ପୁରୁଷ ଦଳର ସଂଘର୍ଷପୂର୍ଣ୍ଣ ବିଜୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍): ମହିଳା ଟିମର ଏକତରଫା ବିଜୟ ପରେ ଭାରତୀୟ ପୁରୁଷ ଟିମ୍ ତା’ର ପ୍ରଥମ ମ୍ୟାଚରେ ରୁଷକୁ ୪-୨ ଗୋଲରେ ପରାସ୍ତ କରି ଅଲିମ୍ପିକ୍ ଆଡ଼କୁ ପାଦେ ଆଗେଇଛି। ଭାରତ ପକ୍ଷରୁ ମନଦୀପ ସିଂହ ଦୁଇଟି (୨୪ତମ, ୫୩ତମ) ଗୋଲ୍ ଦେଇଥିବା ବେଳେ ହରମନପ୍ରୀତ ସିଂହ (ପଞ୍ଚମ) ଓ ଏସଭି ସୁନୀଲ (୪୮ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ସେହିପରି ରୁଷ୍ ପକ୍ଷରୁ ଆନ୍ଦ୍ରେ କୁରାଇଭ (୧୭ତମ) ଓ ସେମେନ୍ ମାଟକୋଭସ୍କି (୬୦ତମ) ଗୋଟିଏ […]

mens-team

Ranjit Kumar Jena
  • Published: Friday, 01 November 2019
  • , Updated: 01 November 2019, 10:15 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍): ମହିଳା ଟିମର ଏକତରଫା ବିଜୟ ପରେ ଭାରତୀୟ ପୁରୁଷ ଟିମ୍ ତା'ର ପ୍ରଥମ ମ୍ୟାଚରେ ରୁଷକୁ ୪-୨ ଗୋଲରେ ପରାସ୍ତ କରି ଅଲିମ୍ପିକ୍ ଆଡ଼କୁ ପାଦେ ଆଗେଇଛି। ଭାରତ ପକ୍ଷରୁ ମନଦୀପ ସିଂହ ଦୁଇଟି (୨୪ତମ, ୫୩ତମ) ଗୋଲ୍ ଦେଇଥିବା ବେଳେ ହରମନପ୍ରୀତ ସିଂହ (ପଞ୍ଚମ) ଓ ଏସଭି ସୁନୀଲ (୪୮ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ସେହିପରି ରୁଷ୍ ପକ୍ଷରୁ ଆନ୍ଦ୍ରେ କୁରାଇଭ (୧୭ତମ) ଓ ସେମେନ୍ ମାଟକୋଭସ୍କି (୬୦ତମ) ଗୋଟିଏ ଲେଖାଏ ଗୋଲ୍ ପରିଶୋଧ କରିଥିଲେ।

ମ୍ୟାଚର ପଞ୍ଚମ ମିନିଟରେ ଭାରତକୁ ପେନାଲ୍ଟି ଷ୍ଟ୍ରୋକ୍ ମିଳିଥିଲା, ଯାହାକୁ ହରମନପ୍ରୀତ ଗୋଲରେ ପରିଣତ କରିଥିଲେ। ଏହି ଗୋଲ୍ ସହ ଭାରତ ୧-୦ରେ ଆଗୁଆ ହୋଇଥିଲା। ତିନି ମିନିଟ୍ ପରେ ରୁଷକୁ ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ, ଏହାକୁ ସେମାନେ ଗୋଲରେ ପରିଣତ କରିପାରି ନଥିଲେ। ଦ୍ୱିତୀୟ କ୍ୱାର୍ଟରରେ ରୁଷର ଆନ୍ଦ୍ରେ କୁରାଇଭ୍ ୧୭ତମ ମିନିଟରେ ଆକର୍ଷଣୀୟ ଗୋଲ୍ ଦେଇ ସ୍କୋରକୁ ୧-୧ରେ ବରାବର ସ୍ଥିତିକୁ ଆଣିଥିଲେ। କିନ୍ତୁ ଅପେକ୍ଷାକୃତ ମଜଭୁତ୍ ଭାରତ ପ୍ରତିଆକ୍ରମଣ କରିଥିଲା ଏବଂ ୨୪ତମ ମିନିଟରେ ମନଦୀପ ସିଂହ ଆକର୍ଷଣୀୟ ଫିଲ୍ଡ ଗୋଲ୍ ଦେଇ ନିଜ ଟିମକୁ ୨-୧ରେ ଆଗୁଆ କରାଇଥିଲେ। ଏଥିସହ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଭାରତ ୨-୧ ଗୋଲରେ ଆଗୁଆ ରହିଥିଲା।

ତୃତୀୟ କ୍ୱାର୍ଟର ଗୋଲଶୂନ୍ୟ ରହିଥିବା ବେଳେ ଚତୁର୍ଥ କ୍ୱାର୍ଟର୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଚତୁର୍ଥ କ୍ୱାର୍ଟର ଆରମ୍ଭ ହେବାର ତିନି ମିନିଟ୍ ବ୍ୟବଧାନରେ ସୁନୀଲ ପେନାଲ୍ଟି କର୍ଣ୍ଣର ଦ୍ୱାରା ଗୋଲ୍ ଦେଇ ସ୍କୋରକୁ ୩-୧ରେ ପହଞ୍ଚାଇଥିଲେ। ପାଞ୍ଚ ମିନିଟ୍ ପରେ ମନଦୀପ ନିଜର ଦ୍ୱିତୀୟ ଗୋଲ୍ ଦେଇ ଭାରତକୁ ୪-୧ରେ ଆଗୁଆ କରାଇଥିଲେ। ୫୭ତମ ମିନିଟରେ ଭାରତ ପେନାଲ୍ଟି କର୍ଣ୍ଣର ସୁଯୋଗ ହାତଛଡ଼ା କରିଥିଲା। ଶେଷ ମିନିଟରେ ରୁଷକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ସେମେନ୍ ମାଟକୋଭସ୍କି ଗୋଲରେ ପରିଣତ କରି ବ୍ୟବଧାନକୁ କମ୍ କରିଥିଲେ। ଆସନ୍ତାକାଲି ଭାରତ ପୁଣିଥରେ ରୁଷକୁ ଭେଟିବ ଏବଂ ଏହି ମୁକାବିଲା ଜିତି ଅଲିମ୍ପିକ୍ ଟିକେଟ୍ ସୁନିଶ୍ଚିତ କରିବାକୁ ପ୍ରୟାସ କରିବ।

Related story