ବେୟାରଷ୍ଟୋଙ୍କ ଶତକ ସତ୍ତ୍ୱେ ଇଂଲଣ୍ଡ ୩୦୫/୮

ଚେଷ୍ଟର୍-ଲି-ଷ୍ଟ୍ରିଟ୍: ଚଳିତ ଆଇସିସି ବିଶ୍ୱକପର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ। ଏହି ମ୍ୟାଚରେ ଜନ୍ନି ବେୟାରଷ୍ଟୋଙ୍କ ଶତକ ସତ୍ତ୍ୱେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୦୫ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ନ୍ୟୁଜିଲ୍ୟାଣ୍ଡକୁ ଏହି ମ୍ୟାଚ୍ ଜିତିବା ପାଇଁ ୩୦୬ ରନ୍ କରିବାକୁ ପଡ଼ିବ। ଦୁଇ ଓପ୍ନର ବେୟାରଷ୍ଟୋ ଓ ଜେସନ୍ ରୟ ପୁଣିଥରେ ଦମଦାର ବ୍ୟାଟିଂ କରି ଇଂଲଣ୍ଡକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। […]

eng

Hemant Lenka
  • Published: Wednesday, 03 July 2019
  • , Updated: 03 July 2019, 07:00 PM IST

ଚେଷ୍ଟର୍-ଲି-ଷ୍ଟ୍ରିଟ୍: ଚଳିତ ଆଇସିସି ବିଶ୍ୱକପର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ। ଏହି ମ୍ୟାଚରେ ଜନ୍ନି ବେୟାରଷ୍ଟୋଙ୍କ ଶତକ ସତ୍ତ୍ୱେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୦୫ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ନ୍ୟୁଜିଲ୍ୟାଣ୍ଡକୁ ଏହି ମ୍ୟାଚ୍ ଜିତିବା ପାଇଁ ୩୦୬ ରନ୍ କରିବାକୁ ପଡ଼ିବ।

ଦୁଇ ଓପ୍ନର ବେୟାରଷ୍ଟୋ ଓ ଜେସନ୍ ରୟ ପୁଣିଥରେ ଦମଦାର ବ୍ୟାଟିଂ କରି ଇଂଲଣ୍ଡକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। କିନ୍ତୁ ମିଡିଲ୍ ଅର୍ଡରରେ ଲଗାତାର ୱିକେଟ୍ ପତନ ଏବଂ ଧିମା ରନ୍ ଯୋଗୁ ଟିମକୁ ୩୦୫ ରନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଇଂଲଣ୍ଡ ପକ୍ଷରୁ ବେୟାରଷ୍ଟୋ ୯୯ ବଲରେ ୧୫ ଚୌକା ଓ ୧ ଛକା ସହ ୧୦୬ ଓ ରୟ ୬୧ ବଲରେ ୮ ଚୌକା ସହ ୬୦ ରନ୍ କରିଥିଲେ।

ରିଭରସାଇଡ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମର ଦୁଇ ଓପ୍ନର ପୁଣିଥରେ ଶତକୀୟ (୧୨୩) ଭାଗୀଦାରୀ କରିଥିଲେ। ବେୟାରଷ୍ଟୋ ଆରମ୍ଭରୁ ନ୍ୟୁଜିଲ୍ୟାଣ୍ଡ୍ ପେସ୍ ବୋଲର ଟିମ୍ ସାଉଦିଙ୍କୁ ଆକ୍ରମଣ କରିଥିଲେ। ଏହିପରି ଭାବେ ବେୟାରଷ୍ଟୋ ମାତ୍ର ୪୬ ବଲରେ ଏବଂ ରୟ ୫୫ ବଲରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ।

ତେବେ ଅର୍ଦ୍ଧଶତକକୁ ରୟ ଶତକରେ ପୂରଣ କରିପାରିନଥିଲେ। ତାଙ୍କୁ ଜେମ୍ସ ନିଶାମ ଆଉଟ୍ କରିଥିଲେ। ବେୟାରଷ୍ଟୋ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖି ୯୫ ବଲରେ ଦ୍ୱାଦଶ ଦିନିକିଆ ଶତକ ହାସଲ କରିଥିଲେ। ତାଙ୍କ ସହ ରୁଟ୍ ଭଲ ବ୍ୟାଟିଂ କରି ଦ୍ୱିତୀୟ ୱିକେଟ୍ ପାଇଁ ୭୧ ରନ୍ ଯୋଡ଼ିଥିଲେ। ତେବେ ଦୁହିଁଙ୍କ ଆଉଟ୍ ପରେ ଇଂଲଣ୍ଡର ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା। ରୁଟ୍ ୨୪ ରନ୍ କରି ଟ୍ରେଣ୍ଟ ବୋଲ୍ଟଙ୍କ ଶିକାର ହୋଇଥିବା ବେଳେ ବେୟାରଷ୍ଟୋଙ୍କୁ ମ୍ୟାଟ୍ ହେନରୀ କ୍ଲିନ୍ ବୋଲ୍ଡ କରିଥିଲେ।

ବେୟାରଷ୍ଟୋଙ୍କ ଆଉଟ୍ ସମୟରେ ଇଂଲଣ୍ଡର ସ୍କୋର ୩୧.୪ ଓଭରରେ ୩ ୱିକେଟରେ ୨୦୬ ରନରେ ଥିଲା। ଯଦି ଇଂଲଣ୍ଡ ଏହି ରନ୍ ରେଟ୍ ଆଧାରରେ ଖେଳିଥାନ୍ତା, ତାହେଲେ ସ୍କୋର ୩୫୦ ଅତିକ୍ରମ କରିଥାନ୍ତା। କିନ୍ତୁ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ ଟିମକୁ ବଡ଼ ସ୍କୋରରେ ପହଞ୍ଚାଇପାରିନଥିଲା।

ବିଶେଷକରି ଭାରତ ବିପକ୍ଷ ମ୍ୟାଚରେ ଦ୍ରୁତ ରନ୍ କରିଥିବା ବେନ୍ ଷ୍ଟୋକ୍ସ ଆଜି ଏହାର ବିପରୀତ ବ୍ୟାଟିଂ କରିଥିଲେ। ସେ ୨୭ ବଲରେ ମାତ୍ର ୧୧ ରନ୍ କରି ଆଉଟ୍ ହୋଇଥିଲେ। କ୍ୟାପଟେନ୍ ମୋର୍ଗାନ୍ ଲଢ଼ୁଆ ୪୨ ରନର ଇନିଂସ୍ ଖେଳିଥିବା ବେଳେ ଜୋସ ବଟଲର୍ (୧୧), କ୍ରିସ୍ ଓକ୍ସ (୪), ଆଦିଲ୍ ରଶିଦ୍ (୧୬) ନିରାଶ କରିଥିଲେ। ଲିଆମ୍ ପ୍ଲଙ୍କେଟ୍ ୧୫ ଓ ଜୋଫ୍ରା ଆର୍ଚର୍ ୧ ରନ୍ କରି ଅପରାଜିତ ଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ବୋଲ୍ଟ, ହେନରୀ ଓ ଜେମ୍ସ ନିଶାମ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

Related story