ଶନିବାର ହେଡିଙ୍ଗ୍‌ଲେରେ ଭାରତ-ଶ୍ରୀଲଙ୍କା ଲଢ଼େଇ

ଲିଡ୍ସ: ଚଳିତ ଆଇସିସି ବିଶ୍ୱକପର ରାଉଣ୍ଡ୍ ରବିନ୍ ଶନିବାର ଶେଷ ହେବାକୁ ଯାଉଛି। ଶନିବାର ଦୁଇଟି ମ୍ୟାଚ୍ ଖେଳାଯିବ। ହେଡିଙ୍ଗଲେରେ ଭାରତ ତା’ର ଶେଷ ମୁକାବିଲାରେ ଶ୍ରୀଲଙ୍କାକୁ ଭେଟିବ। ସେହିପରି ଟୁର୍ଣ୍ଣାମେଣ୍ଟର ଶେଷ ରାଉଣ୍ଡ୍ ରବିନ୍ ମ୍ୟାଚରେ ଅଷ୍ଟ୍ରେଲିଆର ସାମ୍ନା ଦକ୍ଷିଣ ଆଫ୍ରିକା ସହ ହେବ। ତେବେ ଏହି ଦୁଇଟି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଭାରତ ଯଦି ଶ୍ରୀଲଙ୍କାକୁ ହରାଇଦିଏ, ତାହେଲେ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିବ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଯଦି ବିଜୟୀ ହୁଏ, ଟେବୁଲ ଟପ୍ପର୍ […]

ind vs sri

Hemant Lenka
  • Published: Friday, 05 July 2019
  • , Updated: 05 July 2019, 06:30 PM IST

ଲିଡ୍ସ: ଚଳିତ ଆଇସିସି ବିଶ୍ୱକପର ରାଉଣ୍ଡ୍ ରବିନ୍ ଶନିବାର ଶେଷ ହେବାକୁ ଯାଉଛି। ଶନିବାର ଦୁଇଟି ମ୍ୟାଚ୍ ଖେଳାଯିବ। ହେଡିଙ୍ଗଲେରେ ଭାରତ ତା'ର ଶେଷ ମୁକାବିଲାରେ ଶ୍ରୀଲଙ୍କାକୁ ଭେଟିବ। ସେହିପରି ଟୁର୍ଣ୍ଣାମେଣ୍ଟର ଶେଷ ରାଉଣ୍ଡ୍ ରବିନ୍ ମ୍ୟାଚରେ ଅଷ୍ଟ୍ରେଲିଆର ସାମ୍ନା ଦକ୍ଷିଣ ଆଫ୍ରିକା ସହ ହେବ। ତେବେ ଏହି ଦୁଇଟି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ।

ଭାରତ ଯଦି ଶ୍ରୀଲଙ୍କାକୁ ହରାଇଦିଏ, ତାହେଲେ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିବ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଯଦି ବିଜୟୀ ହୁଏ, ଟେବୁଲ ଟପ୍ପର୍ ହେବ। ତେଣୁ ଭାରତ ଚାହିଁବ ଅଷ୍ଟ୍ରେଲିଆ ତା'ର ଶେଷ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ହାରିଯାଉ ଏବଂ ନିଜେ ଶ୍ରୀଲଙ୍କାକୁ ହରାଇ ଶୀର୍ଷରେ ପହଞ୍ଚିବ। ଅନ୍ୟପକ୍ଷରେ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ପାଇଁ ଏହି ମ୍ୟାଚର କୌଣସି ଗୁରୁତ୍ୱ ନଥିଲେ ହେଁ, ଉଭୟ ଟିମ୍ ସମ୍ମାନ ରକ୍ଷା ପାଇଁ ଖେଳିବେ।

ଟୁର୍ଣ୍ଣାମେଣ୍ଟରେ ଭାରତ ଏପର୍ଯ୍ୟନ୍ତ ୮ଟି ମୁକାବିଲାରୁ ୬ ବିଜୟ ଏବଂ ଗୋଟିଏ ପରାଜୟ ସହ ୧୩ ପଏଣ୍ଟ ହାସଲ କରିଛି। ଭାରତ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଆସିଛି। କିନ୍ତୁ ମିଡିଲ୍ ଅର୍ଡର ସମସ୍ୟା ଟିମର ପିଛା ଛାଡ଼ୁନି। ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତର ମିଡିଲ୍ ଅର୍ଡର ଆଦୌ ଆଶାନୁରୂପ ପ୍ରଦର୍ଶନ କରିନାହାନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ଉପସ୍ଥିତି ସତ୍ତ୍ୱେ ମିଡିଲ୍ ଅର୍ଡର୍ ଫେଲ୍ ମାରୁଛି। ଯେହେତୁ ଭାରତ ଏହି ମ୍ୟାଚ୍ ପରେ ସେମିଫାଇନାଲ୍ ଖେଳିବ, ତେଣୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ଭାରତୀୟ ମିଡିଲ୍ ଅର୍ଡର୍ ପାଇଁ ପରୀକ୍ଷା ସଦୃଶ ହେବ।

ଭାରତ ଅଧିନାୟକ ବିରାଟ୍ କୋହଲି ଓ ଉପଅଧିନାୟକ ରୋହିତ୍ ଶର୍ମାଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ପ୍ରଭାବଶାଳୀ ପ୍ରଦର୍ଶନ କରିପାରିନାହାନ୍ତି। ରୋହିତ୍ ୫୪୪ ରନ୍ କରି ଟୁର୍ଣ୍ଣାମେଣ୍ଟର ଟପ୍ ସ୍କୋରର ଅଛନ୍ତି। ସେହିପରି ବିରାଟ୍ ମଧ୍ୟ ୪୦୦ରୁ ଅଧିକ ରନ୍ କରି ଭଲ ଫର୍ମରେ ଅଛନ୍ତି। ରୋହିତ୍ ଟୁର୍ଣ୍ଣାମେଣ୍ଟ ୪ଟି ଶତକ ମାରିସାରିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ଆଉ ଏକ ଶତକ ମାରିଲେ, ସେ ବିଶ୍ୱ ରେକର୍ଡ ସ୍ଥାପନ କରିବେ। ରୋହିତ୍ ନିଜର ଶେଷ ଦୁଇଟି ମ୍ୟାଚରେ ଶତକ ମାରିଥିଲେ ହେଁ, ଏହାକୁ ବଡ଼ ସ୍କୋରରେ ପରିଣତ କରିପାରିନାହାନ୍ତି। ବିରାଟ୍ ନିଜର ଅର୍ଦ୍ଧଶତକକୁ ଶତକରେ ପରିଣତ କରିନପାରିବା ପ୍ରଶଂସକଙ୍କୁ ନିରାଶ କରିଛି। ଓପ୍ନର ଲୋକେଶ ରାହୁଲ୍ ଭଲ ଆରମ୍ଭ କରୁଥିଲେ ହେଁ, ଖରାପ ଶଟ୍ ଖେଳି ନିଜ ୱିକେଟ୍ ଦେଇ ବସୁଛନ୍ତି। ତେଣୁ ରାହୁଲଙ୍କୁ ଦାୟିତ୍ୱବାନ୍ ହୋଇ ଖେଳିବାକୁ ପଡ଼ିବ।

ରିଷଭ ପନ୍ତଙ୍କ ଉପସ୍ଥିତି ଟିମ୍ ଇଣ୍ଡିଆ ବ୍ୟାଟିଂକୁ ମଜଭୁତ୍ କରିଛି, କିନ୍ତୁ ସେ ମଧ୍ୟ ଦାୟିତ୍ୱହୀନ ବ୍ୟାଟିଂ କରି ୱିକେଟ୍ ହରାଉଛନ୍ତି। ମହେନ୍ଦ୍ର ସିଂହ ଧୋନି ଟିମ୍ ପାଇଁ ବଡ଼ ଚିନ୍ତା। ଧୋନିଙ୍କ ବ୍ୟାଟିଂ ଟେକନିକକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି। ଧୋନିଙ୍କ ନିକଟରେ ଆଉ ସେହି ପୁରୁଣା ମାହି ଦେଖିବାକୁ ମିଳୁନାହିଁ, ଯିଏ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଦ୍ୱାରା ବୋଲରଙ୍କ ଲାଇନ୍ ଲେନ୍ଥ ବିଗାଡ଼ି ଦେଉଥିଲେ। ଧୋନି ଚଳିତ ବିଶ୍ୱକପରେ ସ୍ପିନରଙ୍କ ବିରୋଧରେ ଅଧିକ ଖରାପ ପ୍ରଦର୍ଶନ କରିଛନ୍ତି। ସେ ସ୍ପିନରଙ୍କ ବିରୋଧରେ ୮୧ ବଲ୍ ଖେଳି ମାତ୍ର ୪୭ ରନ୍ କରିଛନ୍ତି। ଏହାଛଡ଼ା ଧୋନି ଆହତ ଥିବା ଖବର ମଧ୍ୟ ମିଳିଛି। ଯଦି ଧୋନି ଆହତ ଥାନ୍ତି, ତାହେଲେ ଆସନ୍ତାକାଲି ମ୍ୟାଚରେ ତାଙ୍କୁ ବିଶ୍ରାମ ଦିଆଯାଇପାରେ।

ଦିନେଶ କାର୍ତ୍ତିକଙ୍କୁ ବାଂଲାଦେଶ ବିପକ୍ଷ ମ୍ୟାଚରେ ସୁଯୋଗ ମିଳିଥିଲେ ହେଁ, ସେ ଏହାର ଫାଇଦା ଉଠାଇପାରି ନଥିଲେ। ଏପର୍ଯ୍ୟନ୍ତ ସବୁ ଖେଳାଳିଙ୍କୁ ସୁଯୋଗ ମିଳିସାରିଛି, କିନ୍ତୁ ରବୀନ୍ଦ୍ର ଜାଡେଜା ଏବେବି ବାହାରେ ବସିଛନ୍ତି। ଜାଡେଜା ବଦଳ ଖେଳାଳି ଭାବେ ଫିଲ୍ଡିଂ କରି ନିଜର ଉପସ୍ଥିତି ଜାହିର୍ କରିସାରିଥିଲେ ହେଁ, କ୍ୟାପଟେନ୍ କୋହଲି ତାଙ୍କ ଉପରେ ଭରସା ଦେଖାଇ ନାହାନ୍ତି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ହୁଏତ ଜାଡେଜାଙ୍କୁ ସୁଯୋଗ ମିଳିପାରେ। ବାଂଲାଦେଶ ବିପକ୍ଷ ମ୍ୟାଚରେ ଭାରତ ତିନି ସ୍ପେଶାଲିଷ୍ଟ ପେସର୍ ଓ ଗୋଟିଏ ସ୍ପିନର୍ ଖେଳାଇଥିଲା ଏବଂ ସଫଳ ମଧ୍ୟ ହୋଇଥିଲା। କିନ୍ତୁ ଭାରତକୁ ଏବେବି ଷଷ୍ଠ ବୋଲରର ଆବଶ୍ୟକତା ରହିଛି।

ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବାଂଲାଦେଶ ବିପକ୍ଷରେ ଚମତ୍କାର ବୋଲିଂ କରି ତିନୋଟି ମୂଲ୍ୟବାନ୍ ୱିକେଟ୍ ନେଇଥିଲେ। ସେହିପରି ପେସର ଯଶପ୍ରୀତ ବୁମ୍ରା ନିଜର ଜବରଦସ୍ତ ଫର୍ମ ବଜାୟ ରଖି ୪ଟି ୱିକେଟ୍ ନେଇଥିଲେ। ସେମିଫାଇନାଲ୍ ପୂର୍ବରୁ ବିରାଟ୍ ବୁମ୍ରାଙ୍କୁ ବିଶ୍ରାମ ଦେବା ନେଇ ଯୋଜନା କରୁଥିଲେ। ଯଦି ବୁମ୍ରା ନଖେଳନ୍ତି, ତାହେଲେ ଜାଡେଜା କିମ୍ବା କୁଲଦୀପ ଯାଦବ ସୁଯୋଗ ପାଇପାରନ୍ତି। ଭୁବନେଶ୍ୱର ବାଂଲାଦେଶ ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ବେଳେ ମହମ୍ମଦ ଶାମି ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ତେଣୁ ଆସନ୍ତାକାଲି ମ୍ୟାଚ୍ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ।

ଅନ୍ୟପକ୍ଷରେ ଶ୍ରୀଲଙ୍କା ପାଇଁ ଏବେ ହରାଇବାକୁ କିଛି ନାହିଁ। ଟିମ୍ ତା'ର ଶେଷ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ହରାଇଥିଲା। ଶ୍ରୀଲଙ୍କା ପକ୍ଷେ ଭାରତକୁ ହରାଇବା ସହଜ ହେବନି। କିନ୍ତୁ ଏହି ଟିମ୍ ଇଂଲଣ୍ଡକୁ ହରାଇ ସମସ୍ତଙ୍କୁ ଚକିତ କରିସାରିଛି। ଭାରତକୁ ହରାଇବାକୁ ହେଲେ, ଶ୍ରୀଲଙ୍କାକୁ ବ୍ୟାଟିଂରେ ଉନ୍ନତି ଆଣିବାକୁ ପଡ଼ିବ। ଟିମର୍ ଷ୍ଟାର୍ ପେସ୍ ବୋଲର ଲସିଥ୍ ମାଲିଙ୍ଗା ନିଜର ଶେଷ ବିଶ୍ୱକପ୍ ମ୍ୟାଚକୁ ସ୍ମରଣୀୟ କରିବାକୁ ଚାହିଁବେ। ଗତ ମ୍ୟାଚରେ ଶତକ ମାରିଥିବା ଅଭିସ୍କା ଫର୍ଣ୍ଣାଣ୍ଡୋ ଆଉ ଏକ ବଡ଼ ଇନିଂସ୍ ଖେଳିବାକୁ ଚାହିଁବେ। ଶ୍ରୀଲଙ୍କା ପାଇଁ ମଧ୍ୟକ୍ରମ ମୁଖ୍ୟ ଚିନ୍ତାର ବିଷୟ। ଯଦି ମଧ୍ୟକ୍ରମ ବ୍ୟାଟିଂ ଲାଇନ୍ କ୍ଲିକ୍ କରନ୍ତି, ତାହେଲେ ସେମାନେ ବଡ଼ ସ୍କୋର କରି ଭାରତକୁ ହରାଇ ପାରିବେ।

Related story