ରଣଜୀ ଟ୍ରଫି: ହରିୟାଣାର ଜବରଦସ୍ତ ପ୍ରତ୍ୟାବର୍ତ୍ତନ

ରୋହତକ୍‌: ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଥିବା ଓଡ଼ିଶା ବୋଲରମାନେ ଦ୍ୱିତୀୟ ଇନିଂସରେ ନିରାଶ କରିଛନ୍ତି। ଅନ୍ୟପକ୍ଷରେ ହରିୟାଣା ଦ୍ୱିତୀୟ ଇନିଂସରେ ଭଲ ବ୍ୟାଟିଂ କରି ମ୍ୟାଚକୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ହରିୟାଣାର ୯୦ ରନ୍ ଜବାବରେ ଓଡ଼ିଶା ପ୍ରଥମ ଇନିଂସରେ ୧୬୦ ରନରେ ଅଲଆଉଟ୍ ହୋଇଛି। ପ୍ରଥମ ଇନିଂସରେ ୭୦ ରନରେ ପଛୁଆ ଥିବା ହରିୟାଣା ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ ୫ ୱିକେଟ୍ ହରାଇ ୨୧୮ ରନ୍ କରିଛି। ଏଥିସହ […]

tinu-kundu

Ranjit Kumar Jena
  • Published: Sunday, 12 January 2020
  • , Updated: 12 January 2020, 07:08 PM IST

ରୋହତକ୍‌: ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଥିବା ଓଡ଼ିଶା ବୋଲରମାନେ ଦ୍ୱିତୀୟ ଇନିଂସରେ ନିରାଶ କରିଛନ୍ତି। ଅନ୍ୟପକ୍ଷରେ ହରିୟାଣା ଦ୍ୱିତୀୟ ଇନିଂସରେ ଭଲ ବ୍ୟାଟିଂ କରି ମ୍ୟାଚକୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ହରିୟାଣାର ୯୦ ରନ୍ ଜବାବରେ ଓଡ଼ିଶା ପ୍ରଥମ ଇନିଂସରେ ୧୬୦ ରନରେ ଅଲଆଉଟ୍ ହୋଇଛି।

ପ୍ରଥମ ଇନିଂସରେ ୭୦ ରନରେ ପଛୁଆ ଥିବା ହରିୟାଣା ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ ୫ ୱିକେଟ୍ ହରାଇ ୨୧୮ ରନ୍ କରିଛି। ଏଥିସହ ହରିୟାଣା ମୋଟ ୧୪୦ ରନରେ ଆଗୁଆ ଥିବା ବେଳେ ହାତରେ ଆହୁରି ୫ ୱିକେଟ୍ ବାକି ରହିଛି। ଦିବସର ଷ୍ଟମ୍ପର ଅପସାରଣ ବେଳକୁ ପ୍ରମୋଦ ଚାଣ୍ଡିଲା ୨୪ ଓ ହର୍ଷଲ ପଟେଲ୍ ୨୫ ରନ୍ କରି ଅପରାଜିତ ରହିଛନ୍ତି।

ଦ୍ୱିତୀୟ ଦିବସରେ ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର ୧୪୧/୫ରୁ ଖେଳ ଆରମ୍ଭ କରିଥିବା ଓଡ଼ିଶା ରବିବାର ଆଉ ୧୯ ରନ୍ ଯୋଡ଼ି ତା'ର ଶେଷ ୫ ୱିକେଟ୍ ହରାଇଥିଲା। ଅଭିଜ୍ଞ ବିପ୍ଳବ ସାମନ୍ତରାୟ ସର୍ବାଧିକ ୫୨ (୧୧୬ ବଲ୍‌, ୮ ଚୌକା) ରନ୍ କରି ଅନ୍ତିମ ୱିକେଟ୍ ଭାବେ ପ୍ୟାଭିଲିୟନ୍ ଫେରିଥିଲେ। ପ୍ରଥମ ଦିନ ଅପରାଜିତ ଥିବା ସୁଜିତ୍ ଲେଙ୍କା ୨୬ ରନ୍ ଆଉଟ୍ ହୋଇଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ଓ ବସନ୍ତ ମହାନ୍ତି ଖାତା ଖୋଲିପାରି ନଥିଲେ। ରାଜେଶ ମହାନ୍ତି ବ୍ୟକ୍ତିଗତ ୬ ରନ୍ କରି ନିଜ ୱିକେଟ୍ ହରାଇଥିଲେ। ହରିୟାଣାର ସଫଳ ବୋଲର ଭାବେ ଟିନୁ କୁଣ୍ଡୁ ୨୫ ରନ୍ ଦେଇ ୫ଟି ଓ କ୍ୟାପଟେନ୍ ହର୍ଷଲ୍ ପଟେଲ୍ ୩ଟି ୱିକେଟ୍ ନେଇଥିଲେ।

ଦ୍ୱିତୀୟ ଇନିଂସରେ ହରିୟାଣାକୁ ଭଲ ଷ୍ଟାର୍ଟ ଦେଇଥିଲେ ଦୁଇ ଓପ୍ନର ଶୁଭମ୍ ରୋହିଲା ଓ ଅଙ୍କିତ କୁମାର। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୦୧ ରନର ଶତକୀୟ ଭାଗୀଦାରୀ କରିଥିଲେ। ଅଙ୍କିତ କୁମାର (୪୬) ରନ୍ ଆଉଟ୍ ହୋଇଥିବା ବେଳେ ରୋହିଲା (୪୮)ଙ୍କୁ ରାଜେଶ କ୍ଲିନ୍ ବୋଲ୍ଡ କରିଥିଲେ। ମଧ୍ୟକ୍ରମରେ ନୀତୀନ ସାଇନି (୬) ଓ ଶିବମ ଚୌହାନ୍ (୧୩) ନିରାଶ କରିଥିଲେ।

ହିମାଂଶୁ ରାଣା ୪୦ ରନର ଉପଯୋଗୀ ଯୋଗଦାନ କରି ଟିମର ସ୍କୋରକୁ ଆଗକୁ ବଢ଼ାଇଥିଲେ। ତେବେ ଚାଣ୍ଡିଲା ଓ ହର୍ଷଲଙ୍କ ଯୋଡ଼ି ଏବେ ଓଡ଼ିଶା ପାଇଁ ଚିନ୍ତାର ବିଷୟ ହୋଇଛି। ଆସନ୍ତାକାଲି ଅର୍ଥାତ୍ ତୃତୀୟ ଦିବସରେ ଦୁହିଁଙ୍କୁ ଆଉଟ୍ କରିବା ସହ ଓଡ଼ିଶା ଘରୋଇ ଦଳକୁ ବଡ଼ ଟାର୍ଗେଟ୍ କରିବାରୁ ରୋକିବାକୁ ପ୍ରୟାସ କରିବ। ଓଡ଼ିଶା ପକ୍ଷରୁ ରାଜେଶ ଓ ସୂର୍ଯ୍ୟକାନ୍ତ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।

Related story