ଶୁକ୍ରବାରଠାରୁ ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ସିରିଜ୍‌

ହାଇଦ୍ରାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆସନ୍ତାକାଲିଠାରୁ ଟି-୨୦ ସିରିଜ୍ ଆରମ୍ଭ ହେବ । ସିରିଜର ପ୍ରଥମ ମ୍ୟାଚ୍ ଏଠାକାର ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯିବ। ଏହି ସିରିଜ୍ ଜରିଆରେ ଭାରତ ଆସନ୍ତାବର୍ଷ ହେବାକୁଥିବା ଟି-୨୦ ବିଶ୍ୱକପ୍ ପ୍ରସ୍ତୁତିକୁ ମଜଭୁତ୍ କରିବାକୁ ଲକ୍ଷ୍ୟ ରଖିଛି। ଲୋକେଶ ରାହୁଲ୍ ଓ ଋଷଭ ପନ୍ତଙ୍କ ଭଳି ଖେଳାଳି ଟିମରେ ସ୍ଥାନ ପକ୍କା କରିବା ପାଇଁ ଚାହିଁବେ। ଟି-୨୦ ବିଶ୍ୱକପ୍ ପ୍ରସ୍ତୁତିରେ ଲାଗିଥିବା ଭାରତୀୟ ଟିମରେ କିଛି ଖେଳାଳିଙ୍କର ସ୍ଥାନ […]

PANT-AND-RAHUL

Ranjit Kumar Jena
  • Published: Thursday, 05 December 2019
  • , Updated: 05 December 2019, 05:35 PM IST

ହାଇଦ୍ରାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆସନ୍ତାକାଲିଠାରୁ ଟି-୨୦ ସିରିଜ୍ ଆରମ୍ଭ ହେବ । ସିରିଜର ପ୍ରଥମ ମ୍ୟାଚ୍ ଏଠାକାର ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯିବ। ଏହି ସିରିଜ୍ ଜରିଆରେ ଭାରତ ଆସନ୍ତାବର୍ଷ ହେବାକୁଥିବା ଟି-୨୦ ବିଶ୍ୱକପ୍ ପ୍ରସ୍ତୁତିକୁ ମଜଭୁତ୍ କରିବାକୁ ଲକ୍ଷ୍ୟ ରଖିଛି। ଲୋକେଶ ରାହୁଲ୍ ଓ ଋଷଭ ପନ୍ତଙ୍କ ଭଳି ଖେଳାଳି ଟିମରେ ସ୍ଥାନ ପକ୍କା କରିବା ପାଇଁ ଚାହିଁବେ। ଟି-୨୦ ବିଶ୍ୱକପ୍ ପ୍ରସ୍ତୁତିରେ ଲାଗିଥିବା ଭାରତୀୟ ଟିମରେ କିଛି ଖେଳାଳିଙ୍କର ସ୍ଥାନ ଏପର୍ଯ୍ୟନ୍ତ ପକ୍କା ହୋଇନାହିଁ। ତେଣୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ କରି ସେମାନେ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିରେ ରାହୁଲଙ୍କ ନାଁ ସାମିଲ୍ ଅଛି। ଆଘାତପ୍ରାପ୍ତ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କ ଅନୁପସ୍ଥିତିରେ ରାହୁଲ୍ ଏହି ସିରିଜରେ ରୋହିତ୍ ଶର୍ମାଙ୍କ ଯୋଡ଼ିଦାର ଭାବେ ନିଜ ସ୍ଥାନକୁ ସୁନିଶ୍ଚିତ କରିବାକୁ ଚାହିଁବେ। ରାହୁଲଙ୍କର ଟି-୨୦ ରେକର୍ଡ ବହୁତ ଭଲ। ସେ ୩୧ ମ୍ୟାଚରେ ୪୨.୭୪ ହାରରେ ୯୭୪ ରନ୍ କରିଛନ୍ତି, ଯେଉଁଥିରେ ତାଙ୍କର ସର୍ବୋଚ୍ଚ ସ୍କୋର ୧୧୦ ରନ୍ ରହିଛି।

