ନୂଆଦିଲ୍ଲୀ: ଚଳିତ ରଣଜୀ ଟ୍ରଫିର ସେମିଫାଇନାଲ୍ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। କର୍ଣ୍ଣାଟକା, ସୌରାଷ୍ଟ୍ର, ବେଙ୍ଗଲ ଓ ଗୁଜରାଟ ଚଳିତ ସଂସ୍କରଣର ଅନ୍ତିମ-୪ରେ ସ୍ଥାନ ପକ୍କା କରିଛନ୍ତି। ଜମ୍ମୁରେ ଖେଳାଯାଇଥିବା ତୃତୀୟ କ୍ୱାର୍ଟରଫାଇନାଲରେ କର୍ଣ୍ଣାଟକା ୧୬୭ ରନରେ ଜମ୍ମୁ ଓ କଶ୍ମୀରକୁ ହରାଇ ସେମିଫାଇନାଲ୍ ଟିକେଟ୍ କାଟିଛି। କର୍ଣ୍ଣାଟକା ଦ୍ୱାରା ଧାର୍ଯ୍ୟ ୩୩୧ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଜମ୍ମୁ ଓ କଶ୍ମୀର ଦ୍ୱିତୀୟ ଇନିଂସରେ ୧୬୩ ରନ୍ କରି ଅଲଆଉଟ୍ ହୋଇଛି।
ଘରୋଇ ଦଳ ପକ୍ଷରୁ ଶୁଭମ୍ ପୁନ୍ଦିର ସର୍ବାଧିକ ୩୧ ରନ୍, ଶୁଭମ୍ ଖଜୁରିଆ ୩୦, ଆକ୍ୱିବ୍ ନବି ୨୬ ଓ ଉମର ନାଜିର୍ ୨୪ ରନ୍ କରିଥିଲେ। କର୍ଣ୍ଣାଟକା ପକ୍ଷରୁ କ୍ରିଷ୍ଣାପ୍ପା ଗୌତମ ୫୪ ରନ୍ ଦେଇ ୭ଟି ୱିକେଟ୍ ନେଇଥିଲେ । ଉକ୍ତ ମ୍ୟାଚରେ କର୍ଣ୍ଣାଟକା ପ୍ରଥମ ଇନିଂସରେ ୨୦୬ ରନ୍ କରିଥିବା ବେଳେ ଜମ୍ମୁ ଓ କଶ୍ମୀର ୧୯୨ ରନ୍ କରି ଅଲଆଉଟ୍ ହୋଇଥିଲା। କର୍ଣ୍ଣାଟକା ଦ୍ୱିତୀୟ ଇନିଂସରେ ୩୧୬ ରନ୍ କରିଥିଲା।
ସେହିପରି ଅଙ୍ଗୋଲେରେ ସୌରାଷ୍ଟ୍ର ଓ ଆନ୍ଧ୍ର ମଧ୍ୟରେ ଖେଳାଯାଇଥିବା ଚତୁର୍ଥ କ୍ୱାର୍ଟରଫାଇନାଲରେ ସୌରାଷ୍ଟ୍ର ପ୍ରଥମ ଇନିଂସ୍ ଅଗ୍ରଣୀ ଭିତ୍ତିରେ ସେମିକୁ ଉନ୍ନୀତ ହୋଇଛି। ଏହି ମ୍ୟାଚରେ ସୌରାଷ୍ଟ୍ର ପ୍ରଥମ ଇନିଂସରେ ୪୧୯ ରନ୍ କରିଥିବା ବେଳେ ଆନ୍ଧ୍ର ମାତ୍ର ୧୩୬ ରନ୍ କରି ଅଲଆଉଟ୍ ହୋଇଥିଲା। ଦ୍ୱିତୀୟ ଇନିଂସରେ ସୌରାଷ୍ଟ୍ର ୪୨୬ ରନ୍ କରି ସୌରାଷ୍ଟ୍ର ଆଗରେ ୭୧୦ ରନର ଅସମ୍ଭବ ଟାର୍ଗେଟ୍ ରଖିଥିଲା। ଏହି ଲକ୍ଷ୍ୟର ପିଛା କରୁଥିବା ଆନ୍ଧ୍ର ପଞ୍ଚମ ଦିବସ ଖେଳ ଶେଷ ସୁଦ୍ଧା ୪ ୱିକେଟ୍ ହରାଇ ୧୪୯ ରନ୍ କରି ମ୍ୟାଚକୁ ଡ୍ର' କରିଥିଲା।