ଗେଲ୍‌ଙ୍କ ଆଉଟକୁ ନେଇ ବିବାଦ

ନଟ୍ଟିଂହାମ୍: ଆଇସିସି ବିଶ୍ୱକପର ଗୁରୁବାର ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ୧୫ ରନରେ ଅଷ୍ଟ୍ରେଲିଆ ନିକଟରୁ ହାରିଯାଇଥିଲା। ତେବେ ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜର ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କ ଆଉଟକୁ ନେଇ ବିବାଦ ସୃଷ୍ଟି ହୋଇଛି। ଗେଲ୍ ସେହି ବଲରେ ଆଉଟ୍ ହୋଇଥିଲେ, ଯେଉଁ ବଲରେ ତାଙ୍କୁ ଫ୍ରି-ହିଟ୍ ମିଳିବାର ଥିଲା। କିନ୍ତୁ ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତି ଯୋଗୁ ଗେଲ୍ ନଟ ଆଉଟ୍ ହେବାରୁ ବର୍ତ୍ତିଯାଇଥିଲେ। ସୂଚନାଯୋଗ୍ୟ, ମ୍ୟାଚର […]

gayle

Hemant Lenka
  • Published: Friday, 07 June 2019
  • , Updated: 07 June 2019, 04:54 PM IST

ନଟ୍ଟିଂହାମ୍: ଆଇସିସି ବିଶ୍ୱକପର ଗୁରୁବାର ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ୧୫ ରନରେ ଅଷ୍ଟ୍ରେଲିଆ ନିକଟରୁ ହାରିଯାଇଥିଲା। ତେବେ ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜର ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କ ଆଉଟକୁ ନେଇ ବିବାଦ ସୃଷ୍ଟି ହୋଇଛି। ଗେଲ୍ ସେହି ବଲରେ ଆଉଟ୍ ହୋଇଥିଲେ, ଯେଉଁ ବଲରେ ତାଙ୍କୁ ଫ୍ରି-ହିଟ୍ ମିଳିବାର ଥିଲା। କିନ୍ତୁ ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତି ଯୋଗୁ ଗେଲ୍ ନଟ ଆଉଟ୍ ହେବାରୁ ବର୍ତ୍ତିଯାଇଥିଲେ।

ସୂଚନାଯୋଗ୍ୟ, ମ୍ୟାଚର ତୃତୀୟ ଓଭରରେ ମିଚେଲ୍ ଷ୍ଟାର୍କ ବୋଲିଂ କରୁଥିଲେ। ଏହି ଓଭରର ପଞ୍ଚମ ବଲରେ ସେ ଗେଲଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ଗେଲ୍ ରିଭ୍ୟୁ ନେଇଥିଲେ ଏବଂ ରିପ୍ଲେରେ ଅମ୍ପାୟାରଙ୍କ ନିଷ୍ପତ୍ତି ଭୁଲ୍ ପ୍ରମାଣିତ ହୋଇଥିଲା। ପରବର୍ତ୍ତୀ ବଲରେ ପୁଣିଥରେ ଗେଲ୍ ଏଲବିଡବ୍ଲ୍ୟୁ ହୋଇଥିଲେ। ଗେଲ୍ ପୁଣି ରିଭ୍ୟୁ ନେଇଥିଲେ ଏବଂ ଅମ୍ପାୟାର ପୁନର୍ବାର ଭୁଲ୍ ସାବ୍ୟସ୍ତ ହୋଇଥିଲେ। ଗେଲ୍ କ୍ରମାଗତ ଦ୍ୱିତୀୟଥର ପାଇଁ ବଞ୍ଚିଯାଇଥିଲେ।

ପରବର୍ତ୍ତୀ ଓଭରରେ ପୁଣିଥରେ ଷ୍ଟାର୍କ ଓ ଗେଲ୍ ସାମ୍ନାସାମ୍ନି ଥିଲେ। ଏହି ଓଭରର ପଞ୍ଚମ ବଲରେ ଷ୍ଟାର୍କ ଗେଲଙ୍କ ବିରୋଧରେ ଏଲବିଡବ୍ଲ୍ୟୁ ଅପିଲ କରିଥିଲେ ଏବଂ ଅମ୍ପାୟାର ଏହାକୁ ଆଉଟ୍ ଘୋଷିତ କରିଥିଲେ। ଗେଲ୍ ପୁଣି ରିଭ୍ୟୁ ନେଇଥିଲେ, କିନ୍ତୁ ଏଥର ସେ ଭୁଲ ପ୍ରମାଣିତ ହୋଇଥିଲେ। ଫଳସ୍ୱରୂପ ଗେଲ୍ ପ୍ୟାଭିଲିୟନ୍ ଫେରିଥିଲେ। ଏହି ସମୟରେ ଏକ ନୂଆ ବିବାଦ ସାମ୍ନାକୁ ଆସିଥିଲା।

ଏହି ଓଭରର ଚତୁର୍ଥ ବଲ୍ ଯେତେବେଳେ ରିପ୍ଲେରେ ଦେଖାଗଲା, ଜଣାପଡ଼ିଲା ଯେ ଷ୍ଟାର୍କଙ୍କ ପାଦ କ୍ରିଜରୁ ବହୁ ଆଗରେ ଥିଲା। କିନ୍ତୁ ଅମ୍ପାୟାରଙ୍କ ନଜରରେ ଏହା ପଡ଼ିନଥିଲା। ଯଦି ଅମ୍ପାୟାର ସାମାନ୍ୟ ସର୍ତକତା ଅବଲମ୍ବନ କରିଥାନ୍ତେ, ତାହେଲେ ଏହା ନୋ' ବଲ୍ ହୋଇଥାନ୍ତା।

ଯଦି ଅମ୍ପାୟାର ଏହି ବଲକୁ ନୋ' ବଲ୍ ଦେଇଥାନ୍ତେ, ତାହେଲେ ପରବର୍ତ୍ତୀ ବଲ୍ ଫ୍ରି-ହିଟ୍ ହୋଇଥାନ୍ତା ଏବଂ ଗେଲ୍ ଆଉଟ୍ ହୋଇନଥାନ୍ତେ। ତେଣୁ ଏଠି ପ୍ରଶ୍ନ ଉଠୁଛି ଅମ୍ପାୟାରଙ୍କ ଦ୍ୱାରା ଏତେ ବଡ଼ ଭୁଲ୍ କେମିତି ହୋଇପାରୁଛି। ଫିଲ୍ଡ ଅମ୍ପାୟାରଙ୍କ ଏଭଳି ଭୁଲ୍ ନିଷ୍ପତ୍ତିକୁ କମେଣ୍ଟ୍ରି ବକ୍ସରେ ସମାଲୋଚନା କରାଯାଇଥିଲା। ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର, ୱେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟର ମାଇକେଲ୍ ହୋଲଡିଂ ଅମ୍ପାୟାରଙ୍କୁ କଡ଼ା ଶବ୍ଦରେ ସମାଲୋଚନା କରିଛନ୍ତି।

Related story