ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲରେ ଓଡ଼ିଶା, ଶୁଭ୍ରାଂଶୁଙ୍କ ଦମଦାର ଶତକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଣଜୀ ଟ୍ରଫିରେ ଓଡ଼ିଶା ନିଜର ଜଲୱା ଦେଖାଇଛି। କଟକର ବାରବାଟୀ ଷ୍ଟାଡିୟମରେ ଝାରଖଣ୍ଡ ବିପକ୍ଷ ମ୍ୟାଚ୍‌ ଡ୍ର ରଖି ଓଡ଼ିଶା କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ଏବେ କ୍ୱାର୍ଟର ଫାଇନାଲରେ ଓଡ଼ିଶାର ମୁକାବିଲା ପଡ଼ୋଶୀ ପଶ୍ଚିମବଙ୍ଗ ସହ ହେବ। ଏଲଇଟି ଗ୍ରୁପ୍‌-ସିରେ ସ୍ଥାନ ପାଇଥିବା ଓଡ଼ିଶା ନିଜର ଶେଷ ତଥା ୯ମ ଲିଗ୍‌ ମ୍ୟାଚ୍‌ରେ ଝାରଖଣ୍ଡକୁ ଭେଟିଥିଲା। ଏହି ମ୍ୟାଚ୍‌ରେ ବିଜୟ କିମ୍ବା ପ୍ରଥମ ଇନିଂସ୍‌ରେ ଅଗ୍ରଣୀ କଲେ ଯାଇ ଓଡ଼ିଶା କ୍ୱାର୍ଟର ଫାଇନାଲକୁ […]

r

Hemant Lenka
  • Published: Saturday, 15 February 2020
  • , Updated: 15 February 2020, 04:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଣଜୀ ଟ୍ରଫିରେ ଓଡ଼ିଶା ନିଜର ଜଲୱା ଦେଖାଇଛି। କଟକର ବାରବାଟୀ ଷ୍ଟାଡିୟମରେ ଝାରଖଣ୍ଡ ବିପକ୍ଷ ମ୍ୟାଚ୍‌ ଡ୍ର ରଖି ଓଡ଼ିଶା କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ଏବେ କ୍ୱାର୍ଟର ଫାଇନାଲରେ ଓଡ଼ିଶାର ମୁକାବିଲା ପଡ଼ୋଶୀ ପଶ୍ଚିମବଙ୍ଗ ସହ ହେବ।

ଏଲଇଟି ଗ୍ରୁପ୍‌-ସିରେ ସ୍ଥାନ ପାଇଥିବା ଓଡ଼ିଶା ନିଜର ଶେଷ ତଥା ୯ମ ଲିଗ୍‌ ମ୍ୟାଚ୍‌ରେ ଝାରଖଣ୍ଡକୁ ଭେଟିଥିଲା। ଏହି ମ୍ୟାଚ୍‌ରେ ବିଜୟ କିମ୍ବା ପ୍ରଥମ ଇନିଂସ୍‌ରେ ଅଗ୍ରଣୀ କଲେ ଯାଇ ଓଡ଼ିଶା କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଥାଆନ୍ତି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ଖେଳାଳିମାନେ ବାରବାଟୀ ଷ୍ଟାଡିୟମ ମଇଦାନକୁ ଓହ୍ଲାଇଥିଲେ।

ପ୍ରଥମ ଇନିଂସ୍‌ରେ ଦେବାଶିଷ ସାମନ୍ତରାୟଙ୍କ ୧୫୬ ରନ୍‌ ବଲରେ ଓଡ଼ିଶା ୪୩୬ ରନ୍‌ କରିଥିଲା। ଝାରଖଣ୍ଡ ଲଢ଼େଇ କରିଥିଲେ ହେଁ ଓଡ଼ିଶାର ଘାତକ ବୋଲିଂ ଆଗରେ କେବଳ ୩୫୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ଦେବବ୍ରତ ପ୍ରଧାନ ୨ଟି ଓ ଗୋବିନ୍ଦ ପୋଦ୍ଦାର ଗୋଟିଏ ୱିକେଟ ନେଇଛନ୍ତି।

ଝାରଖଣ୍ଡ ୩୫୬ ରନ୍‌ରେ ଅଲଆଉଟ ହେବାରୁ ଓଡ଼ିଶା ପ୍ରଥମ ଇନିଂସ୍‌ରେ ୮୦ ରନ୍‌ର ଲିଡ୍‌ ହାସଲ କରିଥିଲା। ଦ୍ୱିତୀୟ ଇନିଂସ୍‌ରେ ଓଡ଼ିଶା ବିସ୍ଫୋରକ ଆରମ୍ଭ କରିଥିଲା। ଶାନ୍ତନୁ ମିଶ୍ର(୧୪) ଫେଲ ମାରିଥିଲେ ହେଁ ଦେବାଶିଷ ସାମନ୍ତରାୟ ଓ ଅଧିନାୟକ ଶୁଭ୍ରାଂଶୁ ସେନାପତି ଦମଦାର ବ୍ୟାଟିଂ କରିଥିଲେ।

