ମେ'ରେ ଆଇପିଏଲ୍ ଆୟୋଜନ କରିବାକୁ ବିସିସିଆଇ ପ୍ରସ୍ତୁତ!

ନୂଆଦିଲ୍ଲୀ: କରୋନା ଭାଇରସ୍ ଯୋଗୁ ସାରା ବିଶ୍ୱରେ ସମସ୍ତ କ୍ରୀଡ଼ା ପ୍ରତିଯୋଗିତା ସ୍ଥଗିତ ହୋଇସାରିଛି। ଏଥିରେ ବ୍ୟୟବହୁଳ ଟି-୨୦ ଲିଗ୍ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୩ଶ ସଂସ୍କରଣ ମଧ୍ୟ ସାମିଲ୍ ଅଛି। ଏହି ଟୁର୍ଣ୍ଣାମେଣ୍ଟ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାର ଥିଲା, କିନ୍ତୁ କରୋନା ଭାଇରସକୁ ଦୃଷ୍ଟିରେ ରଖି ଏହାକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି। ପୂର୍ବ ତୁଳନାରେ ବର୍ତ୍ତମାନ କରୋନା ଭାଇରସର ମାମଲା ଲଗାତର […]

ipl

Ranjit Kumar Jena
  • Published: Monday, 23 March 2020
  • , Updated: 23 March 2020, 09:27 PM IST

ନୂଆଦିଲ୍ଲୀ: କରୋନା ଭାଇରସ୍ ଯୋଗୁ ସାରା ବିଶ୍ୱରେ ସମସ୍ତ କ୍ରୀଡ଼ା ପ୍ରତିଯୋଗିତା ସ୍ଥଗିତ ହୋଇସାରିଛି। ଏଥିରେ ବ୍ୟୟବହୁଳ ଟି-୨୦ ଲିଗ୍ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୩ଶ ସଂସ୍କରଣ ମଧ୍ୟ ସାମିଲ୍ ଅଛି। ଏହି ଟୁର୍ଣ୍ଣାମେଣ୍ଟ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାର ଥିଲା, କିନ୍ତୁ କରୋନା ଭାଇରସକୁ ଦୃଷ୍ଟିରେ ରଖି ଏହାକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି। ପୂର୍ବ ତୁଳନାରେ ବର୍ତ୍ତମାନ କରୋନା ଭାଇରସର ମାମଲା ଲଗାତର ବଢ଼ିବାରେ ଲାଗିଛି ଏବଂ ଏଭଳି ସ୍ଥିତିରେ ଆଇପିଏଲର ଆୟୋଜନ ନେଇ ଆଶଙ୍କା ଦେଖା ଦେଇଛି । ତେବେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅନୁଯାୟୀ, ଯଦି ଆଇପିଏଲ୍ ଏପ୍ରିଲରେ ଆୟୋଜିତ ନହୁଏ, ତାହେଲେ ଏହା ମେ' ମାସରେ ଆୟୋଜନ କରାଯାଇପାରେ। ମେ' ମାସରେ ଆଇପିଏଲ୍ ଆୟୋଜନ କରିବାକୁ ମଧ୍ୟ ବିସିସିଆଇ ପ୍ରସ୍ତୁତ ଥିବା ସ୍ପଷ୍ଟ କରିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜଣେ ବିସିସିଆଇ ଅଧିକାରୀ କହିଛନ୍ତି, ବର୍ତ୍ତମାନ ଆଇପିଏଲର ଭବିଷ୍ୟତ ନିର୍ଦ୍ଧାରଣ କରିବା କଷ୍ଟକର, କିନ୍ତୁ ବୋର୍ଡ ୨୦୦୯ ମସିହାର ଆଇପିଏଲ୍ ପ୍ୟାଟର୍ନକୁ ଆପଣାଇପାରେ। ୨୦୦୯ରେ ଆଇପିଏଲର ଦ୍ୱିତୀୟ ସଂସ୍କରଣ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହୋଇଥିଲା ଏବଂ ମାତ୍ର ୩୭ ଦିନ ଭିତରେ ୫୭ ମ୍ୟାଚ୍ କରାଯାଇଥିଲା। ଯଦି ଆଇପିଏଲ୍ ମେ' ମଙ୍କସର ପ୍ରଥମ ସପ୍ତାହରୁ ଆରମ୍ଭ ହୁଏ, ତାହେଲେ ଟୁର୍ଣ୍ଣାମେଣ୍ଟର ପୂରା ମ୍ୟାଚ୍ ଖେଳାଯାଇପାରିବ। ବିସିସିଆଇ ଏବେ ଏପ୍ରିଲ୍ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବ। ଯଦି ଲିଗର ପ୍ରଥମ ମ୍ୟାଚ୍ ମେ' ପ୍ରଥମ ସପ୍ତାହରେ ନହେଲା, ତାହେଲେ ଆଇପିଏଲର ଆୟୋଜନ ପ୍ରାୟତ ଅସମ୍ଭବ ହୋଇଯିବ।

