ଆଇପିଏଲ୍ ବାତିଲ ହେଲେ ଏହି ଖେଳାଳିଙ୍କୁ ହେବ ଅଧିକ କ୍ଷତି

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ଏକମାତ୍ର ଟି-୨୦ ଟୁର୍ଣ୍ଣାମେଣ୍ଟ, ଯାହା ଉପରେ ସାରା ବିଶ୍ୱ ନଜର ରଖିଥାଏ। ଏହି ଟୁର୍ଣ୍ଣାମେଣ୍ଟକୁ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଲିଗ୍ କୁହାଯିବାର କାରଣ ମଧ୍ୟ ରହିଛି। ଅନ୍ୟ ଦେଶ ତୁଳନାରେ ଭାରତରେ ଆୟୋଜିତ ଆଇପିଏଲରେ ଖେଳାଳିଙ୍କୁ ମୋଟା ଅଙ୍କର ଅର୍ଥ ମିଳିଥାଏ। ତେଣୁ ଏହି ଲିଗ୍ ଉପରେ ସମସ୍ତଙ୍କର ନଜର ରହିଥାଏ । କିନ୍ତୁ ଆଇପିଏଲର ୧୩ଶ ସଂସ୍କରଣ ଉପରେ କରୋନାର ଗ୍ରହଣ ଲାଗିଛି। କରୋନା ଯୋଗୁ ଆଇପିଏଲକୁ ଏପ୍ରିଲ୍ […]

ipl2020

Ranjit Kumar Jena
  • Published: Friday, 20 March 2020
  • , Updated: 20 March 2020, 06:45 PM IST

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ଏକମାତ୍ର ଟି-୨୦ ଟୁର୍ଣ୍ଣାମେଣ୍ଟ, ଯାହା ଉପରେ ସାରା ବିଶ୍ୱ ନଜର ରଖିଥାଏ। ଏହି ଟୁର୍ଣ୍ଣାମେଣ୍ଟକୁ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଲିଗ୍ କୁହାଯିବାର କାରଣ ମଧ୍ୟ ରହିଛି। ଅନ୍ୟ ଦେଶ ତୁଳନାରେ ଭାରତରେ ଆୟୋଜିତ ଆଇପିଏଲରେ ଖେଳାଳିଙ୍କୁ ମୋଟା ଅଙ୍କର ଅର୍ଥ ମିଳିଥାଏ। ତେଣୁ ଏହି ଲିଗ୍ ଉପରେ ସମସ୍ତଙ୍କର ନଜର ରହିଥାଏ । କିନ୍ତୁ ଆଇପିଏଲର ୧୩ଶ ସଂସ୍କରଣ ଉପରେ କରୋନାର ଗ୍ରହଣ ଲାଗିଛି। କରୋନା ଯୋଗୁ ଆଇପିଏଲକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି। ଯଦିବି ଏପ୍ରିଲ୍ ୧୫ ତାରିଖ ପରେ ସ୍ଥିତିରେ କୌଣସି ସୁଧାର ନଆସେ, ତାହେଲେ ଆଇପିଏଲ୍ ବାତିଲ ହେବାର ସମ୍ଭାବନା ରହିଛି। ତେବେ ବାତିଲ୍ ହେବା ଦ୍ୱାରା ଯେ କେବଳ ବିସିସିଆଇ, ଫ୍ରାଞ୍ଚାଇଜି ଓ ବ୍ରଡକାଷ୍ଟର୍ସଙ୍କୁ କ୍ଷତି ହେବନି ବରଂ ଖେଳାଳିମାନଙ୍କୁ ମଧ୍ୟ ବହୁତ କ୍ଷତି ହେବ । ଆସନ୍ତୁ ଜାଣିବା ଆଇପିଏଲ୍ ବାତିଲ୍ ହେଲେ, କେଉଁ ଖେଳାଳିଙ୍କୁ କେତେ କ୍ଷତି ହେବ।

