ପଞ୍ଚମ ଆଶେସ୍ ଟେଷ୍ଟ: ପରାଜୟ ଏଡାଇବାକୁ ଅଷ୍ଟ୍ରେଲିଆର ସଂଘର୍ଷ

ଦି ଓଭାଲ୍: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍ ଟେଷ୍ଟ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି। ଇଂଲଣ୍ଡ ଦ୍ୱାରା ଧାର୍ଯ୍ୟ ୩୯୯ ରନର ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ଶେଷ ଖବର ମିଳିବା ସୁଦ୍ଧା ୬ ୱିକେଟ୍ ହରାଇ ୨୪୩ ରନ୍ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ମାଥ୍ୟୁ ୱେଡ୍ ଆକର୍ଷଣୀୟ ବ୍ୟାଟିଂ କରି ଶତକ ମାରିଥିବା ବେଳେ ତାଙ୍କୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସହଯୋଗ କରିନାହାନ୍ତି। ୱେଡ୍ ୧୧୧ ଏବଂ ପ୍ୟାଟ୍ […]

wade

wade

Ranjit Kumar Jena
  • Published: Sunday, 15 September 2019
  • Updated: 15 September 2019, 10:11 PM IST

ଦି ଓଭାଲ୍: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍ ଟେଷ୍ଟ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି। ଇଂଲଣ୍ଡ ଦ୍ୱାରା ଧାର୍ଯ୍ୟ ୩୯୯ ରନର ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ଶେଷ ଖବର ମିଳିବା ସୁଦ୍ଧା ୬ ୱିକେଟ୍ ହରାଇ ୨୪୩ ରନ୍ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ମାଥ୍ୟୁ ୱେଡ୍ ଆକର୍ଷଣୀୟ ବ୍ୟାଟିଂ କରି ଶତକ ମାରିଥିବା ବେଳେ ତାଙ୍କୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସହଯୋଗ କରିନାହାନ୍ତି। ୱେଡ୍ ୧୧୧ ଏବଂ ପ୍ୟାଟ୍ କମିନ୍ସ ୯ ରନରେ ବ୍ୟାଟିଂ କରୁଛନ୍ତି।

ଏହି ବିଶାଳ ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଦୁଇ ଓପ୍ନର ଡେଭିଡ୍ ୱାର୍ଣ୍ଣର୍ ଓ ମାର୍କସ୍ ହାରିସ୍ ପୁଣିଥରେ ନିରାଶ କରିଥିଲେ। ତେବେ ଉଭୟ ବ୍ୟାଟ୍ସମ୍ୟାନଙ୍କୁ ଷ୍ଟୁଆର୍ଟ ବ୍ରଡ୍ ପ୍ୟାଭିଲିୟନ୍ ପଠାଇଥିଲେ। ଅଷ୍ଟ୍ରେଲିଆର ସ୍କୋର ୧୮ ଥିବା ବେଳେ ହାରିସ(୯) କ୍ଲିନ୍ ବୋଲ୍ଡ ହୋଇଥିଲେ। ଏହା ପରେ ୱାର୍ଣ୍ଣର ୧୧ ରନ୍ କରି ସିରିଜରେ ସପ୍ତମଥର ପାଇଁ ବ୍ରଡଙ୍କ ଶିକାର ହୋଇଥିଲେ।

ମାର୍ନସ୍ ଲାବୁଶେନ୍ ଓ ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥଙ୍କ ଉପରେ ଅଷ୍ଟ୍ରେଲିଆ ଆଶା ବାନ୍ଧିଥିଲା। ଲାବୁଶେନ୍ ବ୍ୟକ୍ତିଗତ ୧୪ ରନ୍ କରିଥିବା ବେଳେ ଜ୍ୟାକ୍ ଲିଚଙ୍କ ବଲରେ ୱିକେଟକିପର ଜନ୍ନି ବେୟାରଷ୍ଟୋଙ୍କୁ କ୍ୟାଚ୍ ଦେଇ ବସିଥିଲେ। ସ୍ମିଥ୍ (୨୩) ଯେଉଁଭଳି ବ୍ୟାଟିଂ କରୁଥିଲେ, ଲାଗୁଥିଲା ଯେପରି ସେ ଟିମକୁ ବିଜୟୀ କରାଇବେ। କିନ୍ତୁ ସ୍ମିଥଙ୍କ ମୂଲ୍ୟବାନ୍ ୱିକେଟ୍ ନେଇ ବ୍ରଡ୍ ମ୍ୟାଚକୁ ଇଂଲଣ୍ଡ କବଜାରେ କରିଥିଲେ। ସିରିଜରେ ପ୍ରଥମଥର ପାଇଁ ସ୍ମିଥ୍ ବିନା ଅର୍ଦ୍ଧଶତକ କରି ପ୍ୟାଭିଲିୟନ୍ ଫେରିଥିଲେ।

ଏହା ପରେ ୱେଡ୍ ଓ ମିଚେଲ୍ ମାର୍ଶ ପଞ୍ଚମ ୱିକେଟ୍ ପାଇଁ ଅର୍ଦ୍ଧଶତକୀୟ (୬୩) ଭାଗୀଦାରୀ କରି ଟିମ୍ ପାଇଁ ଆଶା ସଞ୍ଚାର କରିଥିଲେ। କିନ୍ତୁ ଚମତ୍କାର ବୋଲିଂ କରିଥିବା ମାର୍ଶ (୨୪) ବ୍ୟାଟିଂରେ ସେଭଳି ଖାସ୍ ପ୍ରଦର୍ଶନ କରିପାରିଥିଲେ। ତାଙ୍କୁ ଜୋ ରୁଟ୍ ଆଉଟ୍ କରିଥିଲେ। କ୍ୟାପଟେନ୍ ଟିମ୍ ପେନଙ୍କ ସହ ମିଶି ୱେଡ୍ ଷଷ୍ଠ ୱିକେଟ୍ ପାଇଁ ୫୨ ରନ୍ ଯୋଡ଼ି ଟିମ୍ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ପେନ୍ ଆସିବା ମାତ୍ରକେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ, କିନ୍ତୁ ତାଙ୍କୁ ଲିଚ୍ ଏଲବିଡବ୍ଲ୍ୟୁ ଆଉଟ୍ କରି ଇଂଲଣ୍ଡକୁ ଷଷ୍ଠ ସଫଳତା ଦେଇଥିଲେ।

ପୂର୍ବଦିନର ସ୍କୋର ୩୧୩/୮ରୁ ଖେଳ ଆରମ୍ଭ କରିଥିବା ଇଂଲଣ୍ଡ ଆଉ ୧୬ ରନ୍ ଯୋଡ଼ି ଦ୍ୱିତୀୟ ଇନିଂସରେ ୩୨୯ ରନ୍ କରି ଅଲଆଉଟ୍ ହୋଇଥିଲା। ଟିମର ଶେଷ ଦୁଇ ୱିକେଟ୍ ଭାବେ ଜୋଫ୍ରା ଆର୍ଚର୍ (୩) ଓ ଜ୍ୟାକ୍ ଲିଚ୍ (୯) ଆଉଟ୍ ହୋଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ନେଥନ ଲାୟନ୍ ୪ଟି, କମିନ୍ସ, ପିଟର୍ ସିଡଲ୍ ଓ ମାର୍ଶ ୨ଟି ଲେଖାଏ ୱିକେଟ୍ ନେଇଥିଲେ। ଉକ୍ତ ମ୍ୟାଚରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୯୪ ରନ୍ କରିଥିବା ବେଳେ ଅଷ୍ଟ୍ରେଲିଆ ୨୨୫ ରନରେ ଅଲଆଉଟ୍ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos