ମାଉଣ୍ଟ ମାଉଙ୍ଗାନୁଇ: ସୁପର୍ ସଣ୍ଡେରେ ଜବରଦସ୍ତ ବିଜୟ ସହ ଟି-୨୦ ସିରିଜକୁ ହ୍ୱାଇଟୱାଶ୍ କରିନେଇଛି ଟିମ୍ ଇଣ୍ଡିଆ। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ଦଳ କ୍ରମାଗତ ପଞ୍ଚମ ମ୍ୟାଚରେ ପରାସ୍ତ ହେବା ସହ ସମ୍ମାନ ରକ୍ଷା କରିବାରେ ବିଫଳ ହୋଇଛି। ବେ ଓଭାଲରେ ଖେଳାଯାଇଥିବା ଅନ୍ତିମ ମ୍ୟାଚରେ ଭାରତ ୭ ରନରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ବିଶ୍ୱକପ୍ ପାଇଁ ତା'ର ପ୍ରସ୍ତୁତି ଅଧିକ ମଜଭୁତ୍ କରିଛି। ଏହି ବିଜୟ ସହ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୫-୦ରେ ପୋଛି ନେଇଛି।
ରବିବାର ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ୱିକେଟ୍ ହରାଇ ୧୬୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ବିରାଟ୍ କୋହଲିଙ୍କ ସ୍ଥାନରେ କ୍ୟାପଟେନ୍ ଦାୟିତ୍ୱ ବହନ କରିଥିବା ରୋହିତ୍ ଟପ୍ ସ୍କୋରର ଭାବେ ସର୍ବାଧିକ ୬୦ (୪୧ ବଲ୍, ୩ ଚୌକା, ୩ ଛକା) ରନ୍ କରିଥିବା ବେଳେ ରାହୁଲ୍ ୪୫ ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ। ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ୨୦ ଓଭରରେ ୯ ୱିକେଟ୍ ହରାଇ ୧୫୬ ରନ୍ କରି ପରାସ୍ତ ହୋଇଛି।
୧୬୪ ରନର ଲକ୍ଷ୍ୟର ପିଛା କରୁଥିବା କିୱି ଟିମର ଆରମ୍ଭ ବହୁତ ଖରାପ ରହିଥିଲା। ଦଳ ୧୭ ରନରେ ୩ ୱିକେଟ୍ ହରାଇ ବଡ଼ ସଙ୍କଟରେ ପଡ଼ିଥିଲା । ଦୁଇ ଓପ୍ନର ମାର୍ଟିନ୍ ଗପ୍ଟିଲ୍ (୨)ଙ୍କୁ ଯଶପ୍ରୀତ ବୁମ୍ରାଙ୍କ ପ୍ୟାଭିଲିୟନ୍ ପଠାଇଥିବା ବେଳେ କଲିନ୍ ମୁନରୋ (୧୫)ଙ୍କୁ ୱାଶିଂଟନ୍ ସୁନ୍ଦର କ୍ଲିନ୍ ବୋଲ୍ଡ କରିଥିଲେ । ଟମ୍ ବ୍ରୁସ୍ କ୍ରମାଗତ ଦ୍ୱିତୀୟଥର ଲାଗି ଖାତା ଖୋଲିବା ପୂର୍ବରୁ ରନଆଉଟ୍ ହୋଇଥିଲେ।
ତେବେ ମଧ୍ୟକ୍ରମରେ ଟିମ୍ ସିଫର୍ଟ ଓ ରସ୍ ଟେଲର ପୁଣିଥରେ ଦଳ ପାଇଁ ଲଢ଼ିଥିଲେ ଏବଂ ଚତୁର୍ଥ ୱିକେଟ୍ ପାଇଁ ୮୯ ରନର ମଜଭୁତ୍ ପାର୍ଟନରଶିପ୍ କରି ଦଳକୁ ବିଜୟ ନିକଟତର କରାଇଥିଲେ। ଏହା ମଧ୍ୟରେ ଶିବମ ଦୁବେଙ୍କ ଗୋଟିଏ ଓଭରରେ କିୱି ବ୍ୟାଟ୍ସମ୍ୟାନ୍ ୩୪ ରନ୍ କରିଥିଲେ, ଯାହା ଭ୍ରମଣକାରୀ ଦଳ ପାଇଁ ଟର୍ଣ୍ଣିଂ ପଏଣ୍ଟ ହୋଇଥିଲେ। କିନ୍ତୁ ଏହି ଯୋଡ଼ିକୁ ଭାଙ୍ଗି ନଭଦୀପ ସାଇନି ମ୍ୟାଚରେ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସାଇନି ଉଭୟ ସିଫର୍ଟ ଓ ଟେଲରଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ।
