥିରୁ ଭାରତ ୫୫ଟିରେ ଏବଂ ନ୍ୟୁଜିଲ୍ୟାଣ୍ଡ ୪୫ଟି ବିଜୟୀ ହୋଇଛି। ତେବେ ପାଞ୍ଚଟି ବିନା ଫଳାଫଳ ରହିଥିବା ବେଳେ ଗୋଟିଏ ଟାଇ ହୋଇଛି।

ଭାରତ: ବିରାଟ୍ କୋହଲି (ଅଧିନାୟକ), ରୋହିତ୍ ଶର୍ମା, ଲୋକେଶ ରାହୁଲ, ରିଷଭ ପନ୍ତ, ମହେନ୍ଦ୍ର ସିଂହ ଧୋନି (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ୟୁଜବେନ୍ଦ୍ର ଚହଲ୍, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା, ମୟଙ୍କ ଅଗ୍ରୱାଲ୍, ରବୀନ୍ଦ୍ର ଜାଡେଜା, କେଦାର ଯାଦବ।

ନ୍ୟୁଜିଲ୍ୟାଣ୍ଡ୍: କେନ୍ ୱିଲିୟମସନ୍ (ଅଧିନାୟକ), ମାର୍ଟିନ୍ ଗପ୍ଟିଲ୍, କଲିନ୍ ମୁନରୋ, ରସ୍ ଟେଲର, ଟମ୍ ଲାଥାମ (ୱିକେଟକିପର), ଟମ୍ ବ୍ଲଣ୍ଡେଲ୍, କଲିନ୍ ଡି'ଗ୍ରାଣ୍ଡହୋମ୍, ଜିମ୍ମି ନିଶାମ, ଟ୍ରେଣ୍ଟ ବୋଲ୍ଟ, ଲକି ଫର୍ଗୁସନ୍, ମ୍ୟାଟ୍ ହେନରୀ, ମିଚେଲ୍ ସାଣ୍ଟନର୍, ହେନରୀ ନିକୋଲ୍ସ, ଟିମ୍ ସାଉଦି, ଇଶ୍ ସୋଢୀ।

Related story