ଦୁବାଇ: ପାକିସ୍ତାନ ବିଜୟ ସହିତ ତା’ର ଏସିଆ କପ୍ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ମ୍ୟାଚ୍ରେ ଦଳ ହଂକଂକୁ ୮ ୱିକେଟ୍ରେ ପରାସ୍ତ କରିଛି।
ଦୁବାଇ ଇଣ୍ଟରନ୍ୟାସ୍ନାଲ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଗତକାଲି ଖେଳା ଯାଇଥିବା ଏହି ମ୍ୟାଚ୍ରେ ହଂକଂ ୩୭.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୬ ରନ୍ କରିଥିବା ବେଳେ ପାକିସ୍ତାନ ୨୩.୪ ଓଭରରେ ୨ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।
ହଂକଂ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ପାକିସ୍ତାନର ବୋଲିଂ ଆଗରେ ଦଳର ବ୍ୟାଟିଂ ଲାଇନ୍ ଧ୍ୱସ୍ତ ହୋଇଯାଇଥିଲା। ଦଳ ୪୪ ରନ୍ରେ ୫ଟି ୱିକେଟ୍ ହରାଇଥିଲା। ଲାଗୁଥିଲା ୧୦୦ ରନ୍ ବି କରିପାରିବେନି।
ହଂକଂ ଦଳର ଅଧିନାୟକ ତଥା ଓଡ଼ିଆ ପୁଅ ଅଂଶୁମାନ ରଥ ମାତ୍ର ୧୯ ରନ୍ କରି ଆଉଟ୍ ହୋଇଯାଇଥିଲେ।
ତେବେ ଷଷ୍ଠ ୱିକେଟ୍ରେ କିଞ୍ଚିତ୍ ଶାହ ଓ ଅଜିଜ୍ ଖାନ୍ଙ୍କ ୫୩ ରନ୍ର ଭାଗିଦାରୀ ଦଳର ସମ୍ମାନ ରକ୍ଷା କରି ଦେଲା। କିଞ୍ଚିତ୍ ୨୬ ରନ୍ କରି ଆଉଟ୍ ହୋଇଥିଲେ। ଅଜିଜ୍ ୨୭ ରନ୍ କରିଥିଲେ।
[caption id="attachment_276836" align="aligncenter" width="730"]
ପାକିସ୍ତାନ ପକ୍ଷରୁ ଉସ୍ମାନ୍ ଖାନ୍ ୧୯ ରନ୍ ଦେଇ ୩ଟି ୱିକେଟ୍ ହାସଲ କରିଥିଲେ। ହାସନ୍ ଅଲି ୧୯ ରନ୍ ଦେଇ ୨ଟି ୱିକେଟ୍ ନେଇଥିବା ବେଳେ ଶାଦବ୍ ଖାନ୍ ୩୧ ରନ୍ ଦେଇ ୨ଟି ୱିକେଟ୍ ହାସଲ କରିଥିଲେ। ଫହୀମ୍ ଅଶ୍ରଫ୍ ୧୦ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ।
୧୧୭ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ୪୧ ରନ୍ରେ ପ୍ରଥମ ୱିକେଟ୍ ହରାଇଥିଲା। ଫଖର ଜମନ୍ ୨୪ ରନ୍ କରି ଏହ୍ସାନ୍ ଖାନ୍ଙ୍କ ବଲ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେହିପରି ବାବର ଆଜମ୍ ୩୩ ରନ୍ କରି ଏହ୍ସାନ୍ ଖାନ୍ଙ୍କ ବଲ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ। ପାକିସ୍ତାନ ୯୩ ରନ୍ରେ ତା’ର ଦ୍ୱିତୀୟ ୱିକେଟ୍ ହରାଇଥିଲା।
ଇମାମ୍ ଉଲ୍ ହକ୍ ଓ ଶୋଏବ ମଲିକ ଅପରାଜିତ ରହି ଦଳକୁ ୨୩.୪ ଓଭରରେ ବିଜୟୀ କରାଇ ଦେଇଥିଲେ। ଇମାମ୍ ଉଲ୍ ହକ୍ ୫୦ ରନ୍ କରିଥିଲେ।