ପୂର୍ବରୁ ଭାରତ ତା'ର ନିୟମିତ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ବିନା ମଇଦାନକୁ ଓହ୍ଲାଇଥିଲା। କାମଚଳା କ୍ୟାପଟେନ୍ ରୋହିତ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ରୋହିତଙ୍କ ବଦଳରେ ରାହୁଲଙ୍କ ସହ ସଞ୍ଜୁ ସାମସନ୍ ପୁଣି ଓପନ୍ କରିବାକୁ ଆସିଥିଲେ। ସାମସନ୍ ପୁଣିଥରେ ସୁଯୋଗର ଫାଇଦା ଉଠାଇବାରେ ବିଫଳ ହୋଇଥିଲେ ଏବଂ ମାତ୍ର ୨ ରନ୍ କରି ସ୍କଟ୍ କୁଗେଲାଇନଙ୍କ ଶିକାର ହୋଇଥିଲେ। ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା କ୍ୟାପଟେନ୍ ରୋହିତ୍ ଓ ରାହୁଲ୍ ସ୍ଥିତି ସମ୍ଭାଳିଥିଲେ।
ରାହୁଲ୍ ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ବେଳେ ରୋହିତ୍ ସେଟ୍ ହେବା ପାଇଁ ସମୟ ନେଇଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୮୮ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରି ଭାରତକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ରାହୁଲ୍ ବ୍ୟକ୍ତିଗତ ୪୫ (୩୩ ବଲ୍, ୪ ଚୌକା, ୨ ଛକା) ରନ୍ କରିଥିବା ବେଳେ ହାମିଶ୍ ବେନେଟ୍ଟଙ୍କ ବଲରେ ଆଉଟ୍ ହୋଇଥିଲେ । ଆୟର୍ ଦ୍ୱାଦଶ ଓଭରରେ କ୍ରିଜରେ ପାଦ ରଖିଥିଲେ ଏବଂ ସାଣ୍ଟନରଙ୍କୁ ଛକା ମାରିଥିଲେ, କିନ୍ତୁ ଡେଥ୍ ଓଭରରେ ସେ ଆଶାମୁତାବକ ଦ୍ରୁତ ରନ୍ କରିପାରିନଥିଲେ। ରୋହିତ୍ ଅର୍ଦ୍ଧଶତକ ମାରିବା ପରେ ଦ୍ରୁତ ରନ୍ କରିଥିଲେ ହେଁ, ଠିକଣା ସମୟରେ ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରୀ କାରଣରୁ ରିଟାୟର୍ଡ ହର୍ଟ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ୧୬୩/୩, ୨୦ ଓଭର: ରୋହିତ୍ ଶର୍ମା ୬୦*, ଲୋକେଶ ରାହୁଲ୍ ୪୫, ଶ୍ରେୟସ ଆୟର୍ ୩୩*, ମନିଷ ପାଣ୍ଡେ ୧୧*, ସ୍କଟ୍ କୁଗେଲାଇନ୍ ୨/୨୫।
ନ୍ୟୁଜିଲ୍ୟାଣ୍ଡ୍ ୧୫୬/୯, ୨୦ ଓଭର: ରସ୍ ଟେଲର୍ ୫୩, ଟିମ୍ ସିଫର୍ଟ ୫୦, ଇଶ ସୋଢୀ ୧୬*, ଯଶପ୍ରୀତ ବୁମ୍ରା ୩/୧୨, ନଭଦୀପ ସାଇନି ୨/୨୩, ଶାର୍ଦ୍ଦୁଲ ଠାକୁର ୨/୩୮।