ଟିମ୍ ଇଣ୍ଡିଆକୁ ୧୩୪ ରନରେ ରୋକିଲା ଦକ୍ଷିଣ ଆଫ୍ରିକା

ବେଙ୍ଗାଲୁରୁ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଏଠାରେ ଖେଳାଯାଉଛି। ଉକ୍ତ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଦମଦାର ବୋଲିଂ ଆଗରେ ଭାରତ ନୈରାଶ୍ୟଜନକ ବ୍ୟାଟିଂ କରି ୯ ୱିକେଟରେ ୧୩୪ ରନ୍ କରିଛି। ଫଳରେ ସିରିଜକୁ ବରାବର କରିବା ପାଇଁ ଦକ୍ଷିଣ ଆଫ୍ରିକାକୁ ୧୩୫ ରନ୍ କରିବାକୁ ପଡିବ। ଭାରତ ଭଲ ଆରମ୍ଭ କରିଥିଲେ ହେଁ, ମଧ୍ୟକ୍ରମରେ ନିୟମିତ ବ୍ୟବଧାନରେ ୱିକେଟ୍ ପତନ ଯୋଗୁ ବଡ଼ […]

saf

Ranjit Kumar Jena
  • Published: Sunday, 22 September 2019
  • , Updated: 22 September 2019, 08:42 PM IST

ବେଙ୍ଗାଲୁରୁ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଏଠାରେ ଖେଳାଯାଉଛି। ଉକ୍ତ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଦମଦାର ବୋଲିଂ ଆଗରେ ଭାରତ ନୈରାଶ୍ୟଜନକ ବ୍ୟାଟିଂ କରି ୯ ୱିକେଟରେ ୧୩୪ ରନ୍ କରିଛି। ଫଳରେ ସିରିଜକୁ ବରାବର କରିବା ପାଇଁ ଦକ୍ଷିଣ ଆଫ୍ରିକାକୁ ୧୩୫ ରନ୍ କରିବାକୁ ପଡିବ। ଭାରତ ଭଲ ଆରମ୍ଭ କରିଥିଲେ ହେଁ, ମଧ୍ୟକ୍ରମରେ ନିୟମିତ ବ୍ୟବଧାନରେ ୱିକେଟ୍ ପତନ ଯୋଗୁ ବଡ଼ ସ୍କୋର କରିପାରିନଥିଲା। ଭାରତ ପକ୍ଷରୁ ଶିଖର ଧୱନ୍ ସର୍ବାଧିକ ୩୬ ରନ୍ କରିଛନ୍ତି।

ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁଇ ଓପ୍ନର ଧୱନ୍ ଓ ରୋହିତ୍ ଶର୍ମା ଭଲ ଆରମ୍ଭ ଦେଇଥିଲେ । ରୋହିତ୍ ପୂର୍ବ ମ୍ୟାଚ୍ ଭଳି ପୁଣି ନିରାଶ କରିଥିଲେ। ସେ ମାତ୍ର ୯ ରନ୍ କରି ବ୍ୟୁରାନ୍ ହେଣ୍ଡ୍ରିକ୍ସଙ୍କ ଶିକାର ହୋଇଥିଲେ । ଏହା ପରେ ଧୱନ୍ ଓ କୋହଲି ଦ୍ରୁତ ରନ୍ କରି ଭାରତର ସ୍କୋରକୁ ୫୦ ଅତିକ୍ରମ କରାଇଥିଲେ। ଦୁହେଁ ଦ୍ୱିତୀୟ ୱୀକେଟ୍ ପାଇଁ ୩୮ ରନ୍ ଯୋଡ଼ିଥିବା ବେଳେ ଧୱନଙ୍କୁ ତାବରେଜ୍ ଶାମସି ଆଉଟ୍ କରିଥିଲେ।

ଧୱନ୍ ୨୫ ବଲରେ ୪ ଚୌକା ଓ ୨ ଛକା ସହ ୩୬ ରନ୍ କରିଥିଲେ। ମୋହାଲିରେ ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିବା କୋହଲି (୯) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତାଙ୍କୁ କାଗିସୋ ରବାଡା ପ୍ୟାଭିଲିୟନ୍ ପଠାଇ ଭ୍ରମଣକାରୀ ଦଳକୁ ବଡ଼ ସଫଳତା ଦେଇଥିଲେ। ରିଷଭ ପନ୍ତ (୧୯) ପୁଣିଥରେ ସୁଯୋଗ ଫାଇଦା ଉଠାଇପାରି ନଥିବା ବେଳେ ଶ୍ରେୟସ୍ ଆୟର୍ (୫) ମଧ୍ୟ ନିରାଶ କରିଥିଲେ। ଉଭୟ ବ୍ୟାଟ୍ସମ୍ୟାନଙ୍କୁ ଜର୍ନ ଫର୍ଚ୍ୟୁନ୍ ନିଜର ଶିକାର ବନାଇଥିଲେ।

କୃନାଲ୍ ପାଣ୍ଡ୍ୟା (୪)ଙ୍କୁ ହେଣ୍ଡ୍ରିକ୍ସ ଆଉଟ୍ କରି ଦକ୍ଷିଣ ଆଫ୍ରିକାକୁ ଷଷ୍ଠ ସଫଳତା ଦେଇଥିଲେ। ଲଗାତାର ୱିକେଟ୍ ପତନ ଦ୍ୱାରା ଭାରତ ବିପଦରେ ପଡ଼ିଥିବା ବେଳେ ରବୀନ୍ଦ୍ର ଜାଡେଜା ଓ ହାର୍ଦ୍ଦିକ ପାଣ୍ଡ୍ୟା ସପ୍ତମ ୱିକେଟ୍ ପାଇଁ ୨୯ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରିଥିଲେ। ଜାଡେଜା ୧୭ ବଲରେ ୧ ଚୌକା ଓ ୧ ଛକା ସହ ୧୯ ଓ ହାର୍ଦ୍ଦିକ ୧୪ ରନ୍ କରି ଆଉଟ୍ ହୋଇଥିଲେ। ୱାଶିଂଟନ୍ ସୁନ୍ଦର ୪ ରନ୍ କରି ରନଆଉଟ୍ ହୋଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ରବାଡା ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଫର୍ଚ୍ୟୁନ୍ ଓ ହେଣ୍ଡ୍ରିକ୍ସ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

Related story