ମହେନ୍ଦ୍ର ସିଂ ଧୋନି: ଆଇପିଏଲ୍ ଆରମ୍ଭରୁ ହିଁ ଧୋନି ଚେନ୍ନାଇ ସୁପର୍ କିଙ୍ଗସ୍ ସହ ରହିଆସିଛନ୍ତି। କେବଳ ମଝିରେ ଦୁଇବର୍ଷ ଚେନ୍ନାଇ ସୁପରକିଙ୍ଗସର ସସପେଣ୍ଡକୁ ଛାଡ଼ି ଦେଲେ ବାକି ସବୁ ସଂସ୍କରଣରେ ଧୋନି ହିଁ ଏହି ଟିମର ନେତୃତ୍ୱ ବହନ କରିଛନ୍ତି। ଯେହେତୁ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ୮ମାସ ଦୂରେଇ ରହିଥିଲେ, ଏହି କାରଣରୁ ତାଙ୍କ ପାଇଁ ଆଇପିଏଲ୍ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଥିଲା। ଧୋନି ଆଇପିଏଲ୍ ଜରିଆରେ ଜାତୀୟ ଦଳକୁ କମବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ଏବେ ଆଇପିଏଲର ସମ୍ଭାବନା କମିବା ଦ୍ୱାରା ଧୋନିଙ୍କ ଆଶା ମଧ୍ୟ ଆଶାରେ ରହିଯିବ ବୋଲି କୁହାଯାଉଛି। ନିଜ ପ୍ରଦର୍ଶନ ବ୍ୟତୀତ ଧୋନି ଆଇପିଏଲରୁ କୋଟି କୋଟି ଟଙ୍କା ଆୟ ମଧ୍ୟ କରନ୍ତି। ଧୋନିଙ୍କୁ ଚେନ୍ନାଇ ଟିମ୍ ୧୫ କୋଟି ଟଙ୍କାରେ ରିଟେନ୍ ରଖିଛି । ଯଦି ଆଇପିଏଲ୍ ନହୁଏ, ତାହେଲେ ଧୋନିଙ୍କୁ ଏହାର କ୍ଷତି ହେବ। ଏହାସହ ବିଜ୍ଞାପନ ବାବଦରେ ମଧ୍ୟ ତାଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିପାରେ।

ବେନ୍ ଷ୍ଟୋକ୍ସ: ଇଂଲଣ୍ଡର ଏହି ଷ୍ଟାର୍ ଅଲରାଉଣ୍ଡରଙ୍କ ଉପରେ ସମସ୍ତଙ୍କ ରହିବା ସ୍ୱାଭାବିକ। ୨୦୧୮ରେ ରାଜସ୍ଥାନ ରୟାଲ୍ସ ଷ୍ଟୋକ୍ସଙ୍କୁ ୧୨.୫ କୋଟି ଟଙ୍କାରେ କିଣିଥିଲା ଏବଂ ଏହାପରଠାରୁ ସେ ଟିମରେ ରିଟେନ୍ ଅଛନ୍ତି। ଯଦି ଆଇପିଏଲ୍ ନହୁଏ, ତାହେଲେ ତାଙ୍କୁ ନିଶ୍ଚିତ କ୍ଷତି ସହିବାକୁ ପଡ଼ିବ। ବର୍ତ୍ତମାନ ଷ୍ଟୋକ୍ସ ଜବରଦସ୍ତ ଫର୍ମରେ ଅଛନ୍ତି ଏବଂ ଆଇପିଏଲରେ ସେ ଏହାକୁ ଜାରି ରଖିବେ ବୋଲି ଆଶା ବାନ୍ଧିଥିଲେ। ଷ୍ଟୋକ୍ସ ଉଭୟ ବ୍ୟାଟ୍ ଓ ବଲରେ ଟିମ୍ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇପାରନ୍ତି। ୨୦୧୭ରେ ତାଙ୍କୁ ରାଜସ୍ଥାନ ରୟାଲ୍ସ ୧୪ କୋଟି ଟଙ୍କାରେ କିଣିଥିଲା। ଅନ୍ୟମାନଙ୍କ ଭଳି ଷ୍ଟୋକ୍ସ ମଧ୍ୟ ଆଇପିଏଲ୍ ନିର୍ଦ୍ଧାରିତ ସମୟରେ ହେଉ ବୋଲି ଆଶା ବାନ୍ଧିଛନ୍ତି।