ରଣଜୀ ଟ୍ରଫିରେ ଏଯାଏ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନଥିବା ଶୁଭ୍ରାଂଶୁ ଝାରଖଣ୍ଡ ବିପକ୍ଷରେ ନିଜର ଜଲୱା ଦେଖାଇଥିଲେ। ସେ ଝାରଖଣ୍ଡ ବୋଲରଙ୍କୁ ଆଟାକ କରି ନିଜର ଶତକ ହାସଲ କରିଥିଲା। ୧୫୭ ବଲରେ ୧୦୦ ରନ୍‌ର ଅପରାଜିତ ଇନିଂସ ଖେଳିଥିବା ଶୁଭ୍ରାଂଶୁ ୧୪ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ସେହିପରି ତାଙ୍କ ସହ ଅପରାଜିତ ଦେବାଶିଷ ସାମନ୍ତରାୟ ୧୧୮ ବଲରେ ୬୪ ରନ କରିଥିଲେ। ଏହି ଇନିଂସ୍‌ରେ ଦେବାଶିଷ ୧୧ଟି ଚୌକା ମାରିଛନ୍ତି।

ଓଡ଼ିଶା ଗୋଟିଏ ୱିକେଟ ହରାଇ ୧୮୭ ରନ୍‌ କରିବା ପରେ ଇନିଂସ ଘୋଷଣା କରିଥିଲା। ଏହାପରେ ଅମ୍ପାୟାର ମ୍ୟାଚ୍‌କୁ ଡ୍ର’ ଘୋଷଣା କରିଥିଲେ। ପ୍ରଥମ ଇନିଂସ୍‌ ଅଗ୍ରଣୀ ଭିତ୍ତିରେ ଓଡ଼ିଶାକୁ ୩ ପଏଣ୍ଟ ମିଳିଥିଲା। ଫଳରେ ଓଡ଼ିଶା ମୋଟ ୩୮ ପଏଣ୍ଟ ସହ ତା’ର ଗ୍ରୁପ ଅଭିଯାନ ଶେଷ କରିବା ସହ ପୁଲର ଦ୍ୱିତୀୟ ସ୍ଥାନରେ ରହିଛି। ତେଣୁ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମ ଇନିଂସ୍‌ରେ ୧୫୬ ରନ୍‌ର ଦମଦାର ଇନିଂସ୍‌ ଖେଳିଥିବା ଦେବାଶିଷ ସାମନ୍ତରାୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଛନ୍ତି।

ଚଳିତ ରଣଜୀ ସିଜିନ୍‌ରେ ଓଡ଼ିଶା ୯ଟି ମ୍ୟାଚ୍‌ରୁ ୫ଟିରେ ଜିତିଥିବା ବେଳେ ୨ଟିରେ ହାରିଛି। ସେହିପରି ୨ଟି ମ୍ୟାଚ୍‌ ଡ୍ର ରହିଥିଲା। ଓଡ଼ିଶାର ଛତିଶଗଡ଼, ସର୍ଭିସେସ, ଉତ୍ତରାଖଣ୍ଡ, ହରିଆଣା, ଓ ଆସାମକୁ ହରାଇଥିବା ବେଳେ ତ୍ରିପୁରା ଓ ଝାରଖଣ୍ଡ ସହ ମ୍ୟାଚ୍‌ ଡ୍ର ରଖିଥିଲା। କେବଳ ଓଡ଼ିଶା ଟିମ୍‌ ଜମ୍ମୁ-କଶ୍ମୀର ଓ ମହାରାଷ୍ଟ୍ରଠାରୁ ହାରିଛି।

ଓଡ଼ିଶା ସହ ଏହି ଗ୍ରୁପରେ ଥିବା ଜମ୍ମୁ-କଶ୍ମୀର ୯ଟି ମ୍ୟାଚ୍‌ରୁ ୬ଟି ବିଜୟ ସହ ମୋଟ ୩୯ ପଏଣ୍ଟ ପାଇଛି। ଏହି ଗ୍ରୁପ୍‌ରୁ ଓଡ଼ିଶା ଓ ଜମ୍ମୁ-କଶ୍ମୀର କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଜମ୍ମୁ-କଶ୍ମୀର ଆଜି ହରିଆଣା ଠାରୁ ୨ ୱିକେଟରେ ପରାସ୍ତ ହୋଇଥିଲେ ହେଁ ଦଳ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ହରିଆଣା ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ୩୬ ପଏଣ୍ଟ ସହ ରହିଛି।

ସଂକ୍ଷିପ୍ତ ସ୍କୋର: ଓଡ଼ିଶା ୪୩୬, ୧୮୭-୧(ପାଳି ଘୋଷଣା)
ଝାରଖଣ୍ଡ: ୩୫୬ରେ ଅଲଆଉଟ

Related story