ଏହି ୫ ପ୍ରମୁଖ କାରଣ ପାଇଁ ଟେଷ୍ଟ ସିରିଜ୍‌ ହାରିଲା ଭାରତ

କ୍ରାଇଷ୍ଟଚର୍ଚ୍ଚ: ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ଭାରତକୁ ମାତ୍ର ଅଢ଼େଇ ଦିନରେ ଢେର କରିଦେଇଛି। ଉକ୍ତ ଟେଷ୍ଟକୁ ନ୍ୟୁଜିଲ୍ୟାଣ୍ଡ୍ ୭ ୱିକେଟରେ ଜିତି ଦୁଇମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ପୋଛି ନେଇଛି। ଭାରତୀୟ ଟିମ୍ ପ୍ରଥମ ଇନିଂସରେ ୨୪୨ ରନ୍ କରିଥିଲା, ଯାହା ପରେ ବୋଲରମାନେ ନ୍ୟୁଜିଲ୍ୟାଣ୍ଡକୁ ୨୩୫ ରନରେ ସୀମିତ ରଖିଥିଲେ। ତେବେ ଦ୍ୱିତୀୟ ଇନିଂସରେ ଭାରତ ଅଧିକ ନୈରାଶ୍ୟଜନକ ବ୍ୟାଟିଂ କରି ମାତ୍ର ୧୨୪ ରନରେ ଅଲଆଉଟ୍ ହୋଇ ନ୍ୟୁଜିଲ୍ୟାଣ୍ଡ୍ ଆଗରେ […]

india

Ranjit Kumar Jena
  • Published: Monday, 02 March 2020
  • , Updated: 02 March 2020, 09:13 PM IST

କ୍ରାଇଷ୍ଟଚର୍ଚ୍ଚ: ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ଭାରତକୁ ମାତ୍ର ଅଢ଼େଇ ଦିନରେ ଢେର କରିଦେଇଛି। ଉକ୍ତ ଟେଷ୍ଟକୁ ନ୍ୟୁଜିଲ୍ୟାଣ୍ଡ୍ ୭ ୱିକେଟରେ ଜିତି ଦୁଇମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ପୋଛି ନେଇଛି। ଭାରତୀୟ ଟିମ୍ ପ୍ରଥମ ଇନିଂସରେ ୨୪୨ ରନ୍ କରିଥିଲା, ଯାହା ପରେ ବୋଲରମାନେ ନ୍ୟୁଜିଲ୍ୟାଣ୍ଡକୁ ୨୩୫ ରନରେ ସୀମିତ ରଖିଥିଲେ। ତେବେ ଦ୍ୱିତୀୟ ଇନିଂସରେ ଭାରତ ଅଧିକ ନୈରାଶ୍ୟଜନକ ବ୍ୟାଟିଂ କରି ମାତ୍ର ୧୨୪ ରନରେ ଅଲଆଉଟ୍ ହୋଇ ନ୍ୟୁଜିଲ୍ୟାଣ୍ଡ୍ ଆଗରେ ୧୩୨ ରନର ଟାର୍ଗେଟ୍ ରଖିଥିଲା। ଏହାକୁ ନ୍ୟୁଜିଲ୍ୟାଣ୍ଡ୍ ୩୬ ଓଭରରେ ୩ ୱିକେଟ୍ ହରାଇ ହାସଲ କରିନେଇଛି। ତେବେ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ଏହି ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତର ପରାଜୟ ପଛର କାରଣ କ'ଣ, ଆସନ୍ତୁ ଜାଣିବା।

ଆୟୋଜକ ଦଳର ନିମ୍ନକ୍ରମ ବ୍ୟାଟିଂ ହିଟ୍‌: ଆୟୋଜକ ଟିମର ନିମ୍ନକ୍ରମ ବ୍ୟାଟିଂ ବିଭାଗ ଦୁଇଟି ଯାକ ମ୍ୟାଚରେ ହିଟ୍ ରହିଥିଲା। ତେବେ ଘରୋଇ ଦଳର ଯେଉଁ ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍ ଅଧିକ ପ୍ରଭାବିତ କରିଛନ୍ତି, ସେ ହେଉଛନ୍ତି ଡେବ୍ୟୁଟାଣ୍ଟ କାଇଲ୍ ଜେମିସନ୍। ଜେମିସନ୍ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୪୯ ରନ୍ କରିଥିବା ବେଳେ ପ୍ରଥମ ଟେଷ୍ଟରେ ମଧ୍ୟ ସେ ୪୪ ରନର ମହତ୍ତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ନିଲ୍ ୱାଗନର ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୨୧ ରନ୍ କରିଥିଲା। କେବଳ ଏତିକି ନୁହେଁ ବାମହାତୀ ପେସ୍ ବୋଲର ଟ୍ରେଣ୍ଟ ବୋଲ୍ଟ ମଧ୍ୟ ପ୍ରଥମ ଟେଷ୍ଟରେ ୩୮ ରନର ନିର୍ଣ୍ଣାୟକ ଇନିଂସ୍ ଖେଳିଥିଲେ।

