ଦକ୍ଷିଣ ଆଫ୍ରିକାର ସବୁ ଆଶାରେ ପାଣି ପକାଇଲେ ରୋହିତ ଓ ରାହଣେ

ରାଞ୍ଚି: ପ୍ରକ୍ସି ଅଧିନାୟକ, ଚୂଡ଼ାନ୍ତ ଏକାଦଶରେ ୫ଟି ପରିବର୍ତ୍ତନ ଓ ପ୍ରାରମ୍ଭିକ ସଫଳତା ପାଇ ତୃତୀୟ ଟେଷ୍ଟରେ ଭାରତକୁ ବ୍ୟାକ୍‌ଫୁଟ୍‌କୁ ଠେଲିବା ପାଇଁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଯେଉଁ ଯୋଜନା କରିଥିଲା, ତା’କୁ ରୋହିତ ଶର୍ମା ଓ ଅଜିଙ୍କ୍ୟ ରାହଣେଙ୍କ ଯୋଡ଼ି ପଣ୍ଡ କରିଦେଇଛନ୍ତି। ପୂର୍ବରୁ ଦୁଇଟି ଯାକ ଟେଷ୍ଟ ହାରି ସିରିଜ୍‌ ହାରି ସାରିଥିବା ଦକ୍ଷିଣ ଆଫ୍ରିକା ଆଜି ସମ୍ମାନର ଲଢ଼େଇ ପାଇଁ ରାଞ୍ଚିରେ ତୃତୀୟ ଟେଷ୍ଟ ଖେଳିବାକୁ ମଇଦାନକୁ ଓହ୍ଲାଇଥିଲା। ଯୋଜନା ମୁତାବକ ୩୯ […]

fv

Hemant Lenka
  • Published: Saturday, 19 October 2019
  • , Updated: 19 October 2019, 06:06 PM IST

ରାଞ୍ଚି: ପ୍ରକ୍ସି ଅଧିନାୟକ, ଚୂଡ଼ାନ୍ତ ଏକାଦଶରେ ୫ଟି ପରିବର୍ତ୍ତନ ଓ ପ୍ରାରମ୍ଭିକ ସଫଳତା ପାଇ ତୃତୀୟ ଟେଷ୍ଟରେ ଭାରତକୁ ବ୍ୟାକ୍‌ଫୁଟ୍‌କୁ ଠେଲିବା ପାଇଁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଯେଉଁ ଯୋଜନା କରିଥିଲା, ତା’କୁ ରୋହିତ ଶର୍ମା ଓ ଅଜିଙ୍କ୍ୟ ରାହଣେଙ୍କ ଯୋଡ଼ି ପଣ୍ଡ କରିଦେଇଛନ୍ତି।

ପୂର୍ବରୁ ଦୁଇଟି ଯାକ ଟେଷ୍ଟ ହାରି ସିରିଜ୍‌ ହାରି ସାରିଥିବା ଦକ୍ଷିଣ ଆଫ୍ରିକା ଆଜି ସମ୍ମାନର ଲଢ଼େଇ ପାଇଁ ରାଞ୍ଚିରେ ତୃତୀୟ ଟେଷ୍ଟ ଖେଳିବାକୁ ମଇଦାନକୁ ଓହ୍ଲାଇଥିଲା। ଯୋଜନା ମୁତାବକ ୩୯ ରନ୍‌ରେ ଦକ୍ଷିଣ ଆଫ୍ରିକା ପ୍ରତିପକ୍ଷ ଟିମ୍‌ ଇଣ୍ଡିଆର ୩ ଜଣ ବ୍ୟାଟସ୍‌ମ୍ୟାନ୍‌ଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲା। ହେଲେ ରୋହିତ ଓ ରାହଣେଙ୍କ ମଧ୍ୟରେ ୪ର୍ଥ ୱିକେଟ ପାଇଁ ଅପରାଜିତ ୧୮୫ ରନ୍‌ର ଭାଗିଦାରୀ ଦକ୍ଷିଣ ଆଫ୍ରିକାକୁ ନିରାଶ କରିଛି।

ତୃତୀୟ ଟେଷ୍ଟର ପ୍ରଥମ ଦିନରେ ବ୍ୟାଡ୍‌ ଲାଇଟ୍‌ ଓ ବର୍ଷା କାରଣରୁ ମାତ୍ର ୫୮ ଓଭରର ଖେଳ ହୋଇପାରିଛି। ଏହି ସମୟରେ ରାଞ୍ଚିରେ ରୋହିତ ଶୋ’ ଦେଖିବାକୁ ମିଳିଛି। ରୋହିତଙ୍କ ଅପରାଜିତ ଶତକ ବଳରେ ଷ୍ଟମ୍ପ ଅପସାରଣ ବେଳକୁ ଟିମ୍‌ ଇଣ୍ଡିଆ ୩ ୱିକେଟ୍‌ ହରାଇ ୨୨୪ ରନ୍‌ କରିଛି। ରୋହିତ ୧୧୭ ଓ ରାହଣେ ୮୩ ରନ୍‌ କରି ନଟଆଉଟ୍‌ ରହିଛନ୍ତି।

ରାଞ୍ଚିର ଜେଏସ୍‌ସିଏ ଷ୍ଟାଡିୟମ ସ୍ପୋର୍ଟସ କମ୍ପ୍ଲେକ୍ସରେ ଟସ୍‌ ଜିତିବା ପାଇଁ ଦକ୍ଷିଣ ଆଫ୍ରିକାର ଅଧିନାୟକ ଫାପ ଡୁପ୍ଲେସିସି ପ୍ରକ୍ସି କ୍ୟାପ୍ଟେନର ବ୍ୟବହାର କରିଥିଲେ। ତେମ୍ବା ବାଭୁମା ଓ ଡୁଫ୍ଲେସିସ୍‌ ମିଳିତ ଭାବେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲିଙ୍କ ସହ ଟସ୍‌ ପକାଇଥିଲେ। ହେଲେ ଟିମ୍‌ ଇଣ୍ଡିଆ ସପକ୍ଷରେ ଟସ୍‌ ଯାଇଥିଲା। ସେହିପରି କ୍ରମାଗତ ୧୦ମ ଥର ପାଇଁ ଏସିଆରେ ଦକ୍ଷିଣ ଆଫ୍ରିକା ଟସ୍‌ ହାରିବାର ରେକର୍ଡ ମଧ୍ୟ କରିଥିଲା।

ଟସ୍‌ ଜିତି ବିରାଟ୍‌ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଦକ୍ଷିଣ ଆଫ୍ରିକା ପ୍ରଥମ ଏକ ଘଣ୍ଟା ଜବରଦସ୍ତ ବୋଲିଂ କରିଥିଲା। ସବୁଠାରୁ ଅଭିଜ୍ଞ କାଗିସୋ ରବାଡା ୧୦ ରନ୍‌ କରିଥିବା ଓପନର ମୟଙ୍କ ଅଗ୍ରୱାଲଙ୍କୁ ପ୍ରଥମେ ଆଉଟ୍‌ କରିଥିଲେ। ଏହାପରେ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଖାତା ଖୋଲିବା ପୂର୍ବରୁ ରବାଡାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ।

ବିରାଟ୍ ହିଟ୍‌ମ୍ୟାନ୍‌ ରୋହିତଙ୍କ ସହ ମିଶି ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ହେଲେ ଦଳୀୟ ସ୍କୋର ୩୯ ଥିବା ବେଳେ ଭାରତକୁ ସବୁଠାରୁ ବଡ଼ ଝଟ୍‌କା ଲାଗିଥିଲା। ଆନରିଚ୍‌ ନୋର୍ଟଜେଙ୍କ ଏକ ଇନ୍‌ସୁଇଂକୁ ବୁଝି ନ ପାରି ବିରାଟ୍‌ (୧୨) ଆଉଟ୍‌ ହୋଇଯାଇଥିଲେ। ୩ ୱିକେଟ୍‌ ହରାଇଥିବା ଭାରତ ଉପରେ ଚାପ ପକାଇବାକୁ ଦକ୍ଷିଣ ଆଫ୍ରିକା ଫୁଲ ଦମ ଲଗାଇଥିଲା।

