ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ବିଜୟ ରଥକୁ ଅଟକାଇଲେ ଗେଲ୍। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଗେଲ୍ଙ୍କ ୧୦୪ ରନ୍ ବଳରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ୧୯୩ ରନ୍ କରିପାରିଥିଲା। ଏହାକୁ ପଛା କରୁଥିବା ସନରାଇଜର୍ସ ହାଇଦ୍ରାବାଦ ମାତ୍ର ୧୭୩ ରନ୍ କରିପାରିଥିଲା। ଯାହାଫଳରେ ପଞ୍ଜାବ ୧୫ ରନ୍ରେ ମ୍ୟାଚ୍କୁ ଜିତି ନେଇଛି।
ଆଜି ମୋହାଲିରେ ଖେଳାଯାଇଥିବା ମ୍ୟାଚ୍ରେ ପଞ୍ଜାମ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପାଳି ଆରମ୍ଭ କରିବାକୁ ଆସିଥିଲେ ଗେଲ୍ ଓ ଲୋକେଶ ରାହୁଲ। ପ୍ରଥମ ତିନି ଓଭର ସ୍ଲୋ ଖେଳି ଥିଲେ। ପରେ ଗେଲ୍ ଝଡ଼ ଦେଖିବାକୁ ମିଳିଥିଲା। ଗେଲ୍ ଧୂଆଧାର ବ୍ୟାଟିଂ ଖେଳିଥିଲେ। ଅନ୍ୟପଟରେ ରାହୁଲ୍ ଜଗି ରହିଥିଲେ। ତେବେ ସପ୍ତମ ଓଭରରେ ବାମହାତୀ ସ୍ପିନ୍ ବୋଲର ରସିଦ୍ ଖାନ୍ଙ୍କ ବଲ୍ରେ ସେ ଏବିଡବ୍ଲୁ ହୋଇଥିଲେ। ସେ ୨୧ଟି ବଲ୍ ଖେଳି ୧୮ ରନ୍ କରିଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିଲେ ମୟଙ୍କ ଅଗ୍ରୱାଲ୍। ସେ ମଧ୍ୟ ବେଶୀ ସମୟ ତିଷ୍ଠି ପାରିନଥିଲେ। ୧୮ ରନ୍ କରି ଆଉଟ୍ ହୋଇଯାଇଥିଲେ। ପରେ କରୁନ୍ ନାୟର ୩୧ ରନ୍ କରି ଆଉଟ୍ ହୋଇଥିବା ବେଳେ ଅନ୍ୟପକ୍ଷରେ ଗେଲ୍ ବିସ୍ଫୋରକ ଇନିଂସ ଖେଳି ଚାଲିଥିଲେ। ଗେଲ୍ ୬୩ଟା ବଲ ଖେଳି ୧୦୪ ରନ୍ କରି ନଟ୍ଆଉଟ୍ ରହିଥିଲେ। ସେହିପରି ଆରୋନ୍ ଫିଞ୍ଚ ମଧ୍ୟ ୬ଟି ବଲ୍ରେ ୧୪ ରନ୍ କରି ନଟ୍ଆଉଟ୍ ରହିଥିଲେ। ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ୱର କୁମାର, ରସିନ୍ ଖାନ୍ ଓ ଦୀପକ ହୋଡ୍ଡା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
୧୯୪ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ରିଦ୍ଧିମାନ ଶାହା ଓ ଶିଖର ଧାୱାନ୍ ଓପ୍ନିଂ କରିବାକୁ ଆସିଥିଲେ। ଶିଖର ଗୋଟିଏ ବଲ୍ ଖେଳି ରିଟାୟାର୍ ହର୍ଟ ହୋଇଯାଇ ଥିଲେ। ତା’ପରେ ଅନ୍ୟ କୌଣସି ବ୍ୟାଟ୍ସ ମ୍ୟାନ୍ ବେଶୀ ସମୟ ତିଷ୍ଠି ପାରିନଥିଲେ। ରିଦ୍ଧିମାନ ୬, ଅଧିନାୟକ ୱିଲିୟମ୍ସନ୍ ୫୪, ୟୁସୁଫ ପଠାନ୍, ୧୯ ଓ ଦୀପକ ହୋଡ୍ଡା ୫ ରନ୍ କରି ଆଉଟ୍ ହୋଇଯାଇଥିଲେ। ମନିଷ ମାଣ୍ଡେ ୫୭ ଓ ସକିବଲ୍ ହାସନ୍ ୨୪ ରନ୍ କରି ନଟ୍ଆଉଟ୍ ରହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।