ଅପେକ୍ଷାର ଅନ୍ତ: ଅତିରକ୍ତ ସମୟରେ ଡେନମାର୍କକୁ ହରାଇ ଫାଇନାଲରେ ଇଂଲଣ୍ଡ

ଲଣ୍ଡନ: ଦୀର୍ଘ ୫୫ ବର୍ଷର ଧରି ଇଂଲଣ୍ଡ କରିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ୫୫ ବର୍ଷ ପରେ ଇଲିଂଶ ଫୁଟବଲ ଟିମ୍‌ କୌଣସି ବଡ଼ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିବାର ଯୋଗ୍ୟତା ଅର୍ଜନ କରିଛନ୍ତି। ଚଳିତ ୟୁରୋକପର ଦ୍ୱିତୀୟ ସେମି ଫାଇନାଲରେ ଇଂଲଣ୍ଡ ପ୍ରତିପକ୍ଷ ଡେନମାର୍କକୁ ହରାଇ ଫାଇନାଲ ଟିକେଟ ହାସଲ କରିଛି। ବୁଧବାର ବିଳମ୍ବିତ ରାତିରେ ଖେଳା ଯାଇଥିବା ମ୍ୟାଚ୍‌ର ଫଳାଫଳ ଅତିରିକ୍ତ ସମୟରେ ଆସିଥିଲା। ମ୍ୟାଚ୍‌ର ୧୦୪ତମ ମିନିଟ୍‌ରେ ଇଂଲଣ୍ଡର ଅଧିନାୟକ ହ୍ୟାରୀ କେନ୍‌ […]

England

Hemant Lenka
  • Published: Thursday, 08 July 2021
  • , Updated: 08 July 2021, 08:09 AM IST

ଲଣ୍ଡନ: ଦୀର୍ଘ ୫୫ ବର୍ଷର ଧରି ଇଂଲଣ୍ଡ କରିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ୫୫ ବର୍ଷ ପରେ ଇଲିଂଶ ଫୁଟବଲ ଟିମ୍‌ କୌଣସି ବଡ଼ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିବାର ଯୋଗ୍ୟତା ଅର୍ଜନ କରିଛନ୍ତି। ଚଳିତ ୟୁରୋକପର ଦ୍ୱିତୀୟ ସେମି ଫାଇନାଲରେ ଇଂଲଣ୍ଡ ପ୍ରତିପକ୍ଷ ଡେନମାର୍କକୁ ହରାଇ ଫାଇନାଲ ଟିକେଟ ହାସଲ କରିଛି।

ବୁଧବାର ବିଳମ୍ବିତ ରାତିରେ ଖେଳା ଯାଇଥିବା ମ୍ୟାଚ୍‌ର ଫଳାଫଳ ଅତିରିକ୍ତ ସମୟରେ ଆସିଥିଲା। ମ୍ୟାଚ୍‌ର ୧୦୪ତମ ମିନିଟ୍‌ରେ ଇଂଲଣ୍ଡର ଅଧିନାୟକ ହ୍ୟାରୀ କେନ୍‌ ଚମତ୍କାର ଗୋଲ ସ୍କୋର କରି ଦଳକୁ ୨-୧ରେ ବିଜୟ ଭେଟି ଦେଇଛନ୍ତି। ଏହି ମ୍ୟାଚ୍‌କୁ ଦେଖିବା ପାଇଁ ଲଣ୍ଡନର ୱେମ୍ବଲେ ଷ୍ଟାଡିୟମରେ ୬୫ ହଜାର ଦର୍ଶକ ଉପସ୍ଥିତ ରହିଥିଲେ। ଘରୋଇ ଦର୍ଶକଙ୍କ ଆଗରେ ଇଂଲଣ୍ଡର ଏହି ବହୁ ପ୍ରତିକ୍ଷୀତ ବିଜୟ ପୂରା ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା।

