ଭାରତ ଠାରୁ ଟେଷ୍ଟ ସିରିଜ୍‌ ହାରିବା ପରେ ଲାଙ୍ଗରଙ୍କ ସହ କ’ଣ ହୋଇଥିଲା

ମେଲବର୍ଣ୍ଣ: ଘରୋଇ ମାଟିରେ ଅଷ୍ଟ୍ରେଲିଆ ପ୍ରଥମଥର ପାଇଁ ୨୦୧୮-୧୯ରେ ଭାରତ ଠାରୁ ଟେଷ୍ଟ ସିରିଜ୍‌ ହାରିଥିଲା। ଏହି ପରାଜୟ ହିଁ ଅଷ୍ଟ୍ରେଲିଆର କୋଚ ଜଷ୍ଟିନ ଲାଙ୍ଗରଙ୍କୁ ଉଚିତ ଶିକ୍ଷା ଦେଇଥିଲା। ଏହି ପରାଜୟ ପରେ ସେ ନିଜର କୋଚିଂ ଦାୟିତ୍ୱକୁ ଆହୁରି ସୁଦୃଢ଼ କରିଥିଲେ। ଏଥିସହ ଏହାକୁ ଉଚିତ ମାର୍ଗରେ ନେବା ପାଇଁ ଅଧିକ ସତର୍କ ହୋଇଥିଲେ ବୋଲି ଖୋଦ୍‌ ଜଷ୍ଟିନ ଲାଙ୍ଗର କହିଛନ୍ତି। ଲାଙ୍ଗର ୨୦୧୮ ମେ’ ମାସରେ ଅଷ୍ଟ୍ରେଲିଆର କୋଚ ଭାବେ ନିଯୁକ୍ତି ପାଇଥିଲେ। […]

xz

Hemant Lenka
  • Published: Saturday, 11 April 2020
  • , Updated: 11 April 2020, 04:32 PM IST

ମେଲବର୍ଣ୍ଣ: ଘରୋଇ ମାଟିରେ ଅଷ୍ଟ୍ରେଲିଆ ପ୍ରଥମଥର ପାଇଁ ୨୦୧୮-୧୯ରେ ଭାରତ ଠାରୁ ଟେଷ୍ଟ ସିରିଜ୍‌ ହାରିଥିଲା। ଏହି ପରାଜୟ ହିଁ ଅଷ୍ଟ୍ରେଲିଆର କୋଚ ଜଷ୍ଟିନ ଲାଙ୍ଗରଙ୍କୁ ଉଚିତ ଶିକ୍ଷା ଦେଇଥିଲା। ଏହି ପରାଜୟ ପରେ ସେ ନିଜର କୋଚିଂ ଦାୟିତ୍ୱକୁ ଆହୁରି ସୁଦୃଢ଼ କରିଥିଲେ। ଏଥିସହ ଏହାକୁ ଉଚିତ ମାର୍ଗରେ ନେବା ପାଇଁ ଅଧିକ ସତର୍କ ହୋଇଥିଲେ ବୋଲି ଖୋଦ୍‌ ଜଷ୍ଟିନ ଲାଙ୍ଗର କହିଛନ୍ତି।

ଲାଙ୍ଗର ୨୦୧୮ ମେ’ ମାସରେ ଅଷ୍ଟ୍ରେଲିଆର କୋଚ ଭାବେ ନିଯୁକ୍ତି ପାଇଥିଲେ। ଏହା ପୂର୍ବରୁ ବଲ ବିକୃତ କରିବା ଘଟଣାରେ ଦଳର ଦୁଇ ଷ୍ଟାର ବ୍ୟାଟସମ୍ୟାନ ଷ୍ଟିଭ ସ୍ମିଥ ଓ ଡାଭିଡ ୱାର୍ଣ୍ଣର ବର୍ଷକ ପାଇଁ ବ୍ୟାନ ହୋଇଥିଲେ। ଦୁଇ ଷ୍ଟାର ବ୍ୟାଟସମ୍ୟାନଙ୍କ ଅନୁପସ୍ଥିତିରେ ଦଳରେ ସନ୍ତୁଳନ ରକ୍ଷା କରିବା ଲାଙ୍ଗରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।

ଲାଙ୍ଗର ନୂଆ ନୂଆ କୋଚ ହୋଇଥିବା ବେଳେ ଭାରତ ଟେଷ୍ଟ ସିରିଜ ଖେଳିବାକୁ ଅଷ୍ଟ୍ରେଲିଆ ଯାଇଥିଲା। ହେଲେ ଘରୋଇ ଦଳକୁ ଭାରତ ଠାରୁ ନିଜ ମାଟିରେ ସିରିଜ ହାରିବାକୁ ପଡ଼ିଥିଲା। ଭାରତ ୨-୧ରେ ସିରିଜ୍ ଜିତି ଇତିହାସ ସୃଷ୍ଟି କରିଥିଲା।