ରୋହିତ୍ ଶର୍ମା: ଇଣ୍ଡିଆନ୍ ପ୍ରିମିୟର ଲିଗର ସବୁଠାରୁ ସଫଳ କ୍ୟାପଟେନ୍ ଭାବେ ରୋହିତ୍ ଶର୍ମା ଭାରତର ଅନ୍ୟତମ ଲୋକପ୍ରିୟ କ୍ରିକେଟର୍। ଗତ ସଂସ୍କରଣରେ ସେ ମୁମ୍ବାଇ ଇଣ୍ଡିଆନ୍ସକୁ ଚତୁର୍ଥଥର ବିଜେତା କରାଇଥିଲେ। ଏଥର ମଧ୍ୟ ପ୍ରଶଂସକ ତାଙ୍କଠାରୁ ଆଉ ଏକ ଟ୍ରଫି ଆଶା କରିଛନ୍ତି। ୨୦୧୮ରେ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧୫ କୋଟି ଟଙ୍କାରେ ରିଟେନ୍ କରିଥିଲା। ୨୦୧୩ରେ ରିକି ପଣ୍ଟିଂଙ୍କ ସ୍ଥାନରେ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଟିମର କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କ ନେତୃତ୍ୱ ନେବା ପରଠାରୁ ମୁମ୍ବାଇ ଗତ ୭ଟି ସିଜନ୍ ମଧ୍ୟରୁ ଚାରିଥର ଚାମ୍ପିୟନ୍ ହୋଇଛି। ରୋହିତ୍ ଯେ କେବଳ ଫ୍ରାଞ୍ଚାଇଜିଙ୍କଠାରୁ ମୋଟା ଅଙ୍କର ଅର୍ଥ ପାଆନ୍ତି ନାହିଁ, ବରଂ ବିଜ୍ଞାପନରୁ ମଧ୍ୟ ସେ କୋଟି କୋଟି ଟଙ୍କା ଆୟ କରନ୍ତି। ଏଭଳି ସ୍ଥିତିରେ ଯଦି ଆଇପିଏଲ୍ ସମ୍ଭବ ନହୁଏ, ତାହେଲେ ରୋହିତ ନିଶ୍ଚିତ କ୍ଷତି ସହିବେ।

ପ୍ୟାଟ୍ କମିନ୍ସ: ଏହି ୨୬ ବର୍ଷୀୟ ଅଷ୍ଟ୍ରେଲୀୟ ପେସର ଚଳିତ ଆଇପିଏଲ୍ ନିଲାମରେ ଇତିହାସ ରଚିଥିଲେ। ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି ଭାବେ କମିନ୍ସଙ୍କୁ ଚଳିତ ସଂସ୍କରଣ ପାଇଁ କୋଲକାତା ନାଇଟ୍ ରାଇଡର୍ସ ୧୫.୫ କୋଟି ଟଙ୍କାରେ କିଣିଥିଲା। ଜାତୀୟ ଦଳ ପକ୍ଷରୁ ତିନୋଟି ଯାକ ଫର୍ମାଟରେ ନିୟମିତ ଭଲ ପ୍ରଦର୍ଶନ କରିବା ଯୋଗୁ ତାଙ୍କୁ କେକେଆର ଏତେ ଟଙ୍କାରେ ନିଜ ଟିମରେ ସାମିଲ୍ କରିଥିଲା। କମିନ୍ସ କ୍ୟାରିୟର ଆରମ୍ଭରୁ ଜବରଦସ୍ତ ପ୍ରଦର୍ଶନ କରିଥିଲେ, କିନ୍ତୁ ଆହତ ଯୋଗୁ ସେ ଅନେକ ସମୟରେ ଟିମରୁ ବାଦ୍ ପଡ଼ିଥିଲେ। ବର୍ତ୍ତମାନ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ବିଶ୍ୱର ଏକ ନମ୍ବର ବୋଲର ଥିବା କମିନ୍ସ ନିଜକୁ ଫିଟ୍ ରଖିବା ସହ ଅଷ୍ଟ୍ରେଲିଆ ବୋଲିଂ ଆଟାକର ମୁଖ୍ୟ ଅସ୍ତ୍ର ସାଜିଛନ୍ତି। ଯଦି ଆଇପିଏଲ୍ ବାତିଲ୍ ହୁଏ, କମିନ୍ସଙ୍କୁ ଏହି ଅର୍ଥ ମିଳିବ ନାହିଁ, ଯାହା ତାଙ୍କ ପାଇଁ ବଡ଼ ହେବ ବୋଲି କୁହାଯାଉଛି।