ରାହୁଲଙ୍କ ବ୍ୟତୀତ ପନ୍ତ ମଧ୍ୟ ନିଜ ଦୃଢ଼ ପ୍ରଦର୍ଶନ ଦ୍ୱାରା ସମାଲୋଚକଙ୍କ ମୁହଁ ବନ୍ଦ କରିବାକୁ ଚାହିଁବେ। ବ୍ୟାଟିଂ ଏବଂ ୱିକେଟକିପିଙ୍ଗରେ ନିଜର ଅନିରନ୍ତର ପ୍ରଦର୍ଶନ କାରଣରୁ ସେ ନିୟମିତ ସମାଲୋଚିତ ହୋଇଆସୁଛନ୍ତି। ତାଙ୍କୁ ମହେନ୍ଦ୍ର ସିଂହ ଧୋନିଙ୍କ ଉତ୍ତରାଧିକାରୀ କୁହାଯାଉଛି, କିନ୍ତୁ ଚଳିତ ବର୍ଷ ଇଂଲଣ୍ଡରେ ଶେଷ ହୋଇଥିବା ଆଇସିସି ବିଶ୍ୱକପ୍ ପରଠାରୁ ତାଙ୍କ ପ୍ରଦର୍ଶନରେ ଅବନତି ଘଟିଛି ଏବଂ ଭୁଲ୍ ଶଟ୍ ଖେଳି ନିଜ ୱିକେଟ୍ ଦେବା ନେଇ ତାଙ୍କର ଖୁବ୍ ସମାଲୋଚନା ମଧ୍ୟ ହୋଇଛି। ଏପରିକି ତାଙ୍କ ୱିକେଟକିପିଙ୍ଗକୁ ନେଇ ଖୁବ୍ ଆଲୋଚନା ହୋଇଛି ଏବଂ ଏହି କାରଣରୁ ତାଙ୍କୁ ଲମ୍ବା ଫର୍ମାଟରୁ ବାହାର କରିଦିଆଯାଇଛି। ତାଙ୍କ ସ୍ଥାନରେ ଟେଷ୍ଟରେ ଋଦ୍ଧିମାନ ସାହାଙ୍କୁ ନିୟମିତ ସୁଯୋଗ ମିଳୁଛି। ଚୟନକର୍ତ୍ତା ପ୍ରତିଭାଶାଳୀ ସଞ୍ଜୁ ସାମସନ୍ କରାଯାଇଛି। କିନ୍ତୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳୁଛି କି ନାହିଁ, ତାହା ଆସନ୍ତାକାଲି ଜଣାପଡ଼ିବ।

ଟିମରୁ ବାହାରେ ଥିବା ଧୋନିଙ୍କ ପ୍ରତ୍ୟାବର୍ତ୍ତନ ନେଇ ଏବେ ଚର୍ଚ୍ଚା ଲାଗିଛି। ଯଦି ଧୋନି ଟିମକୁ ଫେରନ୍ତି, ତାହେଲେ ପନ୍ତ ଟିମରୁ ବାହାରେ ରହିବେ। ସାମସନଙ୍କୁ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ସୁଯୋଗ ମିଳିଥିଲା, କିନ୍ତୁ କେରଳ ଏହି ୱିକେଟକିପର ବ୍ୟାଟ୍ସମ୍ୟାନଙ୍କୁ ସିରିଜରେ ଆଦୌ ସୁଯୋଗ ମିଳିନଥିଲା। ଏବେ ଧୱନଙ୍କ ଆହତ କାରଣରୁ ତାଙ୍କୁ ଟିମରେ ସାମିଲ୍ କରାଯାଥଛି। ୱିକେଟକିପର ଭାବେ ପନ୍ତ ଭାରତର ପ୍ରଥମ ପସନ୍ଦ, କିନ୍ତୁ ଯଦି ସେ ପୁଣିଥରେ ବିଫଳ ହୁଅନ୍ତି, ତାହେଲେ ଟିମ୍ ମ୍ୟାନେଜମେଣ୍ଟ ସାମସନଙ୍କୁ ସୁଯୋଗ ଦେଇପାରନ୍ତି। ଭାରତ ପାଇଁ ବଡ଼ କଥା ହେଉଛି ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରୁ ବ୍ରେକ୍ ନେଇଥିବା କ୍ୟାପଟେନ୍ ବିରାଟ୍ କୋହଲି ସୀମିତ ଓଭର ସିରିଜକୁ ଫେରିଛନ୍ତି।

ବିରାଟଙ୍କ ଫେରିବା ଦ୍ୱାରା ମଧ୍ୟକ୍ରମ ମଜଭୁତ୍ ହେବ। ତାଙ୍କ ବ୍ୟତୀତ ରୋହିତ୍‌, ରାହୁଲ୍ ଓ ଶ୍ରେୟସ ଆୟର୍ କୌଣସି ବୋଲିଂ ଆକ୍ରମଣର ଲାଇନଲେନ୍ଥକୁ ବିଗାଡ଼ିବାର କ୍ଷମତା ରଖିଛନ୍ତି। ଯେହେତୁ ୱେଷ୍ଟଇଣ୍ଡିଜ୍ ଟିମ୍ ପାଖରେ ଅଭିଜ୍ଞ ବୋଲରଙ୍କ ଅଭାବ ରହିଛି, ତେଣୁ ଭାରତୀୟ ବ୍ୟାଟ୍ସମ୍ୟାନ୍ ସେମାନଙ୍କ ଉପରେ ସହଜରେ ପ୍ରାଧାନ୍ୟ ବିସ୍ତାର କରିପାରିବେ। ବ୍ୟାଟିଂ ବ୍ୟବୀତ ଭାରତର ବୋଲିଂ ଆକ୍ରମଣ ବେଶ୍ ସନ୍ତୁଳିତ ଲାଗୁଛି। ଅଭିଜ୍ଞ ଭୁବନେଶ୍ୱର କୁମାର ଓ ମହମ୍ମଦ ଶାମିଙ୍କ ଫେରିବା ଦ୍ୱାରା ଟିମର ପେସ୍ ଆକ୍ରମଣ ଅଧିକ ମଭଜୁତ୍ ହୋଇଛି। ଭୁବି ଓ ଦୀପକ ଚହର୍ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ଏକପ୍ରକାର ନିଶ୍ଚିତ। ଅଲରାଉଣ୍ଡର ଶିବମ୍ ଦୁବେ ତୃତୀୟ ପେସର ଭୂମିକା ତୁଲାଇବେ। ସ୍ପିନର ଭୂମିକା କ୍ୟାରିବିୟାନ୍ ବ୍ୟାଟିଂକୁ ରୋକିବା ପାଇଁ ଭାରତ ପାଖରେ କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍ ଓ ରବୀନ୍ଦ୍ର ଜାଡେଜାଙ୍କ ଭଳି ସ୍ପିନର ଅଛନ୍ତି।

ଅନ୍ୟପକ୍ଷରେ ବିଶ୍ୱ ରାଙ୍କିଙ୍ଗର ଦଶମ ସ୍ଥାନରେ ଥିବା ଡିଫେଣ୍ଡିଂ ଚାମ୍ପିୟନ୍ ୱେଷ୍ଟଇଣ୍ଡିଜ୍ ପକ୍ଷେ ଭାରତକୁ ହରାଇବା ସହଜ ହେବନି। ଯଦି ଭ୍ରମଣକାରୀ ଟିମର ଟପ ଅର୍ଡର କ୍ଲିକ୍ କରନ୍ତି, ତାହେଲେ ସେମାନେ ଭାରତକୁ ରୋକିପାରିବେ। ନିକଟରେ ଇଣ୍ଡିଜ୍ ଟିମର ଟି-୨୦ ରେକର୍ଡ ଭଲ ରହିନାହିଁ। ଚଳିତ ବର୍ଷ ଟିମ୍ ଖେଳିଥିବା ୯ଟି ମ୍ୟାଚରୁ ମାତ୍ର ଗୋଟିଏରେ ବିଜୟୀ ହୋଇଛି। ଚଳିତ ବର୍ଷ ୱେଷ୍ଟଇଣ୍ଡିଜ୍ ତା' ନିଜ ମାଟିରେ ଭାରତଠାରୁ ୩-୦ରେ ଟି-୨୦ ସିରିଜରେ ପରାସ୍ତ ହୋଇଥିଲା। ଏହାଛଡ଼ା ୱେଷ୍ଟଇଣ୍ଡିଜ୍ ଭାରତ ବିପକ୍ଷ ତା'ର ଶେଷ ୬ଟି ମ୍ୟାଚରେ ମଧ୍ୟ ପରାଜୟର ସ୍ୱାଦ ଚାଖିଛି। ଭ୍ରମଣକାରୀ ଦଳ କାର୍ଲସ୍ ବ୍ରାଥୱେଟ୍‌, ଆନ୍ଦ୍ରେ ରସେଲ୍ ଓ ଡ୍ୱେନ୍ ବ୍ରାଭୋଙ୍କ ଭଳି ଷ୍ଟାର୍ ଅଲରାଉଣ୍ଡର ବିନା ଖେଳିବ। ଏହାଛଡ଼ା କ୍ରିସ୍ ଗେଲଙ୍କ ଅନୁପସ୍ଥିତିରେ ଟିମର ବ୍ୟାଟିଂ ଲାଇନ୍ ଦୁର୍ବଳ ଲାଗୁଛି। କିନ୍ତୁ କ୍ୟାପଟେନ୍ କାଇରନ୍ ପୋଲାର୍ଡଙ୍କ ମତରେ, ଯଦି ତାଙ୍କ ଟିମ୍ ଘରୋଇ ଦଳର ବ୍ୟାଟିଂଲାଇନକୁ ରୋକିପାରିଲେ, ତାହେଲେ ସଫଳତା ନିଶ୍ଚିତ ମିଳିବ।

Related story