ହେଲେ ରୋହିତ ଓ ରାହଣେଙ୍କ ଆଗରେ ଦଳର ସବୁ ଯୋଜନା ଫସର ଫାଟି ଯାଇଥିଲା। ଉଭୟ ମଧ୍ୟାହ୍ଣ ଭୋଜନ ଯାଏ ବେଶ ସତର୍କତାର ସହ ଖେଳିଥିଲେ। ମଧ୍ୟାହ୍ଣ ଭୋଜନରୁ ଫେରିବା ପରେ ଉଭୟ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିଥିଲେ। ଏହି ସେସନ୍ସରେ ଦଳ ଓଭର ପିଛା ୫ ହାରରେ ରନ୍‌ ହାସଲ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ରୋହିତ ନୋର୍ଟଜେଙ୍କୁ ଚୌକା ମାରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି ରାହଣେ ୭୦ଟି ବଲ୍‌ରେ ନିଜର ୫୦ ରନ୍‌ ପୂରଣ କରିଥିଲେ।

ରୋହିତ ଅର୍ଦ୍ଧଶତକ ପରେ ଦକ୍ଷିଣ ଆଫ୍ରିକା ସ୍ପିନରଙ୍କୁ ଆଦୌ ସେଟେଲ ହେବାକୁ ଦେଇ ନଥିଲେ। ଡେନ୍‌ ପିଟ୍‌ଙ୍କୁ ସେ ଦ୍ୱିତୀୟ ସେସନ୍ସରେ ୪ଟି ବିଶାଳ ଛକା ମାରିଥିଲେ। ଡେନ୍‌ ପିଟ୍‌ଙ୍କୁ ଛକା ମାରି ରୋହିତ ସିରିଜ୍‌ରେ ନିଜର ତୃତୀୟ ଶତକ ମଧ୍ୟ ହାସଲ କରିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୬ଷ୍ଠ ଶତକ। ଉଭୟ ରୋହିତ ଓ ରାହଣେ ୪ର୍ଥ ୱିକେଟ୍‌ ପାଇଁ ୧୮୫ ରନ୍‌ ଯୋଡ଼ି ଦକ୍ଷିଣ ଆଫ୍ରିକାକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ।

ଆଜି ଭାରତ ପାଇଁ ବାମହାତୀ ସ୍ପିନର ଶହବାଜ ନଦୀମ ଡେବ୍ୟୁ କରିଛନ୍ତି। ତାଙ୍କୁ ଈଶାନ୍ତ ଶର୍ମାଙ୍କ ବଦଳରେ ତୃତୀୟ ଟେଷ୍ଟରେ ତାଙ୍କୁ ସୁଯୋଗ ମିଳିଛି। ସେହିପରି ଦକ୍ଷିଣ ଆଫ୍ରିକା ପକ୍ଷରୁ ଚୂଡ଼ାନ୍ତ ଏକାଦଶରେ ୫ଟି ପରିବର୍ତ୍ତନ କରାଯାଇଛି।

ଆଡେନ ମାର୍କରାମ, ଥ୍ୟୁନିସ୍ ଡି’ବ୍ରୁନ୍, କେଶବ ମହାରାଜ, ମୁଥସାମୀ ଓ ଭର୍ନନ ଫିଲାଣ୍ଡରଙ୍କ ବଦଳରେ ଜୁବୟର ହମଜା, ହେନରିଚ କାଲସନ, ଜର୍ଜ ଲିଣ୍ଡେ ଓ ଲୁଙ୍ଗି ଏନଗିଡିଙ୍କୁ ସୁଯୋଗ ମିଳିଛି। ଲିଣ୍ଡେଙ୍କ ଏହା ପ୍ରଥମ ଟେଷ୍ଟ।

Related story