'ଦ୍ୱୈତ ସ୍ୱାର୍ଥ' ମାମଲାରେ ସିଏସିକୁ ନୋଟିସ୍

ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ୍ ଟିମର କୋଚ୍ ଚୟନ ପାଇଁ ପୂର୍ବତନ ଭାରତୀୟ କ୍ରିକେଟର କପିଲ୍ ଦେବଙ୍କ ଅଧ୍ୟକ୍ଷତା ବିଶିଷ୍ଟ କ୍ରିକେଟ୍ ଆଡଭାଇଜରି କମିଟି (ସିଏସି) ଉପରେ ଦ୍ୱୈତ ସ୍ୱାର୍ଥ (କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ)ର ଅଭିଯୋଗ ଲଗାଯାଇଛି। ମଧ୍ୟପ୍ରଦେଶ କ୍ରିକେଟ୍ ସଂଘ (ଏମପିସିଏ)ର ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତାଙ୍କ ଅଭିଯୋଗ ଆଧାରରେ ବିସିସିଆଇର ଏଥିକ୍ସ ଅଫିସର୍ ଡିକେ ଜୈନ୍ ସିଏସିକୁ ନୋଟିସ୍ ପଠାଇଛନ୍ତି। ସିଏସିକୁ ଅକ୍ଟୋବର ୧୦ ତାରିଖ ସୁଦ୍ଧା ଜବାବ ଦେବାକୁ ଡିକେ ଜୈନ୍ କହିଛନ୍ତି। […]

CAC

Ranjit Kumar Jena
  • Published: Sunday, 29 September 2019
  • , Updated: 29 September 2019, 07:35 PM IST

ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ୍ ଟିମର କୋଚ୍ ଚୟନ ପାଇଁ ପୂର୍ବତନ ଭାରତୀୟ କ୍ରିକେଟର କପିଲ୍ ଦେବଙ୍କ ଅଧ୍ୟକ୍ଷତା ବିଶିଷ୍ଟ କ୍ରିକେଟ୍ ଆଡଭାଇଜରି କମିଟି (ସିଏସି) ଉପରେ ଦ୍ୱୈତ ସ୍ୱାର୍ଥ (କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ)ର ଅଭିଯୋଗ ଲଗାଯାଇଛି। ମଧ୍ୟପ୍ରଦେଶ କ୍ରିକେଟ୍ ସଂଘ (ଏମପିସିଏ)ର ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତାଙ୍କ ଅଭିଯୋଗ ଆଧାରରେ ବିସିସିଆଇର ଏଥିକ୍ସ ଅଫିସର୍ ଡିକେ ଜୈନ୍ ସିଏସିକୁ ନୋଟିସ୍ ପଠାଇଛନ୍ତି। ସିଏସିକୁ ଅକ୍ଟୋବର ୧୦ ତାରିଖ ସୁଦ୍ଧା ଜବାବ ଦେବାକୁ ଡିକେ ଜୈନ୍ କହିଛନ୍ତି।

ସିଏସି କମିଟିରେ କପିଲ ଦେବଙ୍କ ବ୍ୟତୀତ ଶାନ୍ତା ରଙ୍ଗାସ୍ୱାମୀ ଓ ଅଂଶୁମାନ ଗାଏକ୍ୱାଡ୍ ମଧ୍ୟ ସାମିଲ୍ ଥିଲେ। ସିଏସି ସଦସ୍ୟଙ୍କୁ ଦ୍ୱୈତ ସ୍ୱାର୍ଥ ନୋଟିସ୍ ମିଳିବା ପରେ ଚର୍ଚ୍ଚା ହେଉଛି ଯେ, ଯଦି ଅଭିଯୋଗ ସତ ପ୍ରମାଣିତ ହୁଏ ତାହେଲେ ରବି ଶାସ୍ତ୍ରୀଙ୍କ ସମସ୍ୟା ବଢ଼ିପାରେ। ଏପରିକି ଶାସ୍ତ୍ରୀଙ୍କୁ ନିଜ ପଦ ଛାଡ଼ିବାକୁ ପଡ଼ିବ। ଯାହା ତାଙ୍କୁ ପୁଣିଥରେ କୋଚ୍ ପଦବୀ ପାଇଁ ସାକ୍ଷାତକାର ଦେବାକୁ ପଡ଼ିପାରେ। ତେବେ କ୍ରିକେଟ୍ ପ୍ରଶାସନିକ କମିଟି (ସିଓଏ)ର ଅଧ୍ୟକ୍ଷ ବିନୋଦ ରାୟ ସ୍ପଷ୍ଟ କରିଛନ୍ତି ଯେ, ସିଏସିର ସଦସ୍ୟଙ୍କ ଉପରେ ଲାଗିଥିବା ଅଭିଯୋଗର ପ୍ରଭାବ କୋଚ୍ ଶାସ୍ତ୍ରୀଙ୍କ ଚୟନ ଉପରେ ପଡ଼ିବ ନାହିଁ। ଶାସ୍ତ୍ରୀଙ୍କ ଉପରେ କୌଣସି ବିପଦ ନାହିଁ। ଏପରିକି ସିଏସିକୁ ନୋଟିସ୍ ହେବା ପରେ ଶାନ୍ତା ରଙ୍ଗାସ୍ୱାମୀ ଇସ୍ତଫା ଦେଇଛନ୍ତି।