ଲାଙ୍ଗର କହିଛନ୍ତି, “ଏହି ପରାଜୟ ହିଁ ମୋତେ ଅଧିକ ସତର୍କ କରାଇଥିଲା। ସେତେବେଳେ ମୋ ମନ ଭିତରେ ଯାହା ଘଟିଥିଲା, ତା’ହା କେବେ ବି ମୁଁ କହିପାରିବି ନାହିଁ। ମୋ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ଦେଇ ମୁଁ ଗତି କରୁଥିଲି। ହଁ ମୋ କ୍ରିକେଟ କ୍ୟାରିୟରର ୧୦ ବର୍ଷ ମଧ୍ୟରେ ଏଭଳି ଅନେକ ସମୟ ଦେଇ ମୁଁ ଗତି କରିଛି। ହେଲେ କୋଚିଂ କ୍ୟାରିୟର ମଧ୍ୟରେ ଏଭଳି ପରିସ୍ଥିତିର କେବେ ହେଲେ ସମ୍ମୁଖୀନ ହୋଇ ନଥିଲି। ମୁଁ ମୋର ପୂର୍ବ ସମୟକୁ ମନେ ପକାଇଥିଲି ଓ ଏହି ପରାଜୟ ହିଁ ମୋ କୋଚିଂ କ୍ୟାରିୟରକୁ ଅଧିକ ସୁଦୃଢ଼ କରିବାକୁ ମୋତେ ପ୍ରୋତ୍ସାହିତ କରିଥିଲା। ଏହା ଆମ ସମସ୍ତଙ୍କ ପାଇଁ ଏକ ଶିକ୍ଷା ଥିଲା। ସେହି ସମୟକୁ ମୁଁ କେବେ ବି ଭୁଲି ପାରିବି ନାହିଁ।”

୨୦୦୧ ଆଶେସ ସିରିଜ୍‌ ଆରମ୍ଭ ବେଳେ ଲାଙ୍ଗରଙ୍କୁ ଖେଳାଳି ଭାବେ ଡ୍ରପ କରିଦିଆଯାଇଥିଲା। ସେ ସମୟରେ ବି ସେ ବେଶ ଚିନ୍ତାରେ ପଡ଼ିଥିଲେ। ତେବେ ପୂର୍ବରୁ ୩ ନଂରେ ବ୍ୟାଟିଂ କରୁଥିବା ଲାଙ୍ଗରଙ୍କୁ ସିରିଜ୍‌ ଶେଷ ଆଡ଼କୁ ମ୍ୟାଥ୍ୟୁ ହେଡେନଙ୍କ ସହ ଓପନ କରିବାକୁ ସୁଯୋଗ ମିଳିଥିଲା। ଏହି ଇନିଂସ୍‌ ହିଁ ତାଙ୍କ କ୍ରିକେଟ କ୍ୟାରିୟରର ମୋଡ଼ ବଦଳାଇ ଦେଇଥିଲା।

ସେ ଦେଶର ସବୁଠାରୁ ସଫଳ ଓପନର ଭାବେ ଇତିହାସ ସୃଷ୍ଟି କରିଥିଲେ। ୨୩ଟି ଶତକ ମଧ୍ୟରୁ ଲାଙ୍ଗର ଇନିଂସ ଓପନ କରି ୧୬ଟି ସେଞ୍ଚୁରୀ ହାସଲ କରିଛନ୍ତି। ଲାଙ୍ଗର କହିଛନ୍ତି, “୨୦୦୧ରେ ମୋତେ ଦଳରୁ ଡ୍ରପ କରାଯାଇଥିଲା। ସେହି ସମୟରେ ମୋ ବୟସ ୩୧ ଥିଲା।

୩୧ ବର୍ଷ ବୟସରେ ଦଳକୁ ବାଦ ପଡ଼ିବାରୁ ମୁଁ ଭାବିଥିଲି ମୋ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିଲା। ସେହି ସମୟରେ ମୁଁ ଧୈର୍ଯ୍ୟ ରଖି ଅପେକ୍ଷା କଲି। ଏହି ଧୈର୍ଯ୍ୟ ହିଁ ମୋ କ୍ରିକେଟ କ୍ୟାରିୟରକୁ ଆଗକୁ ନେଇଥିଲା। ସମସ୍ୟା ଓ ପ୍ରତିକୂଳ ପରିସ୍ଥିତି ହିଁ ମଣିଷକୁ ଆଗକୁ ବଢ଼ାଇବାକୁ ପ୍ରୋତ୍ସାହିତ କରିଥାଏ। ଭୁଲରୁ ଶିଖୁଥିବା ମଣିଷ ହିଁ ଆଗକୁ ସଫଳତା ପାଇଥାଏ।”

Related story