ନୂଆଦିଲ୍ଲୀ: କରୋନା ଭାଇରସ୍ କାରଣରୁ ଭାରତୀୟ ମହିଳା ହକି ଟିମ୍ ତା'ର ଚାଇନା ଗସ୍ତ ବାତିଲ କରିଛି। ଭାରତୀୟ ମହିଳା ହକି ଟିମ୍ ମାର୍ଚ୍ଚ ୧୪ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଇନା ଗସ୍ତ କରିଥାନ୍ତ, କିନ୍ତୁ ଏହି ଭୟାବହ ଭାଇରସ୍ କାରଣରୁ ଏହି ଗସ୍ତ ବାତିଲ୍ ହୋଇଛି। ଏବେ ହକି ଇଣ୍ଡିଆ ଆଗରେ ଅଲିମ୍ପିକ୍ ପ୍ରସ୍ତୁତି ପାଇଁ ବିକଳ୍ପ ଗସ୍ତର ଆୟୋଜନ କରିବା ନିଶ୍ଚିତ ଭାବେ କଠିନ ଚ୍ୟାଲେଞ୍ଜ ହେବ।
ଏ ନେଇ ଭାରତୀୟ ଦଳର କ୍ୟାପଟେନ୍ ରାନୀ କହିଛନ୍ତି, "ଆମକୁ ଚାଇନା ଯିବାର ଥିଲା, କିନ୍ତୁ ଭାଇରସ୍ କାରଣରୁ ଗସ୍ତ ବାତିଲ ହୋଇଛି। କିଛି ଅନ୍ୟ ଟିମ୍ ମଧ୍ୟ ଉପଲବ୍ଧ ରହିବେ ନାହିଁ, କାରଣ ସେମାନେ ପ୍ରୋ ହକି ଲିଗ୍ ଖେଳୁଛନ୍ତି। ହକି ଇଣ୍ଡିଆ ଏବଂ ଆମର କୋଚ୍ ଅନ୍ୟ ଭେନ୍ୟୁରେ ଖେଳିବା ନେଇ ବ୍ୟବସ୍ଥା କରୁଛନ୍ତି। ଅଲିମ୍ପିକ୍ ଭଳି ବଡ଼ ଇଭେଣ୍ଟର ପ୍ରସ୍ତୁତି ପାଇଁ ବଡ଼ ଟିମର ଖେଳିବା ନିହାତି ଜରୁରୀ।"
ବୁଧବାର ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ଶେଷ ହେବା ପରେ ଭାରତୀୟ ଟିମ୍ ଫେବୃଆରୀ ୧୬ରୁ ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ଟ୍ରେନିଂ ଓ କଣ୍ଡିସନିଙ୍ଗ୍ କ୍ୟାମ୍ପରେ ଯୋଗ ଦେବେ। ସୂଚନାଯୋଗ୍ୟ, ଚାଇନାରେ ଏହି ଭାଇରସ୍ କାରଣରୁ ଏପର୍ଯ୍ୟନ୍ତ ୬୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି। ଏପରିକି ୩୦ହଜାରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ମଧ୍ୟ ହୋଇଛନ୍ତି।