ଚଳିତ ୟୁରୋ କପ୍‌ର ପ୍ରଥମ ମ୍ୟାଚ୍‌ରେ ଡେନମାର୍କ ଷ୍ଟାର ଖେଳାଳି କ୍ରିଷ୍ଟାନ ଏରିକସନଙ୍କୁ ହରାଇଥିଲା। ଫିନଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ଅଧାରୁ ଏରିକସନ ପଡ଼ିଆ ମଝିରେ ହୃଦଘାତର ଶିକାର ହୋଇଥିଲେ। ସେବେଠାରୁ ସେ ହସ୍ପିଟାଲରେ ଥିବା ବେଳେ ଦଳ କିନ୍ତୁ ଗୋଟିଏ ପରେ ଗୋଟିଏ ମ୍ୟାଚ୍ ଜିତି ଚାଲିଥିଲା। ପୂରା ଟୁର୍ଣ୍ଣାମେଣ୍ଟରେ ଡେନମାର୍କ ସମସ୍ତଙ୍କୁ ପ୍ରଭାବିତ କରି ସେମି ଫାଇନାଲ ଟିକେଟ ହାସଲ କରିଥିଲା।

ଇଂଲଣ୍ଡ ବିପକ୍ଷ ମ୍ୟାଚରେ ମଧ୍ୟ ଦଳ ଦମଦାର ଆରମ୍ଭ କରିଥିଲା। ମ୍ୟାଚ୍‌ର ୩୦ତମ ମିନିଟ୍‌ରେ ମିକ୍କେଲ ଡାମସଗାର୍ଡ ଚମତ୍କାର ଗୋଲ ସ୍କୋର କରି ଦଳକୁ ୧-୦ରେ ଆଗୁଆ କରିଦେଇଥିଲେ। ଡେନମାର୍କର ଏହି ଗୋଲ ପରେ ଇଂଲିଶ ଖେଳାଳିମାନେ ବ୍ୟାକଫୁଟକୁ ଚାଲି ଯାଇଥିଲେ।

କିନ୍ତୁ ମ୍ୟାଚ୍‌ର ୩୯ତମ ମିନିଟ୍‌ରେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲେ। ଡେନମାର୍କର ସିମୋନ କେଜାରେ ଭୁଲ ବଶତଃ ନିଜ ଗୋଲ ପୋଷ୍ଟକୁ ବଲ ମାରି ଦେଇଥିଲେ। ଏହା ଗୋଲରେ ପରିଣତ ହେବା ପରେ ସ୍ଥିତି ୧-୧ରେ ବରାବର ହୋଇଯାଇଥିଲା। ଦୁଇଦଳ ଏହାରେ ସାମନ୍ୟ ରକ୍ଷାଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ।

୯୦ ମିନିଟ୍‌ ସୁଦ୍ଧା ସ୍ଥିତି ପୂର୍ବଭଳି ୧-୧ରେ ରହିବାରୁ ମ୍ୟାଚ୍‌ ଅତିରିକ୍ତ ସମୟକୁ ଯାଇଥିଲା। ଅତିରକ୍ତ ୩୦ ମିନିଟ୍‌ ଖେଳରେ ଇଂଲଣ୍ଡ ତା’ର ରଣନୀତି ସଂପୂର୍ଣ୍ଣ ବଦଳାଇ ଦେଇଥିଲା। ଆଟାକିଂ ଖେଳ ପ୍ରଦର୍ଶନ କରିବାରୁ ଦଳକୁ ଏହାର ଫାଇଦା ମଧ୍ୟ ମିଳିଥିଲା। ମ୍ୟାଚ୍‌ର ୧୦୪ତମ ମିନିଟ୍‌ରେ ଅଧିନାୟକ କେନ୍‌ ଗୋଲ ସ୍କୋର କରି ଦଳକୁ ୨-୧ରେ ଆଗୁଆ କରିଦେଇଥିଲେ।

ଏହାପରେ ଡେନମାର୍କ ଏହାକୁ ପରିଶୋଧ କରିବାକୁ ଚେଷ୍ଟା କରିଥିଲେ ହେଁ ଏଥିରେ ସଫଳ ହୋଇ ନଥିଲା। ଶେଷରେ ଇଂଲଣ୍ଡ ମ୍ୟାଚ୍‌କୁ ୨-୧ରେ ଜିତି ନେଇଥିଲା।

ଏବେ ୧୨ ତାରିଖ ରାତି ୧୨.୩୦ରେ ଇଂଲଣ୍ଡ ୟୁରୋ କପ ଫାଇନାଲ ମ୍ୟାଚ୍‌ରେ ଇଟାଲୀକୁ ଭେଟିବ। ପ୍ରଥମ ସେମିରେ ଇଟାଲୀରେ ପ୍ରତିପକ୍ଷ ସ୍ପେନକୁ ୪-୨(ଶୁଟ ଆଉଟ)ରେ ହରାଇଥିଲା।

Related story