ରୋମାଞ୍ଚକର ସ୍ଥିତିରେ ଓଡ଼ିଶା-ହରିୟାଣା ରଣଜୀ ମ୍ୟାଚ୍‌

ରୋହତକ୍‌: ଓଡ଼ିଶା ଓ ହରିୟାଣା ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫିର ଗ୍ରୁପ୍‌-ସି’ର ମ୍ୟାଚ୍ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ହରିୟାଣା ଦ୍ୱାରା ଧାର୍ଯ୍ୟ ୧୭୯ ରନର ଟାର୍ଗେଟକୁ ପିଛା କରୁଥିବା ଓଡ଼ିଶା ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୭ ୱିକେଟ୍ ହରାଇ ୧୪୭ ରନ୍ କରିଛି। ଫଳରେ ମଙ୍ଗଳବାର ଚତୁର୍ଥ ତଥା ଅନ୍ତିମ ଦିବସରେ ଉଭୟ ଦଳ ପାଇଁ ବିଜୟର ସୁଯୋଗ ରହିଛି। ଗୋଟିଏ ପଟେ ଓଡ଼ିଶାକୁ ବିଜୟ ପାଇଁ ୩୨ ରନ୍ ଆବଶ୍ୟକ ହେଉଥିବା ବେଳେ […]

ajit

Ranjit Kumar Jena
  • Published: Monday, 13 January 2020
  • , Updated: 13 January 2020, 07:26 PM IST

ରୋହତକ୍‌: ଓଡ଼ିଶା ଓ ହରିୟାଣା ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫିର ଗ୍ରୁପ୍‌-ସି'ର ମ୍ୟାଚ୍ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ହରିୟାଣା ଦ୍ୱାରା ଧାର୍ଯ୍ୟ ୧୭୯ ରନର ଟାର୍ଗେଟକୁ ପିଛା କରୁଥିବା ଓଡ଼ିଶା ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୭ ୱିକେଟ୍ ହରାଇ ୧୪୭ ରନ୍ କରିଛି। ଫଳରେ ମଙ୍ଗଳବାର ଚତୁର୍ଥ ତଥା ଅନ୍ତିମ ଦିବସରେ ଉଭୟ ଦଳ ପାଇଁ ବିଜୟର ସୁଯୋଗ ରହିଛି। ଗୋଟିଏ ପଟେ ଓଡ଼ିଶାକୁ ବିଜୟ ପାଇଁ ୩୨ ରନ୍ ଆବଶ୍ୟକ ହେଉଥିବା ବେଳେ ହରିୟାଣା ୩ ୱିକେଟ୍ ନେଇ ମ୍ୟାଚ୍ ହାତେଇବାକୁ ଲକ୍ଷ୍ୟ ରଖିଛି। ଦିବସର ଷ୍ଟମ୍ପ ଅପସାରଣ ବେଳକୁ ଓଡ଼ିଶାର ରାଜେଶ ଧୂପର ୨୯ ଓ ରାଜେଶ ମହାନ୍ତି ୪ ରନ୍ କରି ଅପରାଜିତ ରହିଛନ୍ତି।

୧୭୯ ରନର ଲକ୍ଷ୍ୟର ପିଛା କରୁଥିବା ଓଡ଼ିଶାକୁ ଭଲ ଆରମ୍ଭ ଦେଇଥିଲେ ଦୁଇ ଓପ୍ନର ସୁଜିତ୍ ଲେଙ୍କା (୨୮) ଓ ଶାନ୍ତନୁ ମିଶ୍ର (୧୯) । ଦୁହେଁ ପ୍ରଥମ ୱିକେଟ୍ ପାଇଁ ୪୧ ରନ୍ ଯୋଡ଼ିଥିଲେ। ତେବେ ଏହି ଯୋଡ଼ି ଭାଙ୍ଗିବା ପରେ ଓଡ଼ିଶା ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ମଧ୍ୟକ୍ରମରେ ଦେବାଶିଷ ସାମନ୍ତରାୟ (୪), କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି (୬) ଓ ବିପ୍ଳବ ସାମନ୍ତରାୟ (୭) ଦୁଇଅଙ୍କ ଛୁଇଁପାରିନଥିଲେ।

ଓଡ଼ିଶା ୭୮ ରନରେ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ବେଳେ ଅଭିଜ୍ଞ ଗୋବିନ୍ଦ ପୋଦ୍ଦାର ଓ ରାଜେଶ ଧୂପର ସ୍ଥିତି ସୁଧାରିଥିଲେ। ପୋଦ୍ଦାର ଓ ଧୂପର ଷଷ୍ଠ ୱିକେଟ୍ ପାଇଁ ୪୬ ରନ୍ ଯୋଡ଼ିଥିଲେ। ପୋଦ୍ଦାର ୩୦ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ସୂର୍ଯ୍ୟକାନ୍ତ ପ୍ରଧାନ (୧୨) ଛକା ଓ ଚୌକା ସହ ଧୂଆଁଧାର ଆରମ୍ଭ କରିଥିଲେ ହେଁ ବେଶୀ ସମୟ କ୍ରିଜରେ ତିଷ୍ଠିପାରିନଥିଲେ। ଧୂପର ଓ ରାଜେଶ ଧୈର୍ଯ୍ୟର ସହ ବ୍ୟାଟିଂ ଜାରି ରଖିଥିବା ବେଳେ ଖରାପ ଆଲୋକ ଯୋଗୁ ୨୫ ଓଭର ପୂର୍ବରୁ ଦିବସର ଖେଳ ବନ୍ଦ କରିଦିଆଯାଇଥିଲା। ହରିୟାଣା ପକ୍ଷରୁ ଅଜିତ୍ ଚହଲ୍ ୬୫ ରନ୍ ଦେଇ ୬ଟି ୱିକେଟ୍ ନେଇଥିଲେ।

ସୋମବାର ୨୧୮/୫ରୁ ଖେଳ ଆରମ୍ଭ କରିଥିବା ହରିୟାଣା ଆଉ ୩୦ ରନରେ ତା'ର ଶେଷ ୫ ୱିକେଟ୍ ହରାଇଥିଲା ଏବଂ ଦ୍ୱିତୀୟ ଇନିଂସରେ ୨୪୮ ରନ୍ କରି ଅଲଆଉଟ୍ ହୋଇଥିଲା। ପୂର୍ବଦିନ ଅପରାଜିତ ଥିବା ପ୍ରମୋଦ ଚାଣ୍ଡିଲା ଓ କ୍ୟାପଟେନ୍ ହର୍ଷଲ୍ ପଟେଲ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ପ୍ରମୋଦ ୩୧ ଓ ହର୍ଷଲ ୩୫ ରନ୍ କରି ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଶିକାର ହୋଇଥିଲେ। ଶେଷକ୍ରମରେ ଅଜିତ୍ ଚହଲ୍ (୧୦), ଟିନୁ କୁଣ୍ଡୁ (୨) ଓ ଆଶିଷ ହୁଡା (୦) ନିରାଶ କରିଥିଲେ। ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ୮୬ ରନ୍ ଦେଇ ସର୍ବାଧିକ ୫ଟି ସଫଳତା ପାଇଥିବା ବେଳେ ରାଜେଶ ୨ଟି ଓ ପପୁ ରୟ ଗୋଟିଏ ୱିକେଟ୍ ନେଇଥିଲେ।

Related story