ମାଉଣ୍ଟ ମାଉଙ୍ଗାନୁଇ: ଭାରତ ପଞ୍ଚମ ଟି-୨୦ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୫-୦ରେ ପୋଛି ନେଇଛି। କିନ୍ତୁ ଏହି ମ୍ୟାଚକୁ ଅଲରାଉଣ୍ଡର ଶିବମ୍ ଦୁବେ ବ୍ୟକ୍ତିଗତ ଭାବେ ଆଦୌ ମନେ ରଖିବାକୁ ଚାହିଁବେ ନାହିଁ। ଦୁବେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଗୋଟିଏ ଓଭରରେ ସର୍ବାଧିକ ରନ୍ ଦେବାରେ ଭାରତୀୟ ବୋଲର ହୋଇଛନ୍ତି। ଦୁବେ ଆଜିର ମ୍ୟାଚରେ ଏକ ଓଭରରେ ୩୪ ରନ୍ ଦେଇଛନ୍ତି।
ରସ୍ ଟେଲର ଓ ଟିମ୍ ସିଫର୍ଟ ଇନିଂସର ୧୦ମ ଓଭରରେ ଏହି ଯୁବ ବୋଲରଙ୍କୁ ନିର୍ଧୁମ୍ ଧୂଲେଇ କରିଥିଲେ। ସିଫର୍ଟ ଓଭରର ଶୁଭାରମ୍ଭ ଲଗାତର ଦୁଇଟି ଛକା ସହ ଆରମ୍ଭ କରିଥିଲେ ଏବଂ ତୃତୀୟ ବଲରେ ଚୌକା ମାରିଥିଲେ। ଏହା ପରେ ସେ ୧ ରନ୍ ନେଇ ଟେଲରଙ୍କୁ ଷ୍ଟ୍ରାଇକ୍ ଦେଇଥିଲେ। ଟେଲର୍ ଏହା ପରେ ଦୁବେଙ୍କୁ ଆକ୍ରମଣ କରିଥିଲେ। ଟେଲର ପ୍ରଥମେ ନୋ' ବଲରେ ଚୌକା ମାରିଥିଲେ।
ଏହା ପରେ ପଞ୍ଚ ଓ ଷଷ୍ଠ ବଲରେ ଲଗାତାର ଛକା ମାରିଥିଲେ। ଫଳରେ ଦୁବେଙ୍କ ଏହି ଓଭରରେ ୩୪ ରନ୍ ହୋଇଥିଲା ଏବଂ ତାଙ୍କ ନାଁରେ ଅଲୋଡା ରେକର୍ଡ ଯୋଡ଼ି ହୋଇଛି। ସେ ଟି-୨୦ରେ ଅନ୍ତର୍ଜାତୀୟ କ୍ରିକେଟରେ ଭାରତର ସବୁଠାରୁ ମହଙ୍ଗା ବୋଲର ହୋଇଛନ୍ତି। ୨୦୧୬ରେ ଷ୍ଟୁଆର୍ଟ ବିନ୍ନି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗୋଟିଏ ଓଭରରେ ୩୨ ରନ୍ ଦେଇଥିଲେ। ସେହିପରି ୨୦୧୨ରେ ଜୋହାନସବର୍ଗରେ ସୁରେଶ ରାଇନା ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୬ ରନ୍ ବ୍ୟୟ କରିଥିଲେ।