କଟକ (ଓଡ଼ିଶା ରିପୋର୍ଟର): ୱେଷ୍ଟବେଙ୍ଗଲରେ ଚାଲିଥିବା ୭୪ତମ ଜାତୀୟ ଫୁଟବଲ ଚାମ୍ପିୟନଶିପ୍ ସନ୍ତୋଷ ଟ୍ରଫିରେ ଓଡ଼ିଶା ତା'ର ଦ୍ୱିତୀୟ ମ୍ୟାଚରେ ପରାସ୍ତ ହୋଇଛି। ଗୁରୁବାର ଖେଳାଯାଇଥିବା ମ୍ୟାଚରେ ଓଡ଼ିଶା ୦-୪ ଗୋଲରେ ଆୟୋଜକ ୱେଷ୍ଟ ବେଙ୍ଗଲ ନିକଟରୁ ହାରିଯାଇଛି।
ତେବେ ବିଜୟ ସହ ୱେଷ୍ଟ ବେଙ୍ଗଲ୍ ଇଷ୍ଟଜୋନ୍ କ୍ୱାଲିଫାଇଙ୍ଗ୍ ରାଉଣ୍ଡରେ ପ୍ରବେଶ କରିଛି। ଏହି ମ୍ୟାଚରେ ଓଡ଼ିଶା ଉଭୟାର୍ଦ୍ଧରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ମ୍ୟାଚର ପ୍ରଥମାର୍ଦ୍ଧରେ ୱେଷ୍ଟ ବେଙ୍ଗଲ ଗୋଟିଏ ଗୋଲ୍ ଦେଇଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ତିନୋଟି ଗୋଲ୍ ସ୍କୋର କରିଥିଲା।
ୱେଷ୍ଟ ବେଙ୍ଗଲ ପକ୍ଷରୁ ଅର୍ଜୁନ ଟୁଡୁ ଦୁଇଟି (ସପ୍ତମ ଓ ୬୩ତମ) ଗୋଲ୍ ଦେଇଥିବା ବେଳେ ସୁରୋଜିତ୍ ସିଅଲ୍ (୫୪ତମ) ଓ ମହମ୍ମଦ ଫରିଦ୍ (୫୬ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ଏହା ପୂର୍ବରୁ ଓଡ଼ିଶା ତା'ର ପ୍ରଥମ ମ୍ୟାଚରେ ବିହାରକୁ ୪-୧ ଗୋଲରେ ପରାସ୍ତ କରିଥିଲା।