ସିଏସିର ସଦସ୍ୟ ହିଁ ମୁଖ୍ୟ କୋଚ୍ ପଦ ପାଇଁ ଶାସ୍ତ୍ରୀଙ୍କ ଚୟନ କରିଥିଲେ। ଏହା ସହ ଶାସ୍ତ୍ରୀଙ୍କ କାର୍ଯ୍ୟକାଳକୁ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ସିଏସି ଉପରେ ଲାଗିଥିବା ଅଭିଯୋଗର ଜବାବ ସେମାନଙ୍କୁ ଅକ୍ଟୋବର ୧୦ ତାରିଖ ସୁଦ୍ଧା ଦେବାକୁ ପଡ଼ିବ। ଏଭଳି ସ୍ଥିତିରେ ଯଦି ସିଏସି ଦ୍ୱୈତ ସ୍ୱାର୍ଥ ମାମଲାରେ ଦୋଷୀ ସାବ୍ୟସ୍ତ ହୁଏ, ତାହେଲେ ଶାସ୍ତ୍ରୀଙ୍କୁ ପୁଣିଥରେ ଅନାବଶ୍ୟକ ଭାବେ ନିଯୁକ୍ତି ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ। ଏ ନେଇ ବୋର୍ଡର ଜଣେ ଅଧିକାରୀ କହିଛନ୍ତି, "ଏବେ ଏକ ନୂଆ କମିଟି ଗଠନ କରାଯିବ ଏବଂ କୋଚଙ୍କ ନିଯୁକ୍ତି ପ୍ରକ୍ରିୟା ପୁନର୍ବାର ହେବ। ବିସିସିଆଇର ନୂଆ ସମ୍ବିଧାନକୁ ଦୃଷ୍ଟିରେ ରଖି ଏସବୁ କାମ ପୁଣିଥରେ କରିବାକୁ ପଡ଼ିବ।"

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ କ୍ରିକେଟ୍ ସଂଘର ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା ସିଏସିର ତିନିଜଣ ସଦସ୍ୟଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏହି କମିଟି ଗତ ଅଗଷ୍ଟ ମାସରେ ଶାସ୍ତ୍ରୀଙ୍କୁ କୋଚ୍ ଚୟନ କରିଥିଲା। ସେ ନିଜ ଅଭିଯୋଗରେ କହିଛନ୍ତି, ସିଏସିର ସଦସ୍ୟମାନେ ଏକାସାଙ୍ଗରେ ଅନେକ ଭୂମିକା ବହନ କରୁଛନ୍ତି। ୧୯୮୩ ବିଶ୍ୱ ବିଜେତା କ୍ୟାପଟେନ୍ କପିଲ୍ ଦେବ ସିଏସି ବ୍ୟବୀତ କମେଣ୍ଟେଟର, ଏକ ଫ୍ଲଡଲାଇଟ୍ କମ୍ପାନୀର ମାଲିକ ଏବଂ ଭାରତୀୟ କ୍ରିକେଟର୍ସ ସଂଘର ସଦସ୍ୟ ମଧ୍ୟ ଅଛନ୍ତି।

ସେହିପରି ଗାଏକ୍ୱାଡ୍ ମଧ୍ୟ ଦ୍ୱୈତ ସ୍ୱାର୍ଥରେ ଜଡ଼ିତ ଅଛନ୍ତି, କାରଣ ସେ ଏକ ଏକାଡେମୀର ମାଲିକ ଅଛନ୍ତି ଏବଂ ବିସିସିଆଇ ଦ୍ୱାରା ମାନ୍ୟତାପ୍ରାପ୍ତ କମିଟିର ସଦସ୍ୟ ମଧ୍ୟ ଅଛନ୍ତି। ତାଙ୍କ ଅନୁଯାୟୀ, ଭାରତୀୟ ମହିଳା କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ରଙ୍ଗାସ୍ୱାମୀ ସିଏସି ବ୍ୟତୀତ ଆଇସିଏରେ ମଧ୍ୟ ଅଛନ୍ତି। ସିଏସି ଡିସେମ୍ବରରେ ମହିଳା ଟିମର ମୁଖ୍ୟ କୋଚ୍ ଭାବେ ଡବ୍ଲ୍ୟୁଭି ରମଣଙ୍କୁ ଚୟନ କରିଥିଲା, କିନ୍ତୁ ସେତେବେଳେ ସେ ଅସ୍ଥାୟୀ କମିଟିରେ ଥିଲେ।

Related story