ଭାରତକୁ ପ୍ରଥମ ଟି-୨୦ ଜିତାଇଲେ ଶେଫାଲି ଓ ମନ୍ଧାନା

ଆଣ୍ଟିଗୁଆ: ୧୫ ବର୍ଷୀୟ ଶେଫାଲି ବର୍ମାଙ୍କ ପ୍ରଥମ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ଓ ବରିଷ୍ଠ ସଦସ୍ୟ ସ୍ମୃତି ମନ୍ଧାନାଙ୍କ ଚମତ୍କାର ବ୍ୟାଟିଂ ବଳରେ ଟିମ୍‌ ଇଣ୍ଡିଆର ମହିଳା ଦଳ ପ୍ରତିପକ୍ଷ ୱେଷ୍ଟଇଣ୍ଡିଜ୍‌ ମହିଳା ଟିମ୍‌କୁ ପ୍ରଥମ ଟି-୨୦ରେ ୮୪ ରନ୍‌ରେ ପରାସ୍ତ କରିବାକୁ ସକ୍ଷମ ହୋଇଛନ୍ତି। ଶେଫାଲି ଓ ମନ୍ଧାନା ଯୋଡ଼ି ପ୍ରଥମ ୱିକେଟ୍‌ ପାଇଁ ରେକର୍ଡ ୧୪୩ ରନ୍‌ର ଭାଗିଦାରୀ କରି ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ୪୯ ବଲରେ ୭୩ ରନର ଇନିଂସ […]

s

Hemant Lenka
  • Published: Sunday, 10 November 2019
  • , Updated: 10 November 2019, 04:28 PM IST

ଆଣ୍ଟିଗୁଆ: ୧୫ ବର୍ଷୀୟ ଶେଫାଲି ବର୍ମାଙ୍କ ପ୍ରଥମ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ଓ ବରିଷ୍ଠ ସଦସ୍ୟ ସ୍ମୃତି ମନ୍ଧାନାଙ୍କ ଚମତ୍କାର ବ୍ୟାଟିଂ ବଳରେ ଟିମ୍‌ ଇଣ୍ଡିଆର ମହିଳା ଦଳ ପ୍ରତିପକ୍ଷ ୱେଷ୍ଟଇଣ୍ଡିଜ୍‌ ମହିଳା ଟିମ୍‌କୁ ପ୍ରଥମ ଟି-୨୦ରେ ୮୪ ରନ୍‌ରେ ପରାସ୍ତ କରିବାକୁ ସକ୍ଷମ ହୋଇଛନ୍ତି। ଶେଫାଲି ଓ ମନ୍ଧାନା ଯୋଡ଼ି ପ୍ରଥମ ୱିକେଟ୍‌ ପାଇଁ ରେକର୍ଡ ୧୪୩ ରନ୍‌ର ଭାଗିଦାରୀ କରି ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ୪୯ ବଲରେ ୭୩ ରନର ଇନିଂସ ଖେଳିଥିବା ଶେଫାଲି ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

ଡାରେନ ସାମି ନ୍ୟାଶନାଲ ଷ୍ଟାଡିୟମରେ ଟସ୍ ଜିତି ପ୍ରଥମେ ୱେଷ୍ଟଇଣ୍ଡିଜ ମହିଳା ଟିମ୍ ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା। ତେବେ ଆରମ୍ଭରୁ ହିଁ ଶେଫାଲି ଓ ମନ୍ଧାନା ଦ୍ରୁତ ଗତିରେ ରନ୍ ସଂଗ୍ରହ କରିବା ଆରମ୍ଭ କରିଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ୧୫.୩ ଓଭରରେ ୧୪୩ ରନ୍‌ର ଭାଗିଦାରୀ କରିଥିଲେ। ଭାରତ ପାଇଁ ଏଭଳି ଭାଗିଦାରୀ କରି ଉଭୟ ରେକର୍ଡ କରିଛନ୍ତି। କୌଣସି ଭାରତୀୟ ଯୋଡ଼ି ଏହା ପୂର୍ବରୁ କେବେ ହେଲେ ଏତେ ରନ୍‌ର ଭାଗିଦାରୀ କରି ନଥିଲେ।

ଦଳୀୟ ସ୍କୋର ୧୪୩ ଥିବା ବେଳେ ୭୩ ରନ୍‌ କରିଥିବା ଶେଫାଲିଙ୍କୁ ଏସ୍ ସେଲମାନ ଆଉଟ୍ କରି ଦେଇଥିଲେ। ମନ୍ଧାନା ମଧ୍ୟ ୬୭ ରନ୍ କରି ଆନିସା ମହମ୍ମଦଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଶେଷ ଭାଗରେ ବେଦା କ୍ରୀଷ୍ଣମୂର୍ତ୍ତି ୭ ବଲରେ ୧୫ ଓ ଅଧିନାୟକ ହରମନପ୍ରୀତ କୌର ୧୩ ବଲରେ ୨୧ ରନ୍‌ କରିବାରୁ ଟିମ୍‌ ଇଣ୍ଡିଆ ୪ ୱିକେଟ ହରାଇ ୧୮୫ ରନ୍ କରିଥିଲା।

୧୮୬ ରନ ଟାର୍ଗେଟର ପିଛା କରୁଥିବା ୱେଷ୍ଟଇଣ୍ଡିଜ୍ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଶେମାନି କ୍ୟାମ୍ବେଲ କିଛି ସମୟ ପାଇଁ ଲଢ଼େଇ କରିବାରୁ ଇଣ୍ଡିଜ୍ ମହିଳା ଦଳ ୧୦୦ ରନ୍ ପାର କରିପାରିଥିଲା। କ୍ୟାମ୍ବେଲ ୩୩ ରନ୍ କରି ଆଉଟ୍ ହେବା ପରେ ଇଣ୍ଡିଜ୍‌ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୦୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଭାରତ ପକ୍ଷରୁ ଶିକ୍ଷା ପାଣ୍ଡେ, ପୁନମ ଯାଦବ ଓ ରାଧା ଯାଦବ ଦୁଇଟି ଲେଖାଏ ୱିକେଟ ନେଇଥିବା ବେଳେ ଦୀପ୍ତି ଶର୍ମା ଓ ପୂଜା ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି। ଆଉ ଗୋଟିଏ ୱିକେଟ ରନଆଉଟ୍ ରୂପେ ମିଳିଥିଲା।

Related story