ରାଞ୍ଚି : ଆତଙ୍କବାଦୀ ଆକ୍ରମଣରେ ପୁଲୱାମାରେ ସହିଦ ହୋଇଥିବା ଯବାନମାନଙ୍କୁ ଭାରତୀୟ ଖେଳାଳିମାନେ ଭିନ୍ନ ଢଙ୍ଗରେ ସମ୍ମାନ ଜଣାଇଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତୃତୀୟ ଦିନିକିଆ ମ୍ୟାଚରେ ଘରୋଇ ଟିମର ଖେଳାଳିମାନେ ଆର୍ମି କ୍ୟାପ୍ ପିନ୍ଧି ଖେଳିବାକୁ ଓହ୍ଲାଇଛନ୍ତି। ଏହି କ୍ୟାପ୍ ନିଜେ ମହେନ୍ଦ୍ର ସିଂହ ଧୋନି ଟିମ୍ ଇଣ୍ଡିଆର ଖେଳାଳିମାନଙ୍କୁ ପ୍ରଦାନ କରିଛନ୍ତି । ଭାରତୀୟ ସେନାର ପରାକ୍ରମ, ବଳିଦାନ ଏବଂ ଅଦମ୍ୟ ସାହସକୁ ସମ୍ମାନ ଜଣାଇ ବିସିସିଆଇ ଏହି ପଦକ୍ଷେପ ନେଇଛି। କେବଳ ଏତିକି ନୁହେଁ, ଅଷ୍ଟ୍ରେଲିଆର ‘ପିଙ୍କ୍ ଟେଷ୍ଟ’ ଏବଂ ଦକ୍ଷିଣ ଆଫ୍ରିକାର ‘ପିଙ୍କ୍ ଦିନିକିଆ’ ଭଳି ଟିମ୍ ଇଣ୍ଡିଆ ପ୍ରତିବର୍ଷ ଗୋଟିଏ ମ୍ୟାଚ୍ ଆର୍ମି କ୍ୟାପ୍ ପିନ୍ଧି ଖେଳିବ।
ଟସ୍ ପଡ଼ିବା ସମୟରେ କୋହଲି କହିଥିଲେ, ଟିମ୍ ଏହି ମ୍ୟାଚର ଫି'କୁ ମଧ୍ୟ ଜାତୀୟ ପ୍ରତିରକ୍ଷା ପାଣ୍ଠିକୁ ଦାନ କରିବ। ଏଥିସହ ସେ ପୁଲୱାମା ହମଲାରେ ସହିଦ୍ ହୋଇଥିବା ଯବାନଙ୍କୁ ସ୍ମରଣ କରିଥିଲେ ଏବଂ ସେମାନଙ୍କ ପରିବାରକୁ ସହାୟତା ଦେବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ।
ଏ ନେଇ ବିସିସିଆଇର ଜଣେ ସିନିୟର ଅଧିକାରୀ କହିଛନ୍ତି, "ସେନା ଓ ଯବାନଙ୍କ ପାଇଁ ଧୋନିଙ୍କ ଭଲପାଇବା ସମସ୍ତଙ୍କୁ ଜଣା। ଏଥିପାଇଁ ଧୋନି ନିଜର ହୋମ ଗ୍ରାଉଣ୍ଡ ରାଞ୍ଚିରୁ ଏହି ଅଭିଯାନ ଆରମ୍ଭ କରିଛନ୍ତି। ଧୋନି କ୍ରିକେଟ୍ ଛାଡ଼ିବା ପରେ ଫୁଲ୍ ଟାଇମ୍ ପାଇଁ ଯଦି ସେନାରେ ଭର୍ତ୍ତି ହୁଅନ୍ତି, ତାହେଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।"
ବିସିସିଆଇ ଦ୍ୱାରା ପୋଷ୍ଟ କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଧୋନି ଟିମର ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କୁ ଏହି କ୍ୟାପ୍ ବାଣ୍ଟୁଛନ୍ତି। ଧୋନି ଓ କୋହଲି ଗତ ୬ମାସ ହେବ ସ୍ପୋର୍ଟ୍ସ ବ୍ରାଣ୍ଡ ନାଇକ୍ ସହ ମିଶି ଏହା ଉପରେ କାମ କରୁଥିଲେ।