ଏବେ ପ୍ରଶ୍ନ ଉଠୁଛି ଯେ, ଯଦିଓ ମେ' ପ୍ରଥମ ସପ୍ତାହରେ ଆଇପିଏଲର ଆୟୋଜନ ପାଇଁ ମଞ୍ଜୁରୀ ମିଳେ, ତାହେଲେ ସବୁ ମ୍ୟାଚ୍ ଗୁଡ଼ିକ କେଉଁଠାରେ ଖେଳାଯିବ। ଏହା ଉପରେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ପୂରା ସିଜନ୍ ମହାରାଷ୍ଟ୍ରରେ ହିଁ ଖେଳାଯାଇପାରେ, କାରଣ ସେଠାରେ ଚାରୋଟି ଷ୍ଟାଡିୟମ ରହିଛି। ଏଥିମଧ୍ୟରୁ ମୁମ୍ବାଇରେ ତିନୋଟି ଷ୍ଟାଡିୟମ ରହିଥିବା ବେଳେ ପୁଣେରେ ଗୋଟିଏ ଷ୍ଟାଡିୟମ ରହିଛି। ଗୋଟିଏ ରାଜ୍ୟରେ ଆଇପିଏଲ୍ ଆୟୋଜନ କରିବା ଦ୍ୱାରା ଖେଳାଳିମାନେ ପୂରା ଦେଶର ଯାତ୍ରା କରିବାକୁ ବଞ୍ଚିତ ହେବେ ଏବଂ ଅଭ୍ୟାସ ପାଇଁ ପର୍ଯ୍ୟାପ୍ତ ସମୟ ମଧ୍ୟ ପାଇବେ। ତେବେ ଏହା ପୂର୍ବରୁ ସରକାର ହିଁ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ କୌଣସି ନିଷ୍ପତ୍ତି ନେବେ। ସୂଚନାଯୋଗ୍ୟ, କ୍ରୀଡ଼ା ମନ୍ତ୍ରଣାଳୟ ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ ଏପ୍ରିଲ୍ ୧୫ ତାରିଖ ପରେ ଆଇପିଏଲ୍ ଉପରେ କୌଣସି ନିଷ୍ପତ୍ତି ନିଆଯିବ।

