ଲଗାତର ୪ଟି ମ୍ୟାଚ୍ ହାରିବା ପରେ ବିଜୟର ସ୍ୱାଦ ଚାଖିଲା ଓଡ଼ିଶା

କୋଲକାତା: କାମଦେଲା କ୍ୟାପଟେନ୍ ପରିବର୍ତ୍ତନ। ଲଗାତର ୪ଟି ହାରିବା ପରେ ବିଜୟ ଟ୍ରାକକୁ ଫେରିଛି ଓଡ଼ିଶା ସିନିୟର କ୍ରିକେଟ୍ ଟିମ୍। ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଖେଳାଯାଇଥିବା ଗ୍ରୁପ୍-ବି’ର ଏକ ମ୍ୟାଚରେ ଓଡ଼ିଶା ୪ ୱିକେଟରେ ଆସାମାକୁ ପରାସ୍ତ କରିଛି। ଏହି ମ୍ୟାଚରେ ଆସାମ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୪୮ ରନ୍ କରିଥିଲା। ଜବାବରେ ଓଡ଼ିଶା ୧୯ ଓଭରରେ ୬ ୱିକେଟ୍ ହରାଇ […]

odisha

odisha

Ranjit Kumar Jena
  • Published: Monday, 18 January 2021
  • Updated: 18 January 2021, 07:44 PM IST

କୋଲକାତା: କାମଦେଲା କ୍ୟାପଟେନ୍ ପରିବର୍ତ୍ତନ। ଲଗାତର ୪ଟି ହାରିବା ପରେ ବିଜୟ ଟ୍ରାକକୁ ଫେରିଛି ଓଡ଼ିଶା ସିନିୟର କ୍ରିକେଟ୍ ଟିମ୍। ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଖେଳାଯାଇଥିବା ଗ୍ରୁପ୍-ବି'ର ଏକ ମ୍ୟାଚରେ ଓଡ଼ିଶା ୪ ୱିକେଟରେ ଆସାମାକୁ ପରାସ୍ତ କରିଛି। ଏହି ମ୍ୟାଚରେ ଆସାମ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୪୮ ରନ୍ କରିଥିଲା। ଜବାବରେ ଓଡ଼ିଶା ୧୯ ଓଭରରେ ୬ ୱିକେଟ୍ ହରାଇ ୧୫୪ ରନ୍ କରି ବିଜୟୀ ହୋଇଛି।

ଯାଦବପୁର ୟୁନିଭର୍ସିଟି କ୍ୟାମ୍ପସରେ ଖେଳାଯାଉଥିବା ଏହି ମ୍ୟାଚରେ ଆସାମ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ କ୍ୟାପଟେନ୍ ରିୟାନ୍ ପରାଗ ସର୍ବାଧିକ ୪୨ (୨୬ ବଲ୍, ୩ ଚୌକା, ୨ ଛକା) ରନ୍ କରିଥିବା ବେଳେ ରଜାକୁଦ୍ଦିନ ଅହମ୍ମଦ ୩୨ (୧୯ ବଲ୍, ୨ ଚୌକା, ୨ ଛକା), ସାହିଲ୍ ଜୈନ୍ ୨୪, ପଲ୍ଲଭ କୁମାର ଦାସ ୨୧, ଦେନିଶ ଦାସ୍ ୧୯ ରନ୍ କରି ଆଉଟ୍ ହୋଇଥିଲେ। ଓଡ଼ିଶା ପକ୍ଷରୁ ଗୋବିନ୍ଦ ପୋଦ୍ଦାର ୨ଟି, ପପ୍ପୁ ରୟ ଓ ସର୍ବେଶ୍ୱର ମହାନ୍ତି ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

୧୪୯ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଓଡ଼ିଶା ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ କ୍ୟାପଟେନ୍ ପଦ ଛାଡ଼ିଥିବା ଶୁଭ୍ରାଂଶୁ ସେନାପତିଙ୍କ ଲଢ଼ୁଆ ୬୪ (୪୮ ବଲ୍, ୪ ଚୌକା, ୩ ଛକା) ରନ୍ ଇନିଂସ୍ ବଳରେ ଓଡ଼ିଶା ଗୋଟିଏ ବଲ୍ ବାକି ଥାଇ ମ୍ୟାଚକୁ ଜିତି ନେଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଗୋବିନ୍ଦ ପୋଦ୍ଦାର ୧୬, ଗୌରବ ଚୌଧୁରୀ ୧୩, ରାଜେଶ ୧୨ ଓ ସର୍ବେଶ୍ୱର ୧୦ ରନ୍ କରିଥିଲେ। ଶେଷ ଆଡ଼କୁ ପ୍ରତୀକ ଦାସ ମାତ୍ର ୬ ବଲରେ ୨୦ (୩ଚୌକା ଓ ୧ ଛକା) ଓ ସୂର୍ଯ୍ୟକାନ୍ତ ପ୍ରଧାନ ୫ ବଲରେ ୧ ଚୌକା ଓ ୧ ଛକା ସହ ୧୩ ରନ୍ କରି ଅପରାଜିତ ଥିଲେ।

ସୂଚନାଯୋଗ୍ୟ, ଚଳିତ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ତା'ର ପ୍ରଥମ ଚାରୋଟି ମ୍ୟାଚରେ ପରାସ୍ତ ହୋଇଥିଲା। ଓଡ଼ିଶା ପ୍ରଥମ ମ୍ୟାଚରେ ବେଙ୍ଗଲଠାରୁ ୯ ୱିକେଟରେ, ୨ୟ ମ୍ୟାଚରେ ହାଇଦ୍ରାବାଦ ନିକଟରୁ ୬ ରନ୍‌ରେ, ତୃତୀୟ ମ୍ୟାଚ୍‌ରେ ତାମିଲନାଡୁଠାରୁ ୮ ୱିକେଟରେ ଏବଂ ଚତୁର୍ଥ ମ୍ୟାଚରେ ଝାଡ଼ଖଣ୍ଡ ଠାରୁ ୫୪ ରନରେ ପରାସ୍ତ ହୋଇଥିଲେ। ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ଶୁଭ୍ରାଂଶୁ ସେନାପତି କ୍ୟାପଟେନ୍ ପଦ ଛାଡ଼ିଥିଲେ। ତାଙ୍କ ସ୍ଥାନରେ ବିପ୍ଳବ ସାମନ୍ତରାୟ କ୍ୟାପଟେନ୍ ଭାର ସମ୍ଭାଳିଥିଲେ। କିନ୍ତୁ ତାଙ୍କ ନେତୃତ୍ୱରେ ମଧ୍ୟ ଓଡ଼ିଶାର ଭାଗ୍ୟ ଫିଟିନଥିଲା। ଯାହା ପରେ ଆଜି ମ୍ୟାଚରେ ଓଡ଼ିଶା ପୁଣି କ୍ୟାପଟେନ୍ ପରିବର୍ତ୍ତନ କରିଥିଲା। ବିପ୍ଳବ ସାମନ୍ତରାୟଙ୍କ ସ୍ଥାନରେ ରାଜେଶ ଧୂପର ଟିମର ନେତୃତ୍ୱ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos