ଗୁରୁବାର ଭାରତ-ନ୍ୟୁଜିଲ୍ୟାଣ୍ଡ ଲଢ଼େଇ: ଓପନିଂକୁ ନେଇ ଚିନ୍ତାରେ ଟିମ୍ ଇଣ୍ଡିଆ

ନଟ୍ଟିଂହାମ୍: ଚଳିତ ବିଶ୍ୱକପରେ ଭାରତ ତା’ର ତୃତୀୟ ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବାକୁ ଯାଉଛି। ଏହି ମ୍ୟାଚ୍ ଗୁରୁବାର ଟ୍ରେଣ୍ଟ ବ୍ରିଜରେ ଖେଳାଯିବ। ଚଳିତ ବିଶ୍ୱକପରେ ବର୍ଷା ପ୍ରମୁଖ ଭୂମିକା ବହନ କରିଛି। ଏଭଳି ସ୍ଥିତିରେ ଆସନ୍ତାକାଲି ମ୍ୟାଚ୍ ଉପରେ ମଧ୍ୟ ବର୍ଷାର ବାଧା ସୃଷ୍ଟି କରିପାରେ। ପାଣିପାଗ ବିଭାଗ ଅନୁଯାୟୀ, ଗୁରୁବାର ନଟ୍ଟିଂହାମରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି କାରଣୁ ଭାରତ ତା’ର ଅନ୍ତିମ ଏକାଦଶରେ ଅତିରିକ୍ତ ପେସ୍ ବୋଲର ସହ ମଇଦାନକୁ ଓହ୍ଲାଇପାରେ। ଏହି […]

team-india

Hemant Lenka
  • Published: Wednesday, 12 June 2019
  • , Updated: 12 June 2019, 08:56 PM IST

ନଟ୍ଟିଂହାମ୍: ଚଳିତ ବିଶ୍ୱକପରେ ଭାରତ ତା'ର ତୃତୀୟ ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବାକୁ ଯାଉଛି। ଏହି ମ୍ୟାଚ୍ ଗୁରୁବାର ଟ୍ରେଣ୍ଟ ବ୍ରିଜରେ ଖେଳାଯିବ। ଚଳିତ ବିଶ୍ୱକପରେ ବର୍ଷା ପ୍ରମୁଖ ଭୂମିକା ବହନ କରିଛି। ଏଭଳି ସ୍ଥିତିରେ ଆସନ୍ତାକାଲି ମ୍ୟାଚ୍ ଉପରେ ମଧ୍ୟ ବର୍ଷାର ବାଧା ସୃଷ୍ଟି କରିପାରେ।

ପାଣିପାଗ ବିଭାଗ ଅନୁଯାୟୀ, ଗୁରୁବାର ନଟ୍ଟିଂହାମରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି କାରଣୁ ଭାରତ ତା'ର ଅନ୍ତିମ ଏକାଦଶରେ ଅତିରିକ୍ତ ପେସ୍ ବୋଲର ସହ ମଇଦାନକୁ ଓହ୍ଲାଇପାରେ। ଏହି ମ୍ୟାଚ୍ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି। ଟିମର ଷ୍ଟାର ଓପ୍ନର ଶିଖର ଧୱନ୍ ଆହତ କାରଣରୁ ତିନି ସପ୍ତାହ ବାଦ୍ ପଡ଼ିଛନ୍ତି। ଏଭଳି ସ୍ଥିତିରେ ରୋହିତ୍ ଶର୍ମାଙ୍କ ସହ କିଏ ଓପନ୍ କରିବ, ତାହା ସ୍ଥିର ହୋଇନାହିଁ। କିନ୍ତୁ ମିଳିଥିବା ଖବର ଅନୁଯାୟୀ, ରୋହିତଙ୍କ ସହ ଲୋକେଶ ରାହୁଲ ଇନିଂସ୍ ଆରମ୍ଭ କରିପାରନ୍ତି।

ରେକର୍ଡ: ଟୁର୍ଣ୍ଣାମେଣ୍ଟରେ ଉଭୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଅପରାଜେୟ ରହିଛନ୍ତି। ବିରାଟ ସେନା ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଭଳି ବଡ଼ ଟିମକୁ ହରାଇଛି। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ତା'ର ତିନୋଟି ଯାକ ମ୍ୟାଚରେ ଯଥାକ୍ରମେ ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶକୁ ପରାସ୍ତ କରିଛି। ବିଶ୍ୱକପରେ ଉଭୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ପରସ୍ପରକୁ ୮ଥର ଭେଟିଛନ୍ତି। ଏଥିରୁ ନ୍ୟୁଜିଲ୍ୟାଣ୍ଡ୍ ଚାରୋଟି ଓ ଭାରତ ୩ଟିରେ ବିଜୟୀ ହୋଇଛି। ତେଣୁ ବିଶ୍ୱକପ୍ ରେକର୍ଡ ନ୍ୟୁଜିଲ୍ୟାଣ୍ଡ୍ ସପକ୍ଷରେ ରହିଛି। ଏହାଛଡ଼ା ୱାର୍ମଅପ୍ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ନ୍ୟୁଜିଲ୍ୟାଣ୍ଡ୍ ପେସ୍ ଆକ୍ରମଣ ଆଗରେ ଆତ୍ମସମର୍ପଣ କରିଥିଲେ। ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବିଶେଷକରି ଟ୍ରେଣ୍ଟ ବୋଲ୍ଟଙ୍କ ବିରୋଧରେ ସତର୍କ ରହିବାକୁ ପଡ଼ିବ।

ଭାରତ: ଧୱନଙ୍କ ବାଦ୍ ପଡ଼ିବା କ୍ୟାପଟେନ୍ କୋହଲି ଓ କୋଚ୍ ରବି ଶାସ୍ତ୍ରୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଧୱନ୍ ଓ ରୋହିତ୍ ଭାରତର ଦ୍ୱିତୀୟ ସଫଳ ଓପନିଂ ଯୋଡ଼ି। ତେଣୁ ଧୱନଙ୍କ ଅନୁପସ୍ଥିତି ନିଶ୍ଚିତ ଭାବେ ଟିମର ବ୍ୟାଟିଂ ଲାଇନ୍ ଉପରେ ପ୍ରଭାବ ପକାଇବ। ଯଦି ଧୱନଙ୍କ ସ୍ଥାନରେ ରାହୁଲ ଓପନ୍ କରିବେ, ତାହେଲେ ଚତୁର୍ଥ ସ୍ଥାନରେ ବିଜୟ ଶଙ୍କର କିମ୍ବା ଦିନେଶ କାର୍ତ୍ତିକଙ୍କୁ ସୁଯୋଗ ମିଳିପାରେ। ରାହୁଲ ଓ ରୋହିତ୍ ବର୍ତ୍ତମାନ ଭଲ ଫର୍ମରେ ଅଛନ୍ତି ଏବଂ ଦୁହେଁ ନ୍ୟୁଜିଲ୍ୟାଣ୍ଡ୍ ପେସ୍ ଆଟାକକୁ ସାମ୍ନା କରିପାରିବେ।

ଚତୁର୍ଥ ସ୍ଥାନ ପାଇଁ ଶଙ୍କର ଓ କାର୍ତ୍ତିକଙ୍କ ବ୍ୟତୀତ କେଦାର ଯାଦବ ମଧ୍ୟ ଭଲ ବିକଳ୍ପ। କିନ୍ତୁ ଚତୁର୍ଥ ସ୍ଥାନରେ ଏହି ତିନିଜଣଙ୍କ ପ୍ରଦର୍ଶନ ସେତେଟା ଭଲ ରହିନାହିଁ। କିନ୍ତୁ ନିକଟ ପ୍ରଦର୍ଶନକୁ ଦେଖିଲେ, ଶଙ୍କର ଏହି ସ୍ଥାନ ପାଇଁ ପ୍ରଥମ ପସନ୍ଦ। ମ୍ୟାଚର ଦିନକ ପୂର୍ବରୁ ଶଙ୍କର ନେଟ୍ ସେନରେ ମଧ୍ୟ ଅଧିକ ସମୟ ଧରି ବ୍ୟାଟିଂ କରିଥିଲେ। ପରିସ୍ଥିତି ଅନୁଯାୟୀ ମହେନ୍ଦ୍ର ସିଂହ ଧୋନି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଂ ପୋଜିସନରେ ପରିବର୍ତ୍ତନ କରାଯାଇପାରେ।

ବୋଲିଂରେ ଭାରତ କିଛିଟା ପରିବର୍ତ୍ତନ କରିପାରେ। ଏଠାରେ ଗତ ତିନିଦିନ ହେବ ବର୍ଷା ଲାଗି ରହିଛି। ଗୁରୁବାର ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଭାରତ ତା'ର ଚୂଡ଼ାନ୍ତ ଏକାଦଶରେ ଅତିରିକ୍ତ ପେସ୍ ବୋଲର ଭାବେ ମହମ୍ମଦ ଶାମିଙ୍କୁ ନେଇ ଖେଳିପାରେ। ଯଦି ଶାମି ଖେଳନ୍ତି, ତାହେଲେ ଦୁଇ ସ୍ପିନର ଅର୍ଥାତ୍ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରୁ ଜଣେ ବାଦ୍ ପଡ଼ିବେ।

ନ୍ୟୁଜିଲ୍ୟାଣ୍ଡ୍: ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ଭଲ ଫର୍ମରେ ଅଛି। ଟିମ୍ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିଆସିଛି। ଟିମର ମୁଖ୍ୟ ଶକ୍ତି ହେଉଛି ତା'ର ବୋଲିଂ। ବୋଲ୍ଟଙ୍କ ନେତୃତ୍ୱରେ ଲକି ଫର୍ଗୁସନ୍, ମ୍ୟାଟ୍ ହେନରୀ ଓ ଜେମ୍ସ ନିଶାମ୍ ଭଲ ପ୍ରଦର୍ଶନ କରିଛନ୍ତି। ବ୍ୟାଟିଂରେ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ଫର୍ମରେ ଥିବା ବେଳେ କଲିନ୍ ମୁନରୋଙ୍କ ପାଇଁ ଟିମ୍ ସାମାନ୍ୟ ଚିନ୍ତିତ ଅଛି। ମଧ୍ୟକ୍ରମରେ ଦୁଇ ଅଭିଜ୍ଞ ଅଧିନାୟକ କେନ୍ ୱିଲିୟମସନ୍ ଓ ରସ୍ ଟେଲର ପ୍ରତି ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ତେଣୁ ନ୍ୟୁଜିଲ୍ୟାଣ୍ଡ ଏହି ମ୍ୟାଚ୍ ଜିତି ସେମିଫାଇନାଲ୍ ଆଡ଼କୁ ଆଉ ପାଦେ ଆଗେଇବାକୁ ଲକ୍ଷ୍ୟ ରଖିଛି।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ୍ ଶର୍ମା, ଲୋକେଶ ରାହୁଲ, ମହେନ୍ଦ୍ର ସିଂହ ଧୋନି, ହାର୍ଦ୍ଦିକ ପାଣ୍ଡ୍ୟା, କେଦାର ଯାଦବ, ବିଜୟ ଶଙ୍କର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଭୁବନେଶ୍ୱର କୁମାର, ଦିନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ଶିଖର ଧୱନ୍।

ନ୍ୟୁଜିଲ୍ୟାଣ୍ଡ୍ ଦଳ: କେନ୍ ୱିଲିୟମସନ୍ (ଅଧିନାୟକ), ମାର୍ଟିନ୍ ଗପ୍ଟିଲ, ମ୍ୟାଟ୍ ହେନରୀ, ଟମ୍ ଲାଥାମ, କଲିନ୍ ମୁନରୋ, ଜିମ୍ମି ନିଶାମ୍, ହେନରୀ ନିକୋଲ୍ସ, ମିଚେଲ୍ ସାଣ୍ଟନର, ଈଶ ସୋଢୀ, ଟ୍ରେଣ୍ଟ ବୋଲ୍ଟ, କଲିନ୍ ଡି'ଗ୍ରାଣ୍ଡହୋମ, ଲକି ଫର୍ଗୁସନ୍, ଟିମ୍ ସାଉଦି, ରସ୍ ଟେଲର, ଟମ୍ ବ୍ଲଣ୍ଡେଲ୍।

Related story