ହୁଏତ ବିସିସିଆଇ ମେ' ମାସରେ ଆଇପିଏଲ୍ ଆୟୋଜନ କରିବାକୁ ପ୍ରସ୍ତୁତ ଥିବା ଲାଗୁଛି, କିନ୍ତୁ ବର୍ତ୍ତମାନ ସ୍ଥିତିରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାର ସମ୍ଭାବନା ବହୁତ କମ୍। ଯେଉଁଭଳି ଭାବେ କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି, ଏପ୍ରିଲ୍ ସୁଦ୍ଧା ପରିସ୍ଥିତି ସାମାନ୍ୟ ହେବ ବୋଲି ଲାଗୁ ନାହିଁ। ଏହାସହ ଯଦିବି ସ୍ଥିତିରେ ସୁଧାର ଆସେ, ବିଦେଶୀ ଖେଳାଳିଙ୍କୁ ସେମାନଙ୍କ ବୋର୍ଡ ଭାରତ ଆସିବାକୁ ଅନୁମତି ଦେବେ କି ନାହିଁ, ତାହା ବଡ଼ ମୁଦ୍ଦା। ଅନ୍ୟପକ୍ଷରେ ଭାରତ ସରକାର କୌଣସି ବିଦେଶୀ ନାଗରିକଙ୍କୁ ନିଜ ଦେଶକୁ ଆଣି ରିସ୍କ ଉଠାବାକୁ ଚାହିଁବ ନାହିଁ।

ସୂଚନାଯୋଗ୍ୟ, କରୋନା ପାଇଁ ଏବେ ସାରା ବିଶ୍ୱ ଚିନ୍ତିତ। ବିଶ୍ୱର ସବୁ କ୍ରୀଡ଼ା ଇଭେଣ୍ଟକୁ ବାତିଲ କରିଦିଆଯାଇଛି। ବିସିସିଆଇ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଆଇପିଏଲକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଥିଲା। ଏହା ପରେ ବିସିସିଆଇ ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜର ବାକି ଦୁଇଟି ମ୍ୟାଚକୁ ମଧ୍ୟ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବାତିଲ୍ କରିଥିଲା। ମ୍ୟାଚ୍ ବାତିଲ୍ ହେବା ଦ୍ୱାରା ଦକ୍ଷିଣ ଆଫ୍ରିକା ଟିମର ଖେଳାଳିମାନେ ସ୍ୱଦେଶ ଫେରିଯାଇଥିଲେ।

ଆଇପିଏଲ୍ ବାତିଲ୍ ହେବା ଦ୍ୱାରା ବିସିସିଆଇ ସମେତ ସବୁ ଟିମର ଫ୍ରାଞ୍ଚାଇଜି ଏବଂ ବ୍ରଡକାଷ୍ଟରଙ୍କୁ ହଜାର ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ। କିନ୍ତୁ ଫ୍ରାଞ୍ଚାଇଜିମାନେ ଏହି କ୍ଷତି ସହିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଫ୍ରାଞ୍ଚାଇଜିର ମାଲିକମାନଙ୍କ ମତରେ, ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କ ପାଇଁ ଖେଳାଳିମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ମୁଖ୍ୟ ପ୍ରାଥମିକତା। ଅନ୍ୟପକ୍ଷରେ ଗଣମାଧ୍ୟମ ରିପୋର୍ଟରୁ ମିଳିଥିବା ଖବର ଅନୁଯାୟୀ, ଯଦି ଆଇପିଏଲ୍ ଏପ୍ରିଲ୍ କିମ୍ବା ମେ' ମାସରେ ଆୟୋଜନ ନହୁଏ, ତାହେଲେ ଏହି ଟୁର୍ଣ୍ଣାମେଣ୍ଟକୁ ଜୁଲାଇରୁ ସେପ୍ଟେମ୍ବର ମାସ ଭିତରେ ଆୟୋଜନ କରିବାକୁ ବିସିସିଆଇ ଯୋଜନା କରୁଛି। କାରଣ ଏହି ତିନିମାସ ମଧ୍ୟରେ ସେଭଳି କୌଣସି ବଡ଼ ଅନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ ଆୟୋଜିତ ହେବାର ନାହିଁ। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ହୁଏତ ଏହି ସମୟ ମଧ୍ୟରେ ଆଇପିଏଲ୍ ୧୩ଶ ସଂସ୍କରଣକୁ ଆୟୋଜନ କରିପାରେ।

Related story