କ୍ରାଇଷ୍ଟଚର୍ଚ୍ଚ: ଯୁବ ବ୍ୟାଟ୍ସମ୍ୟାନ୍ ଶୁବମାନ୍ ଗିଲଙ୍କ ୮୩ ରନର ଇନିଂସ୍ ସତ୍ତ୍ୱେ ଭାରତ-ଏ ଏଠାରେ ଆରମ୍ଭ ହୋଇଥିବା ନ୍ୟୁଜିଲ୍ୟାଣ୍ଡ୍-ଏ ବିପକ୍ଷ ପ୍ରଥମ ଅନଅଫିସିଆଲ୍ ଟେଷ୍ଟର ପ୍ରଥମ ଇନିଂସରେ ୨୧୬ ରନରେ ଅଲଆଉଟ୍ ହୋଇଯାଇଛି। ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ଦିବସର ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୧୦୫ ରନ୍ କରି ମଜଭୁତ୍ ସ୍ଥିତିରେ ରହିଛି। ଆୟୋଜକ ଦଳ ଏବେ ୧୧୧ ରନରେ ପଛୁଆ ଥିବା ବେଳେ ହାତରେ ୮ ୱିକେଟ୍ ବାକି ରହିଛି।
ନ୍ୟୁଜିଲ୍ୟାଣ୍ଡ୍-ଏ ଟିମ୍ କ୍ୟାପଟେନ୍ ହାମିଶ୍ ରଦରଫର୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତ-ଏ ୧୭ ଓଭର ସୁଦ୍ଧା ୩୪ ରନରେ ୩ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା। ତେବେ ଏହା ପରେ ଗିଲ୍ ଓ କ୍ୟାପଟେନ୍ ହନୁମା ବିହାରୀ ଅର୍ଦ୍ଧଶତକ ମାରିବା ସହ ଚତୁର୍ଥ ୱିକେଟ୍ ପାଇଁ ୧୧୯ ରନର ଶତକୀୟ ଭାଗୀଦାରୀ କରି ଭାରତକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। କିନ୍ତୁ ଦୁହିଁଙ୍କ ଆଉଟ୍ ପରେ ଭାରତ ପୁଣି ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୨୧୬ ରନରେ ସୀମିତ ରହିଥିଲା।
ଗିଲ୍ ୮୩ ବଲରେ ୯ ଚୌକା ଓ ୨ ଛକା ସହ ୮୩ ରନ୍ କରିଥିବା ବେଳେ ବିହାରୀ ୭୯ ବଲରେ ୮ ଚୌକା ସହ ୫୧ ରନ୍ କରିଥିଲେ। ଦୁଇ ଓପ୍ନର ଅଭିମନ୍ୟୁ ଈଶ୍ୱରନ୍ (୮) ଓ ମୟଙ୍କ ଅଗ୍ରୱାଲ (୦) ନିରାଶ କରିଥିବା ବେଳେ ପ୍ରିୟଙ୍କ ପାଞ୍ଚାଲ୍ ୧୮, ଶ୍ରୀକର୍ ଭରତ ୧୬, ଶାହାବାଜ ନଦୀମ ୧୮ ରନ୍ କରି ଆଉଟ୍ ହୋଇଥିଲେ। ନ୍ୟୁଜିଲ୍ୟାଣ୍ଡ୍-ଏ ପକ୍ଷରୁ ମାଇକେଲ୍ ରାଇ ୪ଟି, କୋଲ୍ ମ୍ୟାକକୋଞ୍ଚି ୩ଟି ଓ ଜାକବ୍ ଡଫି ୨ଟି ୱିକେଟ୍ ନେଇଥିଲେ।
ନ୍ୟୁଜିଲ୍ୟାଣ୍ଡ୍-ଏ ପକ୍ଷରୁ କ୍ୟାପଟେନ୍ ରଦରଫର୍ଡ ୨୮ ଓ ରାଚିନ୍ ରବୀନ୍ଦ୍ର ୪୭ ରନ୍ କରି ଆଉଟ୍ ହୋଇଥିବା ବେଳେ ୱିଲ୍ ୟଙ୍ଗ୍ ୨୬ ଓ ଏଜାଜ ପଟେଲ୍ ୧ ରନ୍ କରି ଅପରାଜିତ ରହିଛନ୍ତି। ଭାରତ-ଏ ପକ୍ଷରୁ ମହମ୍ମଦ ସିରାଜ ଓ ଈଶାନ୍ ପୋରେଲ୍ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।