ନ୍ୟୁଜିଲ୍ୟାଣ୍ଡର ବୋଲିଂ ଆଟାକ୍‌: ଘରୋଇ ନ୍ୟୁଜିଲ୍ୟାଣ୍ଡ୍ ଟିମର ବୋଲିଂ ଆଟାକ୍ ପୂରା ସିରିଜରେ ଜବରଦସ୍ତ ରହିଥିଲା। ଏହି ଦୁଇଟି ଯାକ ଟେଷ୍ଟରେ କିୱି ଦଳର ପେସ୍ ବୋଲରମାନେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧିକି ରଖିଥିଲେ। କାଇଲ୍ ଜେମିସନ୍ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୫ ୱିକେଟ୍ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ଟ୍ରେଣ୍ଟ ବୋଲ୍ଟ ୪ ଏବଂ ଟିମ୍ ସାଉଦୀ ୩ଟି ୱିକେଟ୍ ଅକ୍ତିଆର କରିଥିଲେ। ପ୍ରଥମ ଟେଷ୍ଟରେ ସାଉଦୀ ଚମତ୍କାର ବୋଲିଂ କରି ୯ ୱିକେଟ୍ ଦଖଲ କରିଥିବା ବେଳେ ବୋଲ୍ଟ ୫ଟି ଏବଂ ଜେମିସନ୍ ୪ଟି ୱିକେଟର ସଫଳତା ପାଇଥିଲେ। ବଡ଼ କଥା ହେଉଛି, ଉଭୟ ମ୍ୟାଚରେ ବୋଲର ହିଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

ଆତ୍ମବିଶ୍ୱାସର ଅଭାବ: ଭାରତୀୟ ଟିମର କ୍ୟାପଟେନ୍ ବିରାଟ୍ କୋହଲି ମାନିଛନ୍ତି ଯେ ତାଙ୍କ ଟିମ୍ ଏହି ଟେଷ୍ଟରେ ଆଦୌ ଆତ୍ମବିଶ୍ୱାସ ଦେଖାଇନାହାନ୍ତି। ଏହାସହ ସେ ଆହୁରି କହିଛନ୍ତି ଯେ ରଣନୀତିକୁ ଲାଗୁ କରିବାରେ ସଫଳତା ମିଳିପାରିଲା ନାହିଁ। ଉଭୟ ଟେଷ୍ଟରେ ଭାରତ ସବୁ ବିଭାଗରେ ନ୍ୟୁଜିଲ୍ୟାଣ୍ଡଠାରୁ ପଛରେ ରହିଥିଲା।

ଭାରତୀୟ ବ୍ୟାଟିଂକ୍ରମ ଫେଲ୍‌: ଭାରତୀୟ ବ୍ୟାଟ୍ସମ୍ୟାନମାନେ ଏହି ସିରିଜରେ କିଛି ଖାସ୍ କରିନାହାନ୍ତି। ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ପୃଥ୍ୱୀ ଶ', ଚେତେଶ୍ୱର ପୂଜାରା ଓ ହନୁମା ବିହାରୀ ଅର୍ଦ୍ଧଶତକ ମାରିଥିଲେ ହେଁ, ଦ୍ୱିତୀୟ ଇନିଂସରେ ଏହି ତିନି ବ୍ୟାଟ୍ସମ୍ୟାନ୍ ଫ୍ଲପ୍ ରହିଥିଲେ। ବିରାଟ୍ କୋହଲିଙ୍କ ବ୍ୟାଟ୍ ପୂରା ସିରିଜରେ ସମ୍ପୂର୍ଣ୍ଣ ଚୁପ୍ ରହିଥିଲା, ଯାହାର ଫାଇଦା କିୱି ବୋଲରମାନେ ଉଠାଇଥିଲେ। କୋହଲି କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟର ପ୍ରଥମ ଇନିଂସରେ ୩ ଓ ଦ୍ୱିତୀୟ ଇନିଂସରେ ୧୪ ରନ୍ କରିବାକୁ ସକ୍ଷମ ହୋଇଥିଲେ।

କ୍ରାଇଷ୍ଟଚର୍ଚ୍ଚରେ ଟସ୍ ଓ ପିଚ୍‌: କ୍ରାଇଷ୍ଟଚର୍ଚ୍ଚରେ ଭାରତ ଟସ୍ ହାରିଥିଲା ଏବଂ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବିସିସିଆଇ ପୂର୍ବରୁ ହିଁ ପିଚର ଫଟୋ ଟ୍ୱିଟ୍ କରିଥିଲା, ଯେଉଁଥିରେ ବହୁତ ଘାସ ଥିବା ଦେଖିବାକୁ ମିଳିଥିଲା। ତେବେ ଏହା ଦ୍ୱାରା ବୋଲରଙ୍କୁ ବହୁତ ଫାଇଦା ହୋଇଥିଲା। ଭାରତର ବ୍ୟାଟ୍ସମ୍ୟାନ୍ ଏହି ମ୍ୟାଚରେ କୌଣସି କମାଲ୍ କରିପାରିନଥିଲେ। ଏହିପରି ଭାବେ ପ୍ରଥମ ଟେଷ୍ଟରେ ମଧ୍ୟ ନ୍ୟୁଜିଲ୍ୟାଣ୍ଡ୍ ଟସ୍ ଜିତିଥିଲା ଏବଂ ପ୍ରଥମେ ଫିଲ୍ଡିଂ କରିଥିଲା।

Related story