ବିଶାଖାପାଟଣା: ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଓ ମୟଙ୍କ ଅଗ୍ରୱାଲ୍ ଓପନିଂ ଯୋଡ଼ି ଭାବେ ନିଜର ପ୍ରଥମ ଟେଷ୍ଟରେ ନୂଆ କୀର୍ତ୍ତିମାନ କରିଛନ୍ତି। ଏହି ଯୋଡ଼ି ବୀରେନ୍ଦ୍ର ସେହ୍ୱାଗ ଓ ଗୌତମ ଗମ୍ଭୀରଙ୍କ ଦ୍ୱାରା ୧୫ ବର୍ଷ ତଳେ ହୋଇଥିବା ରେକର୍ଡକୁ ଭାଙ୍ଗିଛନ୍ତି। ୨୦୦୪-୦୫ରେ କାନପୁରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେହ୍ୱାଗ ଓ ଗମ୍ଭୀର ୨୧୮ ରନର ଭାଗୀଦାରୀ କରିଥିଲେ। ଏହି ରେକର୍ଡକୁ ରୋହିତ୍ ଓ ମୟଙ୍କ ଭାଙ୍ଗିଛନ୍ତି, ଯାହାକି ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତର ଏହା ରେକର୍ଡ ଓପନିଂ ପାର୍ଟନରଶିପ୍। ଏହାସହ ଏହି ଯୋଡ଼ି ଆଉ କିଛି ରେକର୍ଡ ମଧ୍ୟ କରିଛନ୍ତି।
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଟେଷ୍ଟ କ୍ରିକେଟରେ ଉଭୟ ଦେଶ ତରଫରୁ ରୋହିତ୍ ଓ ମୟଙ୍କ ରେକର୍ଡ ପାର୍ଟନରଶିପ୍ କରିଛନ୍ତି। ୧୯୯୬ରେ କୋଲକାତାରେ ଦକ୍ଷିଣ ଆଫ୍ରିକାର ଆଣ୍ଡ୍ର୍ୟୁ୍ ହଡସନ୍ ଓ ଗ୍ୟାରୀ କିର୍ଷ୍ଟେନ ଭାରତ ବିପକ୍ଷରେ ପ୍ରଥମ ୱିକେଟ୍ ପାଇଁ ୨୩୬ ରନ୍ କରିଥିଲେ। କିନ୍ତୁ ଏହି ରେକର୍ଡକୁ ରୋହିତ୍ ଓ ମୟଙ୍କ ଭାଙ୍ଗି ଦେଇଛନ୍ତି।
ସେହିପରି ରୋହିତ୍ ଓ ମୟଙ୍କ ପ୍ରଥମ ୱିକେଟ୍ ପାଇଁ ୩୧୭ ରନର ରେକର୍ଡ ପାର୍ଟନରଶିପ୍ କରିଛନ୍ତି । ଭିନୁ ମାଙ୍କଡ୍ ଓ ପଙ୍କଜ ରୟଙ୍କ ପରେ ଦୁହେଁ ଦ୍ୱିତୀୟ ଭାରତୀୟ ଯୋଡ଼ି ଭାବେ ପ୍ରଥମ ୱିକେଟ୍ ପାଇଁ ୩୦୦ରୁ ଅଧିକ ରନ୍ କରିଛନ୍ତି। ଏହା ପୂର୍ବରୁ ୨୦୦୬ରେ ପାକିସ୍ତାନ ବିପକ୍ଷ ଲାହୋର ଟେଷ୍ଟରେ ସେହ୍ୱାଗ ଓ ରାହୁଲ୍ ଡ୍ରାଭିଡ୍ ପ୍ରଥମ ୱିକେଟ୍ ପାଇଁ ୪୧୦ ରନ୍ କରିଥିଲେ।
୧୯୫୬ରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଚେନ୍ନାଇ ଟେଷ୍ଟରେ ମାଙ୍କଡ ଓ ପଙ୍କଜଙ୍କ ଯୋଡ଼ି ପ୍ରଥମ ୱିକେଟ୍ ପାଇଁ ୪୧୩ ରନ୍ ଯୋଡ଼ିଥିଲେ। ଏହାଛଡ଼ା ଦକ୍ଷିଣ ଆଫ୍ରିକା ବିପକ୍ଷରେ କୌଣସି ୱିକେଟ୍ ପାଇଁ ଭାରତର ଏହା ସର୍ବାଧିକ ରନ୍ ପାର୍ଟନରଶିପ୍। ଏହା ପୂର୍ବରୁ ୨୦୦୮ରେ ଚେନ୍ନାଇରେ ସେହ୍ୱାଗ ଓ ଡ୍ରାଭିଡ୍ ଦ୍ୱିତୀୟ ୱିକେଟ୍ ପାଇଁ ୨୬୮ ରନ୍, ୨୦୧୦ରେ କୋଲକାତାରେ ଲକ୍ଷ୍ମଣ ଓ ଧୋନି ସପ୍ତମ ୱିକେଟ୍ ପାଇଁ ଅପରାଜିତ ୨୫୯ ରନ୍ ଏବଂ ୨୦୧୦ରେ କୋଲକାତାରେ ସେହ୍ୱାଗ ଓ ସଚିନ ତେନ୍ଦୁଲକର ତୃତୀୟ ୱିକେଟ୍ ପାଇଁ ୨୪୯ ରନର ଭାଗୀଦାରୀ କରିଥିଲେ।