ବିରାଟ୍ କୋହଲି: ବର୍ତ୍ତମାନ କ୍ରିକେଟ୍ ମାନେ ବିରାଟ୍ କୋହଲିଙ୍କୁ ବୁଝାଉଛି। ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି କୋହଲିଙ୍କୁ ଆଇପିଏଲ୍ ନହେଲେ ସିଧାସଳଖ ୧୭ କୋଟି ଟଙ୍କାର କ୍ଷତି ହେବ । ୨୦୧୮ରେ କୋହଲିଙ୍କୁ ଫ୍ରାଞ୍ଚାଇଜିଙ୍କ ଦ୍ୱାରା ମାର୍କି ଖେଳାଳିଙ୍କୁ ଦିଆଯାଉଥିବା ୧୫ କୋଟି ଟଙ୍କାରୁ ୨ କୋଟି ଅଧିକ ଦିଆଯାଇଥିଲା। ଏହାପରଠାରୁ ତାଙ୍କୁ ଏହି ଅର୍ଥ ମିଳୁଛି। ତେବେ ଫ୍ରାଞ୍ଚାଇଜିଙ୍କ ଦ୍ୱାରା ଦିଆଯାଉଥିବା ଅର୍ଥ ବ୍ୟତୀତ କୋହଲି ବିଜ୍ଞାପନ ଜରିଆରେ କୋଟି କୋଟି ଟଙ୍କା ଆୟ କରନ୍ତି। ଅନ୍ୟ କୌଣସି ଖେଳାଳି ତୁଳନାରେ କୋହଲିଙ୍କୁ ବିଜ୍ଞାପନରୁ ସର୍ବାଧିକ ଟଙ୍କା ମିଳିଥାଏ। ଯଦି ଆଇପିଏଲ୍ ନହୁଏ, ତାହେଲେ କୋହଲିଙ୍କୁ ଏହିସବୁ କ୍ଷତି ହେବ। ୨୦୦୮ରେ ରୟାଲ୍ ଚ୍ୟାଲେଞ୍ଜର୍ସ ଟିମ୍ ପକ୍ଷରୁ ଖେଳି ଆଇପିଏଲ୍ କ୍ୟାରିୟର ଆରମ୍ଭ କରିଥିବା କୋହଲି ଏପର୍ଯ୍ୟନ୍ତ ୧୭୭ ମ୍ୟାଚ୍ ଖେଳି ୩୭.୮୫ ହାରରେ ୫୪୧୨ ରନ୍ କରିଛନ୍ତି। ଆଇପିଏଲରେ ସେ ୧୩୧.୬୧ ଷ୍ଟ୍ରାଇକରେଟରେ ୩୬ ଅର୍ଦ୍ଧଶତକ ଓ ୫ଟି ଶତକ ମାରିଛନ୍ତି। ୨୦୧୬ ସଂସ୍କରଣରେ ସେ ୯୭୬ ରନ୍ କରିଥିଲେ, ଯାହାକି କୌଣସି ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ଗୋଟିଏ ସଂସ୍କରଣରେ ସର୍ବାଧିକ ସ୍କୋର ଥିଲା। ଏହି ସଂସ୍କରଣରେ ସେ ୪ଟି ଶତକ ମଧ୍ୟ ମାରିଥିଲେ।

Related story