ଟେଷ୍ଟ ସିରିଜ୍ ପୂର୍ବରୁ ଫର୍ମକୁ ଫେରିଲେ ମୟଙ୍କ ଓ ପନ୍ତ, ଅଭ୍ୟାସ ମ୍ୟାଚ୍ ଡ୍ର'

ହାମିଲଟନ୍‌: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ଏକାଦଶ ମଧ୍ୟରେ ଚାଲିଥିବା ତିନିଦିନିଆ ଅଭ୍ୟାସ ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି। ତୃତୀୟ ତଥା ଅନ୍ତିମ ଦିବସରେ ଭାରତ ଦ୍ୱିତୀୟ ଇନିଂସରେ ୪ ୱିକେଟ୍ ହରାଇ ୨୫୨ ରନ୍ କରିଥିବା ବେଳେ ମ୍ୟାଚ୍ ଶେଷ ହୋଇଛି। ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ୍ ଓ ଋଷଭ ପନ୍ତ ଏହି ମ୍ୟାଚରେ ଅର୍ଦ୍ଧଶତକ ମାରି ଫର୍ମକୁ ଫେରିଛନ୍ତି, ଯାହା ଟେଷ୍ଟ ସିରିଜ୍ ପୂର୍ବରୁ ଭାରତ ପାଇଁ ଭଲ ଖବର। ମୟଙ୍କ ୯୯ ବଲରେ ୧୦ […]

india

Ranjit Kumar Jena
  • Published: Sunday, 16 February 2020
  • , Updated: 16 February 2020, 04:51 PM IST

ହାମିଲଟନ୍‌: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ଏକାଦଶ ମଧ୍ୟରେ ଚାଲିଥିବା ତିନିଦିନିଆ ଅଭ୍ୟାସ ମ୍ୟାଚ୍ ଡ୍ର'ରେ ଶେଷ ହୋଇଛି। ତୃତୀୟ ତଥା ଅନ୍ତିମ ଦିବସରେ ଭାରତ ଦ୍ୱିତୀୟ ଇନିଂସରେ ୪ ୱିକେଟ୍ ହରାଇ ୨୫୨ ରନ୍ କରିଥିବା ବେଳେ ମ୍ୟାଚ୍ ଶେଷ ହୋଇଛି। ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ୍ ଓ ଋଷଭ ପନ୍ତ ଏହି ମ୍ୟାଚରେ ଅର୍ଦ୍ଧଶତକ ମାରି ଫର୍ମକୁ ଫେରିଛନ୍ତି, ଯାହା ଟେଷ୍ଟ ସିରିଜ୍ ପୂର୍ବରୁ ଭାରତ ପାଇଁ ଭଲ ଖବର। ମୟଙ୍କ ୯୯ ବଲରେ ୧୦ ଚୌକା ଓ ୩ ଛକା ସହ ୮୧ ଓ ପନ୍ତ ୬୫ ବଲରେ ୪ ଚୌକା ଓ ୪ ଛକା ସହ ୭୦ ରନ୍ କରିଛନ୍ତି।

ରବିବାର ଭାରତ ତା'ର ପୂର୍ବଦିନର ସ୍କୋର ବିନା ୱିକେଟରେ ୫୯ ରନରୁ ଖେଳ ଆରମ୍ଭ କରିଥିଲା। ଦ୍ୱିତୀୟ ଦିବସରେ ୩୫ ରନରେ ଅପରାଜିତ ଥିବା ପୃଥ୍ୱୀ ଆଜି ଆଉ ୪ ରନ୍ ଯୋଡ଼ିବାକୁ ସକ୍ଷମ ହୋଇଥିଲେ ଏବଂ ୩୯ (୩୧ ବଲ୍‌, ୬ ଚୌକା, ୧ ଛକା) ରନ୍ କରି ଡାରିଲ୍ ମିଚେଲଙ୍କ ବଲରେ ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଶୁବମାନ୍ ଗିଲ୍ ପୁଣିଥରେ ନିରାଶ କରିଥିଲେ ଏବଂ ବ୍ୟକ୍ତିଗତ ୮ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଏହା ପରେ ମୟଙ୍କ ଓ ପନ୍ତ ଜବରଦସ୍ତ ବ୍ୟାଟିଂ କରିଥିଲେ ଏବଂ ତୃତୀୟ ୱିକେଟ୍ ପାଇଁ ୧୦୦ ରନର ପାର୍ଟନରଶିପ୍ କରିଥିଲେ।

ଭାରତର ସ୍କୋର ୧୮୨ ଥିବା ବେଳେ ମୟଙ୍କ ରିଟାୟର୍ଡ ଆଉଟ୍ ହୋଇଥିଲେ। ସ୍କୋର ୨୧୬ ଥିବା ବେଳେ ପନ୍ତଙ୍କୁ ମିଚେଲ୍ ଆଉଟ୍ କରିଥିଲେ। ଋଦ୍ଧିମାନ ସାହା ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ମଧ୍ୟ ଭଲ ବ୍ୟାଟିଂ କରିଥିଲେ ଏବଂ ପଞ୍ଚମ ୱିକେଟ୍ ପାଇଁ ଅପରାଜିତ ୩୬ ରନ୍ ଯୋଡ଼ିଥିଲେ। ସାହା ୩୮ ବଲରେ ୫ ଚୌକା ସହ ୩୦ ଓ ଅଶ୍ୱିନ୍ ୨ ଚୌକା ସହ ୧୬ ରନ୍ କରି ଅପରାଜିତ ଥିଲେ। ନ୍ୟୁଜିଲ୍ୟାଣ୍ଡ୍ ଏକାଦଶ ପକ୍ଷରୁ ମିଚେଲ୍ ସମସ୍ତ ୩ଟି ଯାକ ୱିକେଟ୍ ନେଇଥିଲେ।

ସୂଚନାଯୋଗ୍ୟ, ପ୍ରଥମ ଇନିଂସରେ ଭାରତୀୟ ବ୍ୟାଟିଂକ୍ରମ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲେ। ଭାରତ ମାତ୍ର ୨୬୩ ରନ୍ କରି ଅଲଆଉଟ୍ ହୋଇଥିଲା, ଯେଉଁଥିରେ ହନୁମା ବିହାରୀ ୧୦୧ ଏବଂ ଚେତେଶ୍ୱର ପୂଜାରା ୯୩ ରନର ନିର୍ଣ୍ଣାୟକ ଯୋଗଦାନ କରିଥିଲେ। ତେବେ ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାରେ ସଫଳ ହୋଇନଥିଲେ।

ଯୁବ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଓ ଗିଲ୍ ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ। ବ୍ୟାଟ୍ସମ୍ୟାନମାନେ ନିରାଶ କରିଥିଲେ ହେଁ, ବୋଲରମାଲେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ନ୍ୟୁଜିଲ୍ୟାଣ୍ଡ୍ ଏକାଦଶକୁ ୨୩୫ ରନରେ ଅଲଆଉଟ୍ କରିଦେଇଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ମହମ୍ମଦ ଶାମି ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଯଶପ୍ରୀତ ବୁମ୍ରା, ଉମେଶ ଯାଦବ ଓ ନଭଦୀପ ସାଇନି ୨ଟି ଲେଖାଏ ୱିକେଟ୍ ନେଇଥିଲେ।

Related story