ଦିନିକିଆ ସିରିଜ୍ ପୋଛିନେଲା ଭାରତୀୟ ମହିଳା ଟିମ୍‌

ଭଦୋଦରା: ସ୍ପିନରଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ମହିଳା ଟିମ୍ ଏଠାରେ ଖେଳାଯାଇଥିବା ଏକ ଲୋ’ ସ୍କୋରିଂ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ମାତ୍ର ୬ ରନରେ ପରାସ୍ତ କରି ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ପୋଛି ନେଇଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ମହିଳା ଟିମ୍ ୪୫.୫ ଓଭରରେ ମାତ୍ର ୧୪୬ ରନ୍ କରି ଅଲଆଉଟ୍ ହୋଇଥିଲା। ଏହାର ଜବାବରେ ଭାରତୀୟ ବୋଲରମାନେ ଦକ୍ଷିଣ ଆଫ୍ରିକାକୁ ୪୮ ଓଭରରେ ୧୪୦ ରନରେ ରୋକି ମ୍ୟାଚକୁ ରୋମାଞ୍ଚକର […]

INDIA-WOMEN

Ranjit Kumar Jena
  • Published: Monday, 14 October 2019
  • , Updated: 14 October 2019, 06:14 PM IST

ଭଦୋଦରା: ସ୍ପିନରଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ମହିଳା ଟିମ୍ ଏଠାରେ ଖେଳାଯାଇଥିବା ଏକ ଲୋ' ସ୍କୋରିଂ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ମାତ୍ର ୬ ରନରେ ପରାସ୍ତ କରି ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ପୋଛି ନେଇଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ମହିଳା ଟିମ୍ ୪୫.୫ ଓଭରରେ ମାତ୍ର ୧୪୬ ରନ୍ କରି ଅଲଆଉଟ୍ ହୋଇଥିଲା। ଏହାର ଜବାବରେ ଭାରତୀୟ ବୋଲରମାନେ ଦକ୍ଷିଣ ଆଫ୍ରିକାକୁ ୪୮ ଓଭରରେ ୧୪୦ ରନରେ ରୋକି ମ୍ୟାଚକୁ ରୋମାଞ୍ଚକର ଢ଼ଙ୍ଗରେ ଜିତି ନେଇଛନ୍ତି। ଏହା ପୂର୍ବରୁ ଭାରତ ପ୍ରଥମ ଓ ଦ୍ୱିତୀୟ ଦିନିକିଆରେ ସହଜ ବିଜୟ ହାସଲ କରି ସିରିଜକୁ ୨-୦ରେ ଜିତି ସାରିଥିଲା। ୧୦ ଓଭରରେ ୩୨ ରନ୍ ଦେଇ ୩ ୱିକେଟ୍ ନେଇଥିବା ସ୍ପିନର ଏକତା ବିଷ୍ଟଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ସେହିପରି ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ଦକ୍ଷିଣ ଆଫ୍ରିକାର ମାରିଜେନ୍ କାପଙ୍କୁ ପ୍ଲେୟର୍ ଅଫ୍ ଦି ସିରିଜ୍ ବିବେଚିତ କରାଯାଇଛି।

ରିଲାଏନ୍ସ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ୧୪୭ ରନର ସହଜ ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଟିମ୍ ଏକ ସମୟରେ ୬୩ ରନରେ ତା'ର ଅଧା ବ୍ୟାଟ୍ସଓମ୍ୟାନଙ୍କୁ ହରାଇ ବିପଦରେ ପଡ଼ିଥିଲା। ଦୁଇ ଓପ୍ନର ଲିଜେଲ୍ ଲି (୧୩) ଓ ଲୌରା ଉଲଭାର୍ଟ (୨୩) ବ୍ୟତୀତ ମଧ୍ୟକ୍ରମରେ ତ୍ରିଶା ଚେଟ୍ଟୀ (୭), ମିଗନନ୍ ଡି'ପ୍ରୀଜ୍ (୧୦) ଓ ଲାରା ଗୁଡାଲ୍ (୬) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ।

କ୍ୟାପଟେନ୍ ସୁନ୍ ଲୁସ୍ (୨୪) ଓ କାପ୍ (୨୯) ଷଷ୍ଠ ୱିକେଟ୍ ପାଇଁ ୪୦ ରନର ଭାଗୀଦାରୀ କରି ଦଳ ପାଇଁ ଆଶା ସଞ୍ଚାର କରିଥିଲେ। କିନ୍ତୁ ଲୁସଙ୍କୁ ଆଉଟ୍ କରି ଏକତା ବିଷ୍ଟ ଏହି ଭାଗୀଦାରୀ ଭାଙ୍ଗିଥିଲେ ଏବଂ ମ୍ୟାଚକୁ ଭାରତ ସପକ୍ଷରେ କରିଥିଲେ। ଏହା ପରେ କାପଙ୍କୁ ଦୀପ୍ତି ଶର୍ମା ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ଶେଷଭାଗରେ ଶବନିମ୍ ଇସମାଇଲ୍ (୧୧) ଓ ନୋନ୍ଦୁମିସୋ ଶାଙ୍ଗାସି ଲଢ଼ିଥିଲେ ହେଁ, ଟିମକୁ ଜିତାଇପାରିନଥିଲେ। ଅନ୍ତିମ ୱିକେଟ୍ ଭାବେ ଟୁମି ସେଖୁଖୁନେ (୦)ଙ୍କୁ ଆଉଟ୍ କରି ଜେମିମା ରୋଡ୍ରିଗ୍ସ ଭାରତକୁ ବିଜୟୀ କରାଇଥିଲେ। ଭାରତ ପକ୍ଷରୁ ଦୀପ୍ତି ଶର୍ମା ଓ ରାଜେଶ୍ୱରୀ ଗାଏକ୍ୱାଡ୍ ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ମାନସୀ ଯୋଶୀ, ହରମନପ୍ରୀତ କୌର୍ ଓ ଜେମିମା ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

ଏହା ପୂର୍ବରୁ ଭାରତ କ୍ୟାପଟେନ୍ ମିତାଲୀ ରାଜ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଘରୋଇ ଦଳର ଦୁଇ ଓପ୍ନର ପ୍ରିୟା ପୁନିଆ (୦) ଓ ଜେମିମା (୩) ନିରାଶ କରିଥିଲେ। ଦୁହେଁ ଦୁଇଅଙ୍କ ଛୁଇଁପାରିନଥିଲେ। ଶୀର୍ଷକ୍ରମରେ ପୁନମ ରାଉତ (୧୫) ଓ କ୍ୟାପଟେନ୍ ମିତାଲୀ (୧୧) ମଧ୍ୟ ଆଶାମୁତାବକ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ଟିମର ଅନ୍ୟତମ ଅଭିଜ୍ଞ ଖେଳାଳି ହରମନପ୍ରୀତ ଓ ପେସ୍ ବୋଲର ଶିଖା ପାଣ୍ଡେ ସପ୍ତମ ୱିକେଟ୍ ପାଇଁ ୪୯ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରି ଭାରତର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ।

କୌର୍ ୭୬ ବଲରେ ୫ ଚୌକା ସହ ୩୮ ରନ୍ କରି କାପଙ୍କ ବୋଲିଂରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ଏହା ପରେ ଶିଖାଙ୍କୁ ସେଖୁଖୁନେ ଆଉଟ୍ କରି ଦକ୍ଷିଣ ଆଫ୍ରିକାକୁ ଅଷ୍ଟମ ସଫଳତା ଦେଇଥିଲେ। ଶିଖା ୪୦ ବଲରେ ୬ ଚୌକା ସହ ୩୫ ରନର ମୂଲ୍ୟବାନ୍ ଇନିଂସ୍ ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୀପ୍ତି (୭), ତାନିଆ ଭାଟ୍ରିଆ (୬), ମାନସୀ ଯୋଶୀ (୧୨), ଏକତା (୬) ବଡ଼ ସ୍କୋର କରିପାରିନଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କାପ୍ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଇସମାଇଲ୍ ଓ ଆୟାବୋଙ୍ଗା ଖାକା ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ସଂକ୍ଷିପ୍ତ ସ୍କୋର
ଭାରତ ୧୪୬ (୪୫.୫ ଓଭର): ହରମନପ୍ରୀତ କୌର୍ ୩୮, ଶିଖା ପାଣ୍ଡେ ୩୫, ପୁନମ ରାଉତ ୧୫, ମାନସୀ ଯୋଶୀ ୧୨, ମିତାଲୀ ରାଜ ୧୧, ମାରିଜେନ୍ କାପ୍ ୩/୨୦, ଶବନିମ୍ ଇସମାଇଲ୍ ୨/୧୮, ଆୟାବୋଙ୍ଗା ଖାକା ୨/୩୩।
ଦକ୍ଷିଣ ଆଫ୍ରିକା ୧୪୦ (୪୮ ଓଭର): ମାରିଜେନ୍ କାପ୍ ୨୯, ସୁନ୍ ଲୁସ୍ ୨୪, ଲୌରା ଉଲଭାର୍ଟ ୨୩, ଲିଜେଲ୍ ଲି' ୧୩, ଏକତା ବିଷ୍ଟ ୩/୩୨, ଦୀପ୍ତି ଶର୍ମା ୨/୨୪, ରାଜେଶ୍ୱରୀ ଗାଏକ୍ୱାଡ୍ ୨/